ଶ୍ରୀମନ୍ଦିର ପ୍ରଶାସନର ତଦନ୍ତ ଆରମ୍ଭ : ବାହାରକୁ ଯାଇନି ଦାରୁ!

ପଶ୍ଚିମବଙ୍ଗର ଦୀଘା ଠାରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏ ସଂକ୍ରାନ୍ତରେ ରିପୋର୍ଟ ଦାଖଲ କରିବା ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ନିଦେ୍ର୍ଦଶ ଦେଇଛନ୍ତି  । ମନ୍ତ୍ରୀଙ୍କ ନିଦେ୍ର୍ଦଶ ପରିପ୍ରେକ୍ଷୀରେ ଶନିବାର ଦିନ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ୩ ଗୋଟି ପର୍ଯ୍ୟାୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି  । ବିଶେଷକରି ବଳକା ଦାରୁ ସମ୍ପର୍କରେ ଆଲୋଚନା ହୋଇଥିବାବେଳେ ଦାରୁ ଘରୁ, ଦାରୁ ବାହାରକୁ ଯାଇନାହିଁ ବୋଲି ମତପ୍ରକାଶ ପାଇଛି ।
ଏହି ବୈଠକରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଅଧ୍ୟକ୍ଷତା କରିଥିଲେ  । ନବକଳେବର ସମୟରେ ବଳକା ଦାରୁ ସଂପର୍କରେ ବୈଠକରେ ଜୋରଦାର ଆଲୋଚନା ହୋଇଥିଲା  । ପ୍ରଥମ ପର୍ଯ୍ୟାୟରେ ଦେଉଳ କରଣ, ତଢାଉ କରଣ, ଛତିଶା ନିଯୋଗ ମହାନାୟକଙ୍କ ସହ ମୁଖ୍ୟ ପ୍ରଶାସକ ଆଲୋଚନା କରିଥିଲେ  । ରାଜ୍ୟ ସରକାର ଏହି ଧାର୍ମିକ ବିବାଦୀୟ ପ୍ରସଙ୍ଗରେ ହସ୍ତକ୍ଷେପ କରି ସମାଧାନ କରିବାକୁ ସେବାୟତମାନେ ମତ ରଖିଥିଲେ  । ସେମାନେ କହିଥିଲେଯେ, ଯେକୌଣସି ସେବାୟତ ମହାପ୍ରଭୁଙ୍କୁ ନେଇ ବିବାଦୀୟ ମତ ରଖିବା ଏବଂ କାର୍ଯ୍ୟ କରିବା ନିନ୍ଦନୀୟ  । ଦୀଘାରେ ମନ୍ଦିର ପ୍ରତିଷ୍ଠା ହୋଇଥିବା ବେଳେ ସିଂହାସନ ଉପରେ ଉଭୟ ପଥର ଓ ନିମ୍ବକାଠ ମୂର୍ତ୍ତି ବିଜେ କରିବା ରାଜ୍ୟ ତଥା ଦେଶପ୍ରତି ବିପଦ ସୃଷ୍ଟି କରିବ ବୋଲି ମତ ପ୍ରକାଶ ପାଇଥିଲା  ।
ଦ୍ୱିତୀୟ ପର୍ଯ୍ୟାୟରେ ୪ ବାଡ଼ଗ୍ରାହୀଙ୍କ ମଧ୍ୟରୁ ୩ ବାଡ଼ଗ୍ରାହୀଙ୍କ ଉପସ୍ଥିତିରେ ମୁଖ୍ୟ ପ୍ରଶାସକ ଆଲୋଚନା କରିଥିଲେ  । ଜଗନ୍ନାଥଙ୍କ ବାଡ଼ଗ୍ରାହୀଙ୍କ ପୁତ୍ର ରାଜା ଦାସମହାପାତ୍ର, ସୁଭଦ୍ରାଙ୍କ ବାଡ଼ଗ୍ରାହୀ ରାମଚନ୍ଦ୍ର ଦାସମହାପାତ୍ର ଓ ବଳଭଦ୍ରଙ୍କ ବାଡ଼ଗ୍ରାହୀ ହଳଧର ଦାସମହାପାତ୍ରଙ୍କୁ ମୁଖ୍ୟ ପ୍ରଶାସକ ୪ଟି ପ୍ରଶ୍ନ କରିଥିଲେ । ପ୍ରଥମଟି ହେଲା ଦୀଘା ଜଗନ୍ନାଥ ମନ୍ଦିରର ନାମକରଣ କରାଯାଇଛି ‘ଜଗନ୍ନାଥ ଧାମ’ ତାହା କେତେଦୂର ଯୁକ୍ତିଯୁକ୍ତ ? ବାଡ଼ଗ୍ରାହୀମାନେ ଉତ୍ତରରେ କହିଥିଲେ ସନାତନ ଧର୍ମରେ ୪ ଯୁଗରେ ୪ ଧାମ ଦ୍ୱାରିକାନାଥ, ବଦ୍ରିନାଥ, ରାମନାଥ ଓ ଜଗନ୍ନାଥ ଧାମ ପ୍ରତିଷ୍ଠିତ ହୋଇଛି  । ପୁରୀ ‘ଜଗନ୍ନାଥ ଧାମ’ ନାମରେ ସର୍ବତ୍ର ବିଦିତ । ତେଣୁ ଆଉ କେହି ଜଗନ୍ନାଥ ଧାମ ଉଲ୍ଲେଖ କରିପାରିବେ ନାହିଁ । ମୁଖ୍ୟ ପ୍ରଶାସକ ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରନ୍ତୁ । ରାଜ୍ୟ ସରକାର ପଶ୍ଚିମବଙ୍ଗ ସରକାରଙ୍କୁ ଚିଠି ଲେଖି ଏହାର ସମାଧାନ କରନ୍ତୁ । 
