ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ; ୨ ଗିରଫ
ଭୁବନେଶ୍ୱର, ୨୨ା୬ : ପୂର୍ବଶତ୍ରୁତାକୁ ନେଇ ବିଚ୍ ରାସ୍ତାରେ ଯୁବକଙ୍କୁ କାଠଫାଳିଆରେ ମରଣାନ୍ତକ ଆକ୍ରମଣ କରି ହାତ ଗୋଡ ଭାଙ୍ଗଦେଲେ ଅଭିଯୁକ୍ତ । ଏନେଇ ଶ୍ରୀ ଲିଙ୍ଗରାଜ ଥାନାରେ ଅଭିଯୋଗ ପରେ ପୁଲିସ ୧୬୮ରେ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ପରେ ଦଫା ୩୪୧,୩୨୩,୩୨୫,୨୯୪,୩୦୭,୩୪ ଆଇପିସି ଧାରାରେ କୋର୍ଟ ଚାଲାଣ କରାଯାଇଛି । ଗିରଫ ୨ ଅଭିଯୁକ୍ତ ହେଲେ, ନୟାଗଡ଼ ଜିଲ୍ଲାର ପପୁ ପରିଡ଼ା ଓ ପ୍ରତାପ ପରିଡ଼ା । ଏଠାରେ ଏମାନେ ଲିଙ୍ଗରାଜ ଥାନା ଅଧିନ ତିନିମୁଣ୍ଡିଆ ଛକ ଅଞ୍ଚଳରେ ରହୁଥିଲେ ।
ସୂଚନାଯୋଗ୍ୟଯେ, ଗତ ୧୯ ତାରିଖ ଦିନ ଅଭିଯୁକ୍ତ ପପୁ ଏବଂ ଅଭିଯୋଗକାରୀ ପପୁନା ବେହେରା ମଧ୍ୟରେ ଝଗଡ଼ା ହୋଇଥିଲା ଏବଂ ଝଗଡ଼ାରେ ଅଭିଯୋଗକାରୀ ଅଭିଯୁକ୍ତକୁ କାଠଫାଳିଆରେ ଆକ୍ରମଣ କରିଥିଲେ । ଯାହାକୁ ସ୍ଥାନୀୟ ବାସିନ୍ଦାଙ୍କ ଦ୍ୱାରା ସମାଧାନ କରାଯାଇଥିଲା । ପୁନଶ୍ଚ ଶୁକ୍ରବାର ସନ୍ଧ୍ୟାରେ ଅଭିଯୋଗକାରୀ ଶ୍ରୀ ଲିଙ୍ଗରାଜ ମନ୍ଦିରକୁ ଯାଉଥିବା ସମୟରେ ଦୁଇ ଅଭିଯୁକ୍ତ ଅନନ୍ତ ବାସୁଦେବ ମନ୍ଦିର ନିକଟରେ ତାଙ୍କୁ ଅଟକାଇବା ସହ ଗାଳିଗୁଲଜ କରି ହଠାତ ଏକ କାଠଫାଳିଆରେ ମରଣାନ୍ତକ ଆକ୍ରମଣ କରିଥିଲେ । ଆକ୍ରମଣ ଫଳରେ ଅଭିଯୋଗକାରୀଙ୍କ ଦୁଇ ହାତ ଓ ଗୋଡ ଭାଙ୍ଗି ଯିବା ସହ ମୁଣ୍ଡରୁ ରକ୍ତସ୍ରାବ ଆରମ୍ଭ ହୋଇଥିଲା । ସେତିକି ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ତାରେ ଉଦ୍ଧାର କରି ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ । ଏହି ଘଟଣାକୁ କେନ୍ଦ୍ର କରି ଲିଙ୍ଗରାଜ ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ଆଜି ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ।