ଚିଙ୍ଗୁଡ଼ି କମ୍ପାନୀର ବିଷାକ୍ତ ପାଣିରେ ଚାଷ ଜମି ନଷ୍ଟ

 ନୀଳଗିରି: ନୀଳଗିରି ନିର୍ବାଚନ ମଣ୍ଡଳୀ ତଥା ଖନ୍ତାପଡ଼ା ଥାନା ଅଧିନ ବାଉଁଶମୁହାଁ ଓ ଶଙ୍ଗୁଆ ଗ୍ରାମରେ ଥିବା ଏକାଧିକ ଚାଷୀଙ୍କର ଚିଙ୍ଗୁଡ଼ି କମ୍ପାନୀରୁ ବିଷାକ୍ତ ପାଣି ଆସି ୧୫ ଏକରରୁ ଊଦ୍ଧ୍ୱର୍ ଜମି ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି । ନିକଟରେ ଥିବା ହାଇଲାଣ୍ଡ ଏଗ୍ରେ ଫୁଡ୍ ପ୍ରାଇଭେଟ ଲିମିଟେଡରୁ ନିର୍ଗତ ହେଉଥିବା ବିଷାକ୍ତ ପାଣି ଆସି ସେଥିରେ ମିଶିବା ଦ୍ୱାରା ଚାଷ ଜମି ନଷ୍ଟ ହୋଇଛି । ଏପରିକି ଗ୍ରାମବାସୀ ନିଜ ଚାଷ ଜମିରେ ଚାଷ କରିଥିଲେ ହେଁ ପ୍ରତିବର୍ଷ ଏଭଳି ନଷ୍ଟ ହେବା ଦ୍ୱାରା ଚାଷୀଙ୍କ ମୁଣ୍ଡରେ ଚଡକ ପଡିଛି । ଏଥିପ୍ରତି କମ୍ପାନୀ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁ ନଥିବାବେଳେ ପ୍ରତିବଦଳରେ ଧମକ ଚମକ ଦେଉଥିବା ନେଇ ସିଧା ସଳଖ ବାଲେଶ୍ୱର ଜିଲ୍ଲାପାଳଙ୍କ ଠାରେ ଲିଖିତ ଅଭିଯୋଗ ହେଉଛି । ବିଶେଷ କରି ଶଙ୍ଗୁଆ ଗ୍ରାମର ବୁଦ୍ଧିରାମ ନାୟକଙ୍କ ପୁଅ ଭାସ୍କର ନାୟକ ନିଜର ଚାଷଜମିର ଖାହା ନମ୍ବର ୧୩୮/ ୧୯୨ ଓ ପ୍ଲଟ ନମ୍ବର ୬୨୪/୬୨୯ରେ ୨୪ ଡ଼ିସିମିଲ ଜମିରେ ଧାନ ଚାଷ ସମ୍ପୂର୍ଣ୍ଣ  ନଷ୍ଟ ହୋଇଯାଇଛି । ସେହିପରି ସୋମନାଥ ନାୟକଙ୍କର ୧୩୮ ନମ୍ବର ଖାତାଟି ଚାଷ ଜମି ଥିବାବେଳେ ସେଥିରେ ମଧ୍ୟ ଚାଷ ହୋଇ ନଷ୍ଟ ହୋଇଯାଇଛି । ବିଶେଷ କରି ବାଉଁଶ ମୁଁହା ଗ୍ରାମର ସମରେନ୍ଦ୍ର ମହାପାତ୍ରଙ୍କ ନିଜର ମୋଟ ଚାଷ ଜମି ଏକ ଏକର ଦଶ ଡ଼ିସିମିଲ (୧.୧୦) ଜମି ଥିବାବେଳେ ତାକୁ ଚାଷ କରି ଚାରିପ୍ରାଣୀ କୁଟୁମ୍ବ ଚଳାନ୍ତି । କିନ୍ତୁ କ୍ଷେତରେ ଧାନ ଚାଷ ସମ୍ପୂର୍ଣ୍ଣ ନଷ୍ଟ ହେବା ଫଳରେ ଏବେ ସମରେନ୍ଦ୍ର ନିଜର ଆଖିର ଲୁହକୁ ଅଟକାଇ ପାରୁନାହାନ୍ତି । ଚାଷୀ ନିଜର ମୁଣ୍ଡ ଝାଳ ତୁଣ୍ଡରେ ମାରି ଧାନ ଚାଷ କରୁଥିବା ବେଳେ ଅମଳ ସମୟରେ ଏହି କମ୍ପାନୀରୁ ନିର୍ଗତ ହେଉଥିବା ବିଷାକ୍ତ ଜଳ ଚାଷ ଜମିରେ ମାଡ଼ି ନଷ୍ଟ ହେଉଛି । ଏ ନେଇ ବିଲରେ କାମ କରୁଥିବା ଲୋକଙ୍କୁ ବିଭିନ୍ନ ପ୍ରକାର ଚର୍ମ ରୋଗ ହେଉଛି । ମାତ୍ର ପ୍ରଶାସନ ନିରବଦ୍ରଷ୍ଟା ସାଜିବା ସମସ୍ତଙ୍କୁ ଚକିତ କରିଛି । ତେବେ ଏ ବାବଦରେ ହାଇଲାଣ୍ଡ ଆଗ୍ରୋ ଫୁଡ୍ ପ୍ରାଇଭେଟ ଲିମିଟେଡ଼ର ମ୍ୟାନେଜରଙ୍କୁ ଘଟଣା ବାବଦରେ ଯୋଗାଯୋଗ କରିଥିଲେ ସୁଦ୍ଧା ଯୋଗାଯୋଗ ସମ୍ଭବ ପର ହୋଇପାରିନଥିଲା । ତେଣୁ ଜିଲ୍ଲାପାଳ କ୍ଷୟକ୍ଷତି ହୋଇଥିବା ଚାଷୀଙ୍କର ଆକଳନ କରି ଉଚିତ୍ ମୂଲ୍ୟ ଦେବା ସହିତ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଚାଷୀମାନେ ଦାବି କରିଛନ୍ତି ।