ଜିଲ୍ଲାରେ ହଜାରେ ପୁଅରେ ୯୦୩ ଝିଅ କୋରେଇ, ବଡ଼ଚଣା, ମାର୍କଣ୍ଡପୁରରେ ସ୍ଥିତି ଉଦ୍ବେଗ 


ଯାଜପୁର: ଯାଜପୁର ଜିଲ୍ଲାରେ ହଜାରେ ପୁଅରେ ୯୦୩ ଝିଅ ରହିଛନ୍ତି । ଏ କ୍ଷେତ୍ରରେ କୋରେଇ, ବଡ଼ଚଣା, ମାର୍କଣ୍ଡପୁରରେ ସ୍ଥିତି ଉଦ୍ବେଗ ଜନକ ରହିଛି । ଏହି ଅଞ୍ଚଳରେ ଲିଙ୍ଗ ଅନୁପାତରେ ଝିଅ ସଂଖ୍ୟା ବୃଦ୍ଧି ଦିଗରେ ଜନ ସଚେତନତା ସୃଷ୍ଟିର ଆବଶ୍ୟକତା ରହିଛି । ଏଭଳି ତଥ୍ୟ ଜିଲାସ୍ତରୀୟ ପିସିପିଏନଡିଟି ପରାମର୍ଶ ଦାତା କମିଟି ବୈଠକରୁ ଜଣାପଡ଼ିଛି । ଆଶାକର୍ମୀ ଓ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ନେଇ ବ୍ଲକ୍ ସ୍ତରରେ ଲିଙ୍ଗ ନିରୂପଣ ଓ କନ୍ୟା ଭ୍ରୁଣହତ୍ୟା ସମ୍ବନ୍ଧିତ ସଚେତନତା ଅଭିଯାନ କରିବାକୁ ଏବଂ ବ୍ଲକ୍ସ୍ତରୀୟ ଓରିଏଣ୍ଟେସନ କାର୍ଯ୍ୟକ୍ରମ କରିବାକୁ ଜିଲାପାଳ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ  ପିସିପିଏନଡିଟି ପରାମର୍ଶଦାତା କମିଟି ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ପି.ଅନ୍ୱେଷା ରେଡ୍ଡୀ ଲିଙ୍ଗ ନିରୂପଣକୁ କିଭଳି କଡାକଡି ଭାବରେ ରୋକାଯାଇ ପାରିବ ସେଥିପ୍ରତି ଗୁରୁତ୍ୱାରୋପ କରିଥିଲେ । ଯାଜପୁର ଜିଲ୍ଲାରେ ଝିଅଙ୍କ ଅନୁପାତ ପୁଅଙ୍କ ଅପେକ୍ଷା କମ ଥିବାରୁ ଜିଲ୍ଲାପାଳ ଉଦ୍ବେଗ ପ୍ରକାଶ କରିଛନ୍ତି । ବୈଠକରେ ଜିଲ୍ଲାରେ କାର୍ଯ୍ୟକ୍ଷମ ଥିବା ପଞ୍ଜୀକୃତ ଅଲଟ୍ରାସାଉଣ୍ଡ କ୍ଲିନିକ୍ ଗୁଡ଼ିକର ସମୀକ୍ଷା କରାଯାଇଥିଲା । ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଅଲଟ୍ରାସାଉଣ୍ଡ କ୍ଲିନିକ୍କୁ ନିୟମିତ ତନଖି କରିବାକୁ ନିଦେ୍ର୍ଦଶ ଦେଇଥିଲେ । ବୈଠକରେ ନୂତନ କ୍ଲିନିକ୍ ପଞ୍ଜିକରଣ ଓ ନବୀକରଣ ପାଇଁ ଆବେଦନ ହୋଇଥିବା ଦରଖାସ୍ତ ଗୁଡ଼ିକ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ଅଲଟ୍ରାସାଉଣ୍ଡ କ୍ଲିନିକ୍ ବୈଠକରେ ପୂର୍ବ ବୈଠକର ବିବରଣୀ ଉପରେ ଆଲୋଚନା କରାଯାଇଥିଲା । ଲିଙ୍ଗନିରୂପଣ କରାଯାଉଥିବା ଖବର ପ୍ରଦାନକାରୀଙ୍କୁ ୨୫ ହଜାରଟଙ୍କାର ପ୍ରୋତ୍ସାହନ ରାଶି ଦିଆଯିବ ବୋଲି ଜିଲାପାଳ ସୂଚନା ଦେଇଥିଲେ । ପରେ ପିଆରଆଇ ସଦସ୍ୟ, ଆଶାକର୍ମୀ, ସ୍ୱାସ୍ଥ୍ୟକର୍ମୀ ବୁଦ୍ଧିଜୀବୀ, ସମାଜସେବୀ, ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟ ମାନଙ୍କୁ ନେଇ କରାଯାଇଥିବା ବ୍ଲକ୍ସ୍ତରୀୟ କାର୍ଯ୍ୟକ୍ରମର ଜିଲ୍ଲାପାଳ ସମୀକ୍ଷା ବୈଠକ କରିବେ ବୋଲି ସୂଚନା ଦେଇଥିଲେ । ବୈଠକର ପ୍ରାରମ୍ଭରେ ଜିଲ୍ଲାମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ. ପ୍ରକାଶ ଚନ୍ଦ୍ର ବଳ ସ୍ୱାଗତ ଭାଷଣ ଦେଇଥିଲେ । ବୈଠକରେ ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡ. ରମେଶ ଚନ୍ଦ୍ର ମଲ୍ଲିକ, ସ୍ତ୍ରୀ ଓ ପ୍ରସୂତି ବିଭାଗ ଚିକିତ୍ସକ ଡ. ନଗେନ୍ଦ୍ର ନାଥ ମହାପାତ୍ର, ସାମାଜସେବୀ ଆନନ୍ଦ ଗୋପାଳ ମହାନ୍ତି, ଡ. ରାଜକିଶୋର ପଣ୍ଡା, ପ୍ରେମଲତା ପଣ୍ଡା, ଜିଲାସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।