ଗାଁଲୋକେ ଭୟଭୀତ : ଡୁଙ୍ଗୁରିପାଲିରେ ୨୯ ହାତୀ ଛୁଆ ପାଇଁ ଅଟକିଛନ୍ତି ୫ଦିନ
ବରଗଡ଼: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଘେଁସ ରେଞ୍ଜ ଡୁଙ୍ଗୁରିପାଲି ଅଞ୍ଚଳରେ ୫ଦିନ ହେଲା ଡେରା ପକାଇଛନ୍ତି ୨୯ଟିକିଆ ହାତୀପଲ । ଏହି ହାତୀପଲରେ ୧୦ଟି ଛୁଆ ହାତୀ ଥିବା ଯୋଗୁ ଦଳ ଆଗକୁ ଯାଉନି ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ହାତୀଙ୍କ ରହଣି ନେଇ ଆଖପାଖ ଗାଁଲୋକେ ଆତଙ୍କିତ ହୋଇଛନ୍ତି । ବର୍ତ୍ତମାନ ଧାନ କଟା ସମୟ ଥିବାବେଳେ ହାତୀମାନେ କାଳେ ବ୍ୟାପକ କ୍ଷତି ଘଟାଇବେ ତାହାକୁ ନେଇ ଗ୍ରାମାବାସୀ ଭୟଭୀତ ହୋଇଛନ୍ତି । ଏହି ହାତୀପଲ ଛତିଶଗଡ଼ରୁ ଆସିଥିବା ନେଇ ସୂଚନା ମିଳିଛି ।
ବନବିଭାଗର ସୂଚନା ଅନୁଯାୟୀ, ହାତୀ ପଲରେ ୧୦ ଗୋଟି ଛୋଟ ଛୁଆ ହାତୀ ରହିଥିବା ବେଳେ ଏକ ନୂତନ ଶିଶୁ ମଧ୍ୟ ରହିଛି । ନବଜାତ ହାତୀଟି ଗତ ତିନିଦିନ ଭିତରେ ସେହି ଅଞ୍ଚଳରେ ଜନ୍ମ ହୋଇଛି । ଯେଉଁ କାରଣରୁ ହାତୀମାନେ ଆଗକୁ ଯାଉନାହାନ୍ତି । ଦୁଇ ଦନ୍ତା ନିଜ ପଲକୁ ଜଗି ସୁରକ୍ଷା ଦେଉଛନ୍ତି । ହାତୀଙ୍କ ଗତିବିଧି ଉପରେ ବନ ବିଭାଗ ପକ୍ଷରୁ ନଜର ରଖାଯାଇଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ରାତିରେ ଆଖ ପାଖ ଅଞ୍ଚଳର ବିଦୁ୍ୟତ ସଂଯୋଗ କାଟି ଦିଆଯାଉଛି । ତେବେ ହାତୀଛୁଆଟି ଚାଲିବାକୁ ସକ୍ଷମ ହେଲେ ଦଳ ସେଠାରୁ ଚାଲିଯିବ ବୋଲି ବନ ବିଭାଗ ଆଶା କରିଛି; ସେ ପର୍ଯ୍ୟନ୍ତ ଚିନ୍ତାପ୍ରକଟ ନ କରିବା ପାଇଁ ଗ୍ରାମବାସୀଙ୍କୁ ପରାମର୍ଶ ଦେଇଛି ବନ ବିଭାଗ ।