ବିମାନରେ ଆତଙ୍କବାଦୀ ଥିବା ନେଇ ମିଛ ଇ-ମେଲ୍


 ନୂଆଦିଲ୍ଲୀ : ଚେନ୍ନାଇରୁ କଲମ୍ବୋ ଯାଉଥିବା ବିମାନରେ ୫ ଲସ୍କର ଆତଙ୍କବାଦୀ ଥିବା ନେଇ ଗୁଇନ୍ଦା ସୂଚନା ମିଳିବା ପରେ ଶ୍ରୀଲଙ୍କାରେ ଛାନଭିନ ହୋଇଛି  । ବିମାନ ଉଡ଼ାଣ ଆରମ୍ଭ କରିବା ପରେ ଏନେଇ ଇ-ମେଲ୍ ଆସିଥିଲା  । ତେବେ କଲମ୍ବୋରେ ବିମାନ ପହଁଚିବା ପରେ ସୁରକ୍ଷା କର୍ମୀମାନେ ବିମାନର ସମସ୍ତ ଯାତ୍ରୀଙ୍କୁ ଅଟକ ରଖି ପଚରାଉଚରା କରିଥିଲେ  । କଲମ୍ବୋର ବନ୍ଦରନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସୁରକ୍ଷା କର୍ମୀମାନେ ଯାଞ୍ଚ କରିଥିଲେ  । ଦିନ ପ୍ରାୟ ୧୧ଟା ୫ରେ ଏନେଇ ମୁଖ୍ୟ ସୁରକ୍ଷା ଅଧିକାରୀଙ୍କ ପାଖକୁ ମେଲ୍ ଆସିଥିଲା  । ଯେଉଁଥିରେ ଉଲ୍ଲେଖ ରହିଥିଲାଯେ, ୫ ଦକ୍ଷିଣ ଭାରତୀୟ ପୁରୁଷ ଲସ୍କରର ସହଯୋଗୀ  । ସେମାନେ ଭଲଭାବେ ପ୍ରଶିକ୍ଷଣ ନେଇଛନ୍ତି  । କିନ୍ତୁ ସେତେବେଳକୁ ବିମାନଟି ଉଡ଼ାଣ ଆରମ୍ଭ କରିଦେଇଥିଲା  । ତେଣୁ ତୁରନ୍ତ କଲମ୍ବୋ ବିମାନ ବନ୍ଦରକୁ ଏନେଇ ଖବର ଦିଆଯାଇଥିଲା  । ତେବେ ସେଭଳି କୌଣସି ସନ୍ଦିଗ୍ଧଙ୍କ ଟେର ନମିଳିବାରୁ ଏହି ଇ-ମେଲଟି ଭ୍ରମାତ୍ମକ ଥିବା ନେଇ ସୂଚନା ଦିଆଯାଇଛି  ।