ଦ୍ୱିତୀୟ ପ୍ରଶ୍ନ ଥିଲା ଶ୍ରୀମନ୍ଦିରରୁ ବଳକା ଦାରୁ ଦୀଘାକୁ ଯାଇଛି କି ? ବାଡ଼ଗ୍ରାହୀମାନେ କହିଥିଲେଯେ, ଦାରୁଘରୁ ଦାରୁ ନେବାର କୌଣସି ସୁବିଧା ନାହିଁ । ଯଦି ରାମକୃଷ୍ଣ ଦାସମହାପାତ୍ର ଦାରୁ ନେଇଛନ୍ତି ବୋଲି ଅଭିଯୋଗ ହେଉଛି ତେବେ ତାଙ୍କୁ ଡ଼ାକି ପଚାରିପାରନ୍ତି  । ସେ ଉତ୍ତର ରଖିବେ । ପଥରରେ ଜଗନ୍ନାଥ ମୂର୍ତ୍ତି ହେବା ଶାସ୍ତ୍ର ବିରୋଧୀ  । ତୃତୀୟ ପ୍ରଶ୍ନ ଥିଲା ଦୀଘା ଜଗନ୍ନାଥ ମନ୍ଦିରକୁ ସେବାୟତ ଯିବା କେତେଦୂର ସମୀଚିନ? ବାଡ଼ଗ୍ରାହୀମାନେ କହିଥିଲେ ଯେହେତୁ ପଥରରେ ନିର୍ମିତ ମୂର୍ତ୍ତି ସେଠାରେ ସିଂହାସନାରୂଢ ହୋଇଛନ୍ତି ଆମର ସେଠାକୁ ଯିବା ଅନୁଚିତ  । ଯେହେତୁ ମମତା ବାନାର୍ଜୀ ରାମକୃଷ୍ଣ ଦାସମହାପାତ୍ରଙ୍କ ଯଜମାନ ତେଣ ସେ ନିମନ୍ତ୍ରଣ ପାଇ ଯାଇଥିଲେ  । ଚତୁର୍ଥ ପ୍ରଶ୍ନ ଥିଲା ବିବାଦର ସମାଧାନ କଣ ? ବାଡ଼ଗ୍ରାହୀମାନେ ଉତ୍ତର ରଖିଥିଲେ ମହାପ୍ରଭୁଙ୍କ ଦାରୁ ଦଇତାପତି ନିଯୋଗର ଦାୟିତ୍ୱ  । ଦାରୁ ଘରୁ ଦାରୁ ବାହାରକୁ ଯାଇନାହିଁ  । ଯଦି ଯାଇଛି କୁହାଯାଉଛି ତା’ର ଉତ୍ତର ରାମକୃଷ୍ଣ ଦେଇପାରିବେ । ତୃତୀୟ ପର୍ଯ୍ୟାୟରେ ରଥ ନିର୍ମାଣକାରୀ ୩ ବିଶ୍ୱକର୍ମା ମହାରଣାଙ୍କ ସହ ଆଲୋଚନା କରାଯାଇଥିଲା  । ବଳକା ରହିଥିବା କାଠରେ ବିଗ୍ରହ ନିର୍ମାଣ ସମ୍ଭବ ନୁହେଁ ବୋଲି ବିଶ୍ୱକର୍ମା ମହାରଣାମାନେ ମତ ରଖିଥିଲେ  । ବୈଠକ ପରେ ନନ୍ଦିଘୋଷ ରଥର ମୁଖ୍ୟ ବିଶ୍ୱକର୍ମା ବିଜୟ ମହାପାତ୍ର ପ୍ରତିକ୍ରିୟାରେ କହିଛନ୍ତିଯେ, ଆମେ ମୁଖ୍ୟ ମହାରଣାମାନେ ଦୃଢତାର ସହିତ ପ୍ରକାଶ କରୁଛୁ ନବକଳେବର ପରେ ବଳକା ଦାରୁ ଖଣ୍ଡ କାଠରେ ମୂର୍ତ୍ତି ନିର୍ମାଣ ଅସମ୍ଭବ  । ବିଗ୍ରହ ନିର୍ମାଣ ପରେ ବଳକା ଦାରୁ କାଠ ଦଇତାପତି ନିଯୋଗଙ୍କ ହେପାଜତରେ ରହିଥାଏ । ବଳକା କାଠରେ ମୂର୍ତ୍ତି ନିର୍ମାଣ ସଂପୂର୍ଣ୍ଣ ମିଥ୍ୟା । ରାମକୃଷ୍ଣ ଦାସମହାପାତ୍ର ବାହାରୁ କେଉଁଠାରୁ ମୂର୍ତ୍ତି କିଣି ନେଇଥିଲେ ବୋଲି ଆମେ ଅନୁମାନ କରୁଛୁ  । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ପ୍ରସଙ୍ଗ ଉପରେ ରବିବାର ଅପରାହ୍ନ ୫ଟା ସୁଦ୍ଧା ମତାମତ ଦେବା ପାଇଁ ସମସ୍ତ ନିଯୋଗକୁ ପତ୍ର ମାଧ୍ୟମରେ ନିବେଦନ କରାଯାଇଛି  । ଆଜିର ବୈଠକରେ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ, ଉନ୍ନୟନ ପ୍ରଶାସକ, ସୁରକ୍ଷା ପ୍ରଶାସକ ଓ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ ।