ବିଡିଓଙ୍କୁ ଘେରିଲା ବିଜେପି : ବ୍ଲକରୁ ଫାଇଲ ଗାଏବ

 ଆନନ୍ଦପୁର : ଆନନ୍ଦପୁର ବ୍ଳକରୁ ଫାଇଲ ଗାଏବ ହୋଇଯାଇଛି । ବୁଧବାର ଏଭଳି ସାଂଘାତିକ ଅଭିଯୋଗ ଆଣି ବିଡ଼ିଓଙ୍କୁ ଘେରିଥିଲେ ବିଜେପି ନେତୃମଣ୍ଡଳୀ । ସାଂସଦଙ୍କ ବ୍ଲକ ପ୍ରତିନିଧି ଟୁକୁନା ମହାନ୍ତ, ଜିଲା ପରିଷଦ ସଦସ୍ୟା ଅସୀମା ମିଶ୍ରଙ୍କ ନେତୃତ୍ୱରେ ବିଡ଼ିଓଙ୍କୁ ଘେରିଥିବା ନେତୃମଣ୍ଡଳୀ ଅଭିଯୋଗ କରିଥିଲେ କି ନିର୍ଦିଷ୍ଟ ରାଜନୈତିକ ଦଳର ପ୍ରଭାବଶାଳୀ ବ୍ୟକ୍ତି କିଛି ପଂଚାୟତର ବିକାଶ ମୂଳକ ଫାଇଲ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କ ନିକଟରୁ ଛଡାଇ ନେଇଯାଇଛନ୍ତି । ଏଭଳି ଅଭିଯୋଗ ଆଣି ଆଜି  ବିଜେପି ପ୍ରତିନଧି ମଣ୍ଡଳୀ ବିଡ଼ିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ବିଡ଼ିଓ ମନୋଜ କୁମାର ମହାନ୍ତଙ୍କୁ ପଚାରିବାରୁ ସେ କିଛି ଜାଣି ନଥିବା କହିଥିବା ବେଳେ ଏବେ ଜାଣିବା ପରେ ସେ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କ ନିକଟରୁ କୈଫତ ତଲବ କରିଛନ୍ତି । ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀ ଉତର ରଖିବା ପରେ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ ବୋଲି କହିଛନ୍ତି । ସେହିପରି ଘଟଣା ସମ୍ପର୍କରେ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରୁ ଘଟଣାର ସତ୍ୟତା ରହିଥିବା କହିଥିବା ବେଳେ ତାଙ୍କ ନିକଟରୁ ସେହି ରାଜନୈତିକ ବ୍ୟକ୍ତି ତାଙ୍କ ନିକଟରୁ ଫାଇଲ ନେଇଯାଇଥିବା ସ୍ୱୀକାର କରିଛନ୍ତି । ଏନେଇ ସେ ବିଡ଼ିଓଙ୍କୁ ଅବଗତ କରାଇଛନ୍ତି ବୋଲି କହିଛନ୍ତି । ତେବେ ପ୍ରକୃତ ଅନୁସନ୍ଧାନ ହେଲେ ଘଟଣାର ସତ୍ୟତା ପଦାକୁ ଆସିବ ବୋଲି କୁହାଯାଇଛି ।