ଚିନିଶିଳ୍ପ ପକ୍ଷରୁ ଚାଷୀଙ୍କୁ ୧୨.୬୬ କୋଟି ଟଙ୍କା ପ୍ରଦାନ
ଆସିକା : ଆସିକା ସମବାୟ ଚିନିଶିଳ୍ପ ଆମ ରାଜ୍ୟର ତଥା ଦେଶର ଏକ ବହୁ ପୁରାତନ କୃଷିଭିତିକ ଶିଳ୍ପ ପାଇଁ ପ୍ରସିଦ୍ଧ । ଆଖୁ ଚାଷୀମାନେ ହେଉଛନ୍ତି ଶିଳ୍ପର ମେରୁଦଣ୍ଡ । ଏହା ଏକ କୃଷିଭିତିକ ଶିଳ୍ପ ହୋଇଥିବା ଯୋଗୁଁ ଏହା ଦ୍ୱାରା ଅନେକ ଆଖୁଚାଷୀ, କୃଷି, ଶ୍ରମିକ, ପରିବହନ ସଂସ୍କାର କର୍ମଚାରୀ ଏବଂ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ସହିତ ସଂଶ୍ଳିଷ୍ଟ । ଜନସାଧାରଣ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ନିଯୁକ୍ତି ସୁଯୋଗ ପାଇଥିଲେ । ଚଳିତ ଆଖୁ ପେଡା ଋତୁରେ ଜାନୁଆରୀ ୧୭ ତାରିଖରୁ ଆରମ୍ଭ ହୋଇ ଫେବୃଆରୀ ୨୧ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ମୋଟ ୩୫ ଦିନ ଆଖୁ ପେଢା ସମୟରେ ହାରାହାରି ୧୫୦୦ ଚାଷୀ ପ୍ରାୟ ୨ ହଜାର ଏକର ଚାଷ ଜମିରେ ଆଖୁ ଚାଷ କରି କାରଖାନାକୁ ଆଖୁ ଯୋଗାଇ ଥିଲେ । ଚଳିତ ବର୍ଷ ମୋଟ ୩୪ ହଜାର ୩୧୦ ମେଟ୍ରିକ ଟନ ଆଖୁ ପେଡା ହୋଇଥିଲା । ସେଥିରୁ ୨୨ ହଜାର ୮୩୯ କୁଇଣ୍ଟାଲ ଚିନି ଉତ୍ପାଦନ ହୋଇଥିବା ସୂଚନା ମିଳିଛି । ବର୍ତ୍ତମାନ କାରଖାନାରେ ୪୫ ହଜାର ୬୭୮ ବସ୍ତା ଚିନି ମହଜୁଦ ରହିଥିବା କୁହାଯାଉଛି । ଆସିକା ଚିନି କାରଖାନା ପକ୍ଷରୁ ପରିଚାଳନା ନିଦେ୍ର୍ଦଶକ ସୁଶାନ୍ତ କୁମାର ପଣ୍ଡା ଓ ପରିଚାଳନା ପରିଷଦର ସଭାପତି ରବୀନ୍ଦ୍ର ପଣ୍ଡାଙ୍କ ପ୍ରତୋକ୍ଷ ତତ୍ୱାବଧାନରେ ସମସ୍ତ ଆଖୁ ଚାଷୀଙ୍କୁ ସେମାନଙ୍କ ମୂଲ୍ୟ ବାବଦକୁ ୧୨ କୋଟି, ୬୬ ଲକ୍ଷ ୬୬ ହଜାର ୫୦୦ ଟଙ୍କା ମୋଟ ତିନି ଗୋଟି କିସ୍ତିରେ ପୈଠ କରିଥିଲେ । ଆଖୁଚାଷୀଙ୍କ ସର୍ବାଙ୍ଗୀନ କଲ୍ୟାଣ ନିମନ୍ତେ ଆସିକା ସମବାୟ ଚିନିଶିଳ୍ପ କର୍ତ୍ତୃପକ୍ଷ ଓ ରାଜ୍ୟ ସରକାରଙ୍କ କୃଷିବିଭାଗ ତରଫରୁ ବହୁ ଉନ୍ନୟନମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଆଖୁଚାଷୀଙ୍କୁ ବିଭିନ୍ନ ଜାତୀୟ କରଣ ବ୍ୟାଙ୍କ, ଗ୍ରାମ୍ୟ ବ୍ୟାଙ୍କ ଓ ସମବାୟ ବ୍ୟାଙ୍କ ମାଧ୍ୟମରେ ଆଖୁଚାଷ ନିମନ୍ତେ ଫସଲ ଋଣ ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯାଇଅଛି । ଧୀରେ ଧୀରେ ଆଖୁଚାଷ ରପ୍ରସାର ହୋଇ ଆମେ ଅଗ୍ରସର ହେବା ନିମନ୍ତେ ସମୂହ ଚେଷ୍ଟା ଜାରି ରଖିଛନ୍ତି । ଗ୍ରାମାଂଚଳରେ କୃଷି ଶ୍ରମିକଙ୍କ ଅଭାବ, ଚାଷ ଜମିରେ ଜଳ ସେଚନର ଅଭାବ ଯୋଗୁଁ ଆଖୁଚାଷ ହ୍ରାସ ପାଇଛି । ତଥାପି ବିଭିନ୍ନ ବାଧାବିଘ୍ନ ସତ୍ତ୍ୱେ ଆଖୁଚାଷର ପ୍ରସାର ପାଇଁ ଚିନିଶିଳ୍ପ ତରଫରୁ ଉଦ୍ୟମ ଅବ୍ୟାହତ ରହିବ ବୋଲି ପରିଚାଳନା ନିଦେ୍ର୍ଦଶକ ସୁଶାନ୍ତ କୁମାର ପଣ୍ଡା ଓ ପରିଚାଳନା ପରିଷଦର ସଭାପତି ରବୀନ୍ଦ୍ର ପଣ୍ଡା ପ୍ରକାଶ କରିଛନ୍ତି ।