ଆସୁଛି ଇଦ୍; ରଙ୍ଗୀନ ଆଲୋକରେ ଝଟକୁଛି ମସଜିଦ ଓ ରାସ୍ତାଘାଟ
ବ୍ରହ୍ମବରଦା: ଇସଲାମ ଧର୍ମର ପବିତ୍ର ରମଜାନ ମାସ ଏବେ ଚାଲୁ ରହିଛି । ଆଉ ମାତ୍ର ଅଳ୍ପଦିନ ପରେ ସାରା ଦେଶରେ " ଇଦ୍’ ପର୍ବ ମହାସମାରୋହରେ ପାଳନ କରାଯିବ । ଏନେଇ ସାରା ଦେଶ ଏବେ ଉତ୍ସବ ମୁଖର ହୋଇ ଉଠିଥିବା ବେଳେ ଏହାର ଏକ ନିଆରା ଝଲକ ଦେଖିବାକୁ ମିଳିଛି ରସୁଲପୁର ବ୍ଳକ ଅନ୍ତର୍ଗତ ଅଭିଭକ୍ତ ବ୍ରହ୍ମବରଦା ଅଞ୍ଚଳରେ । ଅଭିଭକ୍ତ ବ୍ରହ୍ମବରଦା ଏକ ମୁସଲମାନ ବହୁଳ ଅଞ୍ଚଳ ହୋଇଥିଲେ ହେଁ ହିନ୍ଦୁ ଓ ମୁସଲମାନ ଭାଇଚାରାର ଶ୍ରେଷ୍ଠ ଭୂଇଁ ଭାବେ ସାରା ରାଜ୍ୟରେ ଚିରପରିଚିତ । ଯେହେତୁ ଆଗକୁ ମୁସଲମାନ ଭାଇ ମାନଙ୍କ ଶ୍ରେଷ୍ଠ ପର୍ବ "ଇଦ୍’ ଆସୁଛି ସେ ନେଇ ସାରା ଗ୍ରାମ ଏବେ ଚଳଚଞ୍ଚଳ ହୋଇଉଠିଛି । ଏହି କ୍ରମରେ ଗ୍ରାମରେ ଥିବା ସମସ୍ତ ମସଜିଦ୍, ରାସ୍ତାଘାଟ ଠାରୁ ଆରମ୍ଭ କରି ବାସଗୃହ ପର୍ଯ୍ୟନ୍ତ ଆକର୍ଷଣୀୟ ତୋରଣରେ ସଜାଯାଇ ନାଲି, ନେଳି ରଙ୍ଗୀନ ଆଲୋକ ମାଳାରେ ଝଟକୁଛି । ସନ୍ଧ୍ୟା ହେଲେ ହାଟ ବଜାର ଜନଗହଳିପୂର୍ଣ୍ଣ ହୋଇଯିବା ସହ ନୂଆ ନୂଆ ଜିନିଷ କିଣାକିଣିରେ ଅଦ୍ଭୁତପୂର୍ବ ଉତ୍ସାହ ଦେଖିବାକୁ ମିଳୁଛି । ତା ସହିତ ରୋଜା ଫିଟେଇବା ପରେ ନିଜ ପରିବାର, ବନ୍ଧୁ ଓ ସମ୍ପର୍କୀୟ ଲୋକ ମାନଙ୍କୁ ନେଇ ଇଫତାର ପାର୍ଟିର ଆସର ଜମୁଛି । ଯେଉଁଥିରେ କି ଉଭୟ ହିନ୍ଦୁ ଓ ମୁସଲମାନ ଭାଇ ମାନଙ୍କ ଉପସ୍ଥିତି ଦେଖିବାକୁ ମିଳୁଛି । ଯାହାକି ଅଭିଭକ୍ତ ବ୍ରହ୍ମବରଦାର ଉଭୟ ହିନ୍ଦୁ ଓ ମୁସଲମାନ ଭାଇ ମାନଙ୍କ ପାଇଁ ଏହି "ଇଦ୍’ ଏକ ମିଳିତ ଗଣପର୍ବ ଭାବେ ପରିଲକ୍ଷିତ ହେଉଛି । ଏହି ପବିତ୍ର ରମଜାନ ମାସରେ ପ୍ରତ୍ୟେକ ମୁସଲମାନ ଭାଇ ମାନେ ସବୁଦିନ ରୋଜା (ଉପବାସ) ପାଳନ ସହିତ ଦିନରେ ୨୦ଥର ରକାତ (ନମାଜ୍) ପଡିଥାନ୍ତି । ତା ସହିତ ରାତିରେ ତରାବି (ନମାଜ )ସମୟରେ ପ୍ରତ୍ୟେକ ଦିନ ଇସଲାମ ଧର୍ମର ପବିତ୍ର ଗ୍ରନ୍ଥ ମୌଲବି ମାନଙ୍କ ଦ୍ୱାରା କୋରାନର ଏକ ଅଧ୍ୟାୟ ସମ୍ପୂର୍ଣ୍ଣ ପାଠ କରାଯାଏ ଯାହାକୁ ଖତମ ତରାବି କୁହାଯାଏ । ଏହିପରିଭାବେ ୩୦ ଦିନରେ ପବିତ୍ର କୋରାନର ୩୦ଟି ଅଧ୍ୟାୟ (ସୁରା ତରାବି) ପାଠ ଶେଷ ପରେ ଭୋଜିଭାତର ଆୟୋଜନ କରାଯାଇଥାଏ । ଶେଷରେ ଚାନ୍ଦ ଦେଖି ଇଦ୍ ପର୍ବ ପାଳନ କରାଯାଏ । ତା ସହିତ କୋରାନ ପାଠ କରି ସମସ୍ତ ମୁସଲମାନ ଭାଇ ମାନଙ୍କୁ ଏହାର ମହତ୍ୱ, ଉଦେଶ୍ୟ ସମ୍ପର୍କରେ ବୁଝାଉଥିବା ମୌଲବି ଗୁରୁ ମାନଙ୍କୁ ଗ୍ରାମବାସୀଙ୍କ ତରଫରୁ କିଛି ଆର୍ଥôକ ସହାୟତା ପ୍ରଦାନ କରାଯାଇଥାଏ । "ଇଦ’ ଦିନ ବହୁ ସହୃଦୟ ବ୍ୟକ୍ତି ଅଞ୍ଚଳରେ ବସବାସ କରୁଥିବା ଅସହାୟ, ଗରିବ ବ୍ୟକ୍ତି ମାନଙ୍କୁ ଅର୍ଥ, ଖାଦ୍ୟ ଓ ପୋଷାକ ଦାନ ସୂତ୍ରରେ ବଣ୍ଟନ କରିଥାନ୍ତି । ଏହିପରି ଭାବେ ଅଭିଭକ୍ତ ବ୍ରହ୍ମବରଦା ଅଞ୍ଚଳରେ "ଇଦ୍’ ପର୍ବ କେଉଁ ଅନାଦି କାଳରୁ ବହୁ ଧୁମଧାମ ଓ ଶାନ୍ତିଶୃଙ୍ଖଳା ସହକାରେ ପାଳିତ ହୋଇ ଆସୁଛ । ଯାହା ଅନ୍ୟ ମାନଙ୍କ ପାଇଁ ଭାଇ ଚାରାର ଏକ ଶ୍ରେଷ୍ଠ ଉଦାହରଣ ପାଲଟିଛି ।