ଦିଲ୍ଲୀ ନିର୍ବାଚନ:ଏକଜିଟ୍ ପୋଲ ଉପରେ କଟକଣା
ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମଝିରେ ଆଉ ମାତ୍ର ଗୋଟିଏ ଦିନ ଥିବା ବେଳେ ଆଜି ଶେଷ ହେଉଛି ପ୍ରଚାର । ଆଜି ଅନ୍ତିମ ଦିନରେ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀ ଓ ଷ୍ଟାର ପ୍ରଚାରକମାନେ ପ୍ରଚାରରେ ଲାଗିଛନ୍ତି । ଆଜି ‘ଆପ’ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ, ବିଜେପି ପକ୍ଷରୁ ରାଜନାଥ ସିଂଙ୍କ ସମେତ ଅନ୍ୟ କିଛି ବରିଷ୍ଠ ନେତା ଓ କଂଗ୍ରେସର ଚର୍ଚ୍ଚିତ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ପ୍ରମୁଖ ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରଚାର କରିବାର କାର୍ୟ୍ୟକ୍ରମ ରହିଛି ।୫ ତାରିଖରେ ଭୋଟିଂ ଶେଷ ହେବାକୁ ଥିବା ବେଳେ ୮ ତାରିଖରେ ଭୋଟ ଗଣତି ଓ ଫଳାଫଳ ପ୍ରକାଶ ପାଇବ । ଭୋଟିଂ ଦିନ ଏକଜିଟ୍ ପୋଲ ବା ବୁଥବାହୁଡା ଜନମତ ପ୍ରକାଶନ କିମ୍ବା ପ୍ରଶାରଣ ଉପରେ କଟକଣା ଜାରି କରିଛନ୍ତି ନିର୍ବାଚନ ଆୟୋଗ । ପୂର୍ବାହ୍ନ ୭ଟାରୁ ସଂଧ୍ୟା ସାଢେ ୬ ମଧ୍ୟରେ ଏକଜିଟ୍ ପୋଲ ଉପରେ ନିଷେଧାଦେଶ ରହିଛି । ଏହାର ଉଲ୍ଲଂଘନ ସ୍ଥଳେ କାର୍ୟ୍ୟାନୁଷ୍ଟାନ ଗ୍ରହଣ କରାଯିବ ବୋଲି ନିର୍ବାଚନ ଆୟୋଗଙ୍କ ପକ୍ଷରୁ କୁହାଯାଇଛି ।
ନିର୍ବାଚନ ଆଚରଣ ବିଧି ଅନୁସାରେ, ସଂଧ୍ୟା ୫ଟାରେ ପ୍ରଚାର ଶେଷ ହେବ । କେବଳ ସ୍ଥାନୀୟ ନେତାଙ୍କୁ ଛାଡିଲେ ଅନ୍ୟ ବଡ଼ ନେତାମାନେ ନିଜ ନିର୍ବାଚନ ମଣ୍ଡଳୀକୁ ଫେରିଯିବେ । ଆସନ୍ତାକାଲି ଡ୍ରାଏ ଡେ’ ଥିବା ବେଳେ ବୁଧବାର (୫ ତାରିଖ) ବିଧାନସଭା ନିର୍ବାଚନ ପାଇଁ ସମସ୍ତ ୭୦ ଆସନରେ ଏକକାଳୀନ ଭୋଟ ପଡିବ । ଏଥିପାଇଁ ପ୍ରଶାସନିକ ସ୍ତରରେ ମଧ୍ୟ ସମସ୍ତ ବ୍ୟବସ୍ଥା ପ୍ରାୟ ଶେଷ ପର୍ୟ୍ୟାୟରେ ପହଞ୍ଚିଛି । ଶାସନରେ ଥିବା ଅରବିନ୍ଦ କେଜ୍ରିଓ୍ବାଲଙ୍କ ଆମ ଆଦମୀ ପାର୍ଟି ଓ କେନ୍ଦ୍ରରେ ଶାସନରେ ଥିବା ‘ଭାରତୀୟ ଜନତା ପାର୍ଟି’ ମଧ୍ୟରେ ଏଥର କଡା ପ୍ରତିଦ୍ବନ୍ଦ୍ବିତା ଆଶା କରାଯାଉଛି । ତେବେ ‘ଆପ’ରୁ ଏକକାଳୀନ ୭ ବିଧାୟକଙ୍କ ଇସ୍ତଫା ପରେ ଦଳ ସାମାନ୍ୟ ଦୁର୍ବଳ ପଡିଥିବା ମଧ୍ୟ ଦୃଶ୍ୟମାନ ହେଉଛି ।