ଶ୍ରୀରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ  ଛାତ୍ରଛାତ୍ରୀଙ୍କୁ ମିଳୁନି ମଧ୍ୟାହ୍ନ ଭୋଜନ


ାା ପ୍ରଭାନୁ୍ୟଜ ।ା କାଳିଆପାଣି : ଖଣି ଅଞ୍ଚଳରେ ଶ୍ରୀରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କହିଲେ ୯୦ ଦଶକ ସମୟରେ କିଏ ଅବା ନଜାଣେ । ସେହି ସମୟରୁ ଏହି ବିଦ୍ୟାଳୟଟି ଫାକର କମ୍ପାନୀ ଅଧୀନରେ କାର୍ଯ୍ୟକାରୀ ହୋଇ ଆସୁଛି । ବର୍ତ୍ତମାନ ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୮ଟି ଶ୍ରେଣୀ ମଧ୍ୟରେ ୮୦ରୁ ଅଧିକ ଛାତ୍ରଛାତ୍ରୀ ପଢୁଛନ୍ତି । ଏହି ବିଦ୍ୟାଳୟଟି ଆଦିବାସୀ ଅଧୂଷିତ ଅଞ୍ଚଳରେ ଅବସ୍ଥିତି ଥିବାରୁ ଅଧିକାଂଶ ଛାତ୍ରଛାତ୍ରୀ ଆଦିବାସୀ ଅଟନ୍ତି । ଆଦିବାସୀ ଛାତ୍ରଛାତ୍ରୀଙ୍କୁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ମାଗଣା ଖାଇବା ରହିବା ସହିତ ଉନ୍ନତ ମାନର ଶିକ୍ଷା ଲାଭ କରିବା ପାଇଁ ସମସ୍ତ ପ୍ରକାର ସହଯୋଗ କରୁଛନ୍ତି । ଶ୍ରୀ ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଟି ଏକ ଘରୋଇ କମ୍ପାନୀ ଅଧୀନରେ ରହିଥିବା ବେଳେ ଏହି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ମିଳୁନଥିବାର ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ । ବିଦ୍ୟାଳୟଟିକୁ ସରକାରୀ ଅଧିନକୁ ନେବାକୁ ବାରମ୍ବାର ଜନ ପ୍ରତିନିଧିଙ୍କ ସହିତ ଗ୍ରାମବାସୀ ଆଲୋଚନା କରିଥିଲେ ମଧ୍ୟ ତାହା ସଫଳ ହୋଇ ପାରିନାହିଁ । ଘରୋଇ କମ୍ପାନୀକୁ ମଧ୍ୟାହ୍ନ ଭୋଜନ ପାଇଁ ବାରମ୍ବାର ଦାବି କରାଯାଉ ଥିଲେ ମଧ୍ୟ କମ୍ପାନୀ କର୍ତ୍ତୃପକ୍ଷ ଏହି ଦିଗରେ କୌଣସି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ଏନେଇ ବେଦାନ୍ତ-ଫାକର କମ୍ପାନୀର ସାମାଜିକ କଲ୍ୟାଣ ବିଭାଗ ଅଧିକାରୀଙ୍କ କହିବା କଥା ହେଲା ମଧ୍ୟାହ୍ନ ଭୋଜନ ଦେବା ପାଇଁ ଆମେ କଣ୍ଠାବୋଧ କରିନୁ । କିନ୍ତୁ ମଧ୍ୟାହ୍ନ ଭୋଜନକୁ ନେଇ ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ଅନେକ ସମସ୍ୟା ଦେଖାଦେଉଥିବା ବେଳେ ଯଦି ଏହି ସମସ୍ୟା ଏହି ଠାରେ ଦେଖା ଦିଏ ତେବେ ତାକୁ ସମାଧାନ କରିବା ପାଇଁ ଏକ ଘରୋଇ କମ୍ପାନୀକୁ କାଠିକର ପାଠ ହୋଇଯିବ । ଅନ୍ୟପକ୍ଷରେ ଶୁଖିଲା ଖାଦ୍ୟ ଦେବାକୁ ଚିନ୍ତା କରାଯାଉ ଥିବା ବେଳେ ଏନେଇ ଅଧିକାରୀ ଓ ବିଦ୍ୟାଳୟ କମିଟିଙ୍କ ସହିତ ଆଲୋଚନା କରାଯିବ ବୋଲି ମତ ରଖିଥିଲେ । ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ସମେତ ସରକାରୀ ସୁବିଧା ମିଳିପାରୁ ନାହି ତେବେ ବିଦ୍ୟାଳୟଟିକୁ ସରକାର ଅଧିନକୁ ହସ୍ତାନ୍ତର କଲେ ଆଦିବାସୀ ଛାତ୍ରଛାତ୍ରୀ ଅନେକ ସରକାରୀ ସୁବିଧା ପାଇପାରିବେ । ଯେଉଁଥିରୁ ସେମାନେ ବଞ୍ଚିତ ହୋଇ ରହିଛନ୍ତି ।