ଚାରି ହାତିଆ ଜରିପାଲ ତଳେ ଜୀବିକା
ାା ଯାଜପୁରରୁ ଶରତ ପଥାଳ ।ା
କି ଖରା କି ବର୍ଷା, କି ଶୀତ କି କାକର । ବର୍ଷକ ବାରମାସ ଚାରି ହାତିଆ ଜରୀପାଲ ତଳେ ବସିଥାନ୍ତି । ଆଉ ଯେତେ ବେଳେ ଯାହା ମିଳିଲା ଆଣି ବିକ୍ରି କରିଥାନ୍ତି । କେତେ ବେଳେ ଗୁଡ଼ାଖୁ-ଦାନ୍ତକାଠି ତ କେତେ ବେଳେ କମଳା-ଓଉ । ତା ସାଙ୍ଗକୁ ଗୁଣ୍ଡି ଆଉ ଶାଳପତର ତ କେତେ ବେଳେ ଫଳ ଫୁଲୁରି । କୌଣସି ନିର୍ଦ୍ଧିଷ୍ଟ ବ୍ୟବସାୟ କରିବାର ଦେଖାଯାଏନି । ହେଲେ ରାତି ପାହିଲେ ପସରାକୁ ସାଜସଜା କରି ବେପାର ମେଲାଇଥାନ୍ତି ପାଚୋରୀକୁ ଲଗାଇ ବାନ୍ଧିଥିବା ଚାରି ହାତିଆ ଜରୀପାଲ ତଳେ । ୪ଚକିଆ ଗାଡ଼ି ହେଉ କି ବାଇକ ବା ସାଇକଲ ଆରୋହୀଙ୍କ ଠାରୁ ଆରମ୍ଭ କରି ପଦଯାତ୍ରୀଙ୍କ ନଜର ପଡ଼ିଥାଏ ତାଙ୍କ ଉପରେ ଏବଂ ମେଲିଥିବା ପସରା ଉପରେ । କେହି କେହି ଅଟକି ଆବଶ୍ୟକତା ମତେ ଗୁଣ୍ଡି କି ଗୁଡ଼ାଖୁ ବା କମଳା ବା ଅନ୍ୟଯାହା ହେଉ କିଣି ବେପାରୀଙ୍କ ହାତକୁ ବଢାଇ ଦେଇଥାନ୍ତି । କିନ୍ତୁ ପ୍ରାୟତ ରାସ୍ତାକଡ଼ର ଜରୀପାଲ ତଳେ ଖୋଲିଥିବା ପସରା ଉପରେ ନଜର ପକାଉଥିଲେ ହେଁ ଅଟକିବାକୁ ଇଛା କରିନଥାନ୍ତି । କାରଣରୁ ବେପାରୀ ଜଣକ ବିକ୍ରି କରୁଥିବା ସାମଗ୍ରୀ ଅନେକଙ୍କ ପାଇଁ ଅନାବଶ୍ୟକ ହୋଇଥାଏ । କିନ୍ତୁ ସେପରି ସ୍ଥଳେ ଗରୀବ ବେପାରୀଙ୍କ ପାଖରେ ଖଟିଖିଆ ଗରୀବ ଖାଉଟୀ ପହଁଚିଥାନ୍ତି । ଦିନ ତମାମ ବସିବସି ଶହେରୁ ଦେଢଶହ ଟଙ୍କା ବିକ୍ରି କରିଥାନ୍ତି । ମହାଜନ ମୂଳଧନ ରଖିବା ପରେ ହାତରେ ୭୦/୭୫ଟଙ୍କା ରହିଥାଏ । ସେଇଥିରେ ସକାଳ ଜଳଖିଆ ମଧ୍ୟାହ୍ନ ଭୋଜନ ଏବଂ ରାତ୍ର ଖାଦ୍ୟ ସହ ଅନ୍ୟାନ୍ୟ ଖର୍ଚ୍ଚ କରିଥାନ୍ତି । ଏତକ ଟଙ୍କାରେ ଆଜିକାଲି ଦିନରେ ଚଳିବା କଷ୍ଟକର କି ନୁହେଁ କାହାକୁ ଅଛପା ନଥିବ । କିନ୍ତୁ ଆହାର କେନ୍ଦ୍ରର ୫ଟଙ୍କିଆ ଭାତ-ଡ଼ାଲମା ପାଇଁ ଜରୀପାଲ ତଳେ ଜୀବୀକା ଅର୍ଜନ କରୁଥିବା ମନୋଜ ଭାରତୀଙ୍କୁୂ ସହାୟ ହୋଇପାରିଛି । ଦିନରେ ୫ଟଙ୍କାରେ ପେଟେ ଖାଉଥିବା ମନୋଜ ରାତିରେ ଭାତ ତରକାରୀ ଖାଇ ଜୀବନ ଜିଇଁଛନ୍ତି । ହେଲେ ମନରେ ସୁହାଗ ନାହିଁ । ମନୋଜ ଭାରତୀ । ବୟସ ୫୬ ବୋଲି କୁହନ୍ତି । ଛୁଆ ବେଳେ ପୈାରାଞ୍ଚଳ ବୀଣାପାଣି ସାହିରେ ରହୁଥିଲେ । ହେଲେ ତାଙ୍କ ବାପା ଦୁର୍ଯେ୍ୟାଧନଙ୍କ ପରଲୋକ ପରେ ପୈତୃକ ସଂପତ୍ତି ନଥିବା କାରଣରୁ କୋରେଇ ବ୍ଲକ ଛୋଟରାୟପୁର ଗ୍ରାମର ଶାଳଖୁଣ୍ଟାସାହିରେ ଯାଇ ବସବାସ କଲେ । ସ୍ତ୍ରୀ ପିଲାଛୁଆ ସହ ଶାଳଖୁଂଟାରେ ରହୁଥିବା ବେଳେ ପାରିବାରିକ ଅଶାନ୍ତିରୁ ଏକୁଟିଆ ହୋଇଗଲେ । ଦୀର୍ଘ ୧୦ବର୍ଷ ହେଲା ଏକଲା ଚଲୋ ନୀତିକୁ ଆପଣାଇଥିବା ମନୋଜ କେତେ ବେଳେ ମାର୍କେଟ ତ କେତେ ବେଳେ ରେଳଫାଟ କଡ଼େ ବସି ବେପାର କରିଥାନ୍ତି । କିନ୍ତୁ ରେଳ ଫାଟକ ବନ୍ଦ ପରେ ବର୍ଷରୁ ଅଧିକ ହେବ, ଗୋପବନ୍ଧୁ ଛକରୁ ନହକା ବାଇପାସକୁ ପଡ଼ିଥିବା ରାସ୍ତାକଡ଼େ ଜରୀପାଲ ମାରି ବେପାର କରୁଛନ୍ତି । ହୋଟେଲ ଭୀମସେନର ପାଚେରୀକୁ ଲଗାଇ ୪ଫୁଟିଆ ଜରୀଟିଏ ମାରି ତାରି ତଳେ ପ୍ରତ୍ୟେକ ଦିନ ଜୀବୀକା ଖୋଜି ଚାଲିଥାନ୍ତି । କେହିବି ଦେଖିଲେ ବିଶ୍ୱାସ କରିବନି, ଏଠାରେ ଜଣେ ପସରା ମେଲାଣି ଜୀବୀକା ଅର୍ଜନ ଅପେକ୍ଷାରେ ଗ୍ରାହକଙ୍କୁ ଅପେକ୍ଷା କରି ବସିଛନ୍ତି । ୪ ହାତିଆ ଜରୀପାଲ ତଳେ ବସିଥିବା ମନୋଜଙ୍କୁ ବର୍ଷା, ଖରାର ଖାତିର ନଥାଏ । ବର୍ଷା ହେଲେ ନିଜକୁ କୈାଣସି ମତେ ଭିଜିବାରୁ ବର୍ତିବାକୁ ଚେଷ୍ଠା କରିଥାନ୍ତି । ପ୍ରଖର ଖରାକୁ ବି ମନୋଜ ଖାତିର କରିନଥାନ୍ତି । ଯେଉଁଠି ଗ୍ରାହକ ଜଣେ ଠିଆ ହେବାକୁ ମନ ବଳାଇ ନଥାନ୍ତି, ସେଠି କିନ୍ତୁ ମନୋଜ ସକାଳୁ ସଂଜ ପର୍ଯ୍ୟନ୍ତ ଗ୍ରାହକଙ୍କୁ ଅନାଇ ରହିଥାନ୍ତି । ଦିନକୁ ୭୦ରୁ ୭୫ ଟଙ୍କା ରୋଜଗାର କରୁଥିବା ମନୋଜ ସେତିକିରେ ଆତ୍ମ ସନ୍ତୋଷ ଲାଭ କରିଥାନ୍ତି । ମନୋଜଙ୍କ କହିବା କଥା ତାଙ୍କର ଜମିବାଡ଼ି ନଥିବା ବେଳେ କେବଳ ଭୋଟର ପରିଚୟ ପତ୍ର ରହିଛି । କିନ୍ତୁ ଆଧାର ନାହିଁ । ଏଣୁ ଯାହା ସରକାରୀ ସହାୟତା ମିଳିବା କଥା ମିଳିପାରୁନି । କାହାର ଟେକା ହାତକୁ ଅପେକ୍ଷା କରୁନଥିବା ମନୋଜ ଚାରି ହାତିଆ ଜରୀପାଲ ତଳେ ଜୀବୀକା ସହ ଜୀବନ ବିତାଉଛନ୍ତି । ପ୍ରଶାସନର ସୁନଜର ପଡ଼ିଲେ ମନୋଜ ସରକାରୀ ସହାୟତା ପାଇବାରେ ଅସୁବିଧା ରହନ୍ତା ନାହିଁ ।