ବ୍ଲକରେ ସମିତି ସଭ୍ୟଙ୍କୁ ଆକ୍ରମଣ : ଅଭିଯୁକ୍ତକୁ ଗିରଫ ଦାବିରେ ଥାନା ଘେରାଉ
କୋରେଇ : କୋରେଇ ବ୍ଲକକୁ ଯାଇଥିବା ଜନୈକ ସମିତିସଭ୍ୟଙ୍କୁ ଆକ୍ରମଣ ହୋଇଥିବା ବେଳେ ଅଭିଯୁକ୍ତଙ୍କ ଗିରଫ ଦାବିରେ ପଞ୍ଚାୟତ ପ୍ରତିନିଧି ଥାନା ଘେରିଥିଲେ । ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ ତଣ୍ଡରା ପଞ୍ଚାୟତ ସମିତିସଭ୍ୟ ସଦାଶିବ ରାଉତ ପଞ୍ଚାୟତର ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଅନ୍ୟଦୁଇ ପଞ୍ଚାୟତ ସମିତିସଭ୍ୟାଙ୍କ ସ୍ୱାମୀଙ୍କ ଉପସ୍ଥିତିରେ ବ୍ଲକ ଅଧ୍ୟକ୍ଷା ଜୟନ୍ତୀ ଦଳାଇଙ୍କ ସହ ଆଲୋଚନା କରୁଥିବା ସମୟରେ ସ୍ଥାନୀୟ ଅଞ୍ଚଳର ପ୍ରତାପ ବେହେରା, ଚନ୍ଦନ ଖିଲାର, ସୁବ୍ରତ ସେଠୀ ଓ ଦୁର୍ଯେ୍ୟାଧନ ସେଠୀ ହଠାତ ସେଠାରେ ପହଁଚି ଅଶ୍ରାବ୍ୟ ଭାଷାରେ ଗାଳି କରିବା ସହ ତଳି ପେଟ ଓ ଗୁପ୍ତାଙ୍ଗକୁ ଗୋଇଠା ମାରିଥିଲେ । ପରେ ତାଙ୍କ ନିକଟରେ ଥିବା ୨୩୦୦ଟଙ୍କା ଓ ପିନ୍ଧିଥିବା ଏକ ସୁନା ଚେନ ଝାମ୍ପି ନେଇଥିଲେ । ସୁବ୍ରତଙ୍କ ଆକ୍ରମଣରେ ସଦାଶିବଙ୍କ ଗାଲରେ କ୍ଷତ ସୃଷ୍ଟି ହୋଇଥିବା ବେଳେ ସେ ଆହତ ହୋଇଥିଲେ । ଅଭିଯୋଗରେ ସଦାଶିବ ଅଭିଯୁକ୍ତ ତାଙ୍କୁ ଜୀବନରୁ ତାଙ୍କୁ ମାରି ଦେବାକୁ ଧମକ ଦେଇଛନ୍ତି ବୋଲି ଦର୍ଶାଇଛନ୍ତି । ଅନ୍ୟପକ୍ଷରେ ଚନ୍ଦନ ଖିଲାର ଓ ସୁବ୍ରତ ସେଠୀ ମଧ୍ୟ ସଦାଶିବ ସେମାନଙ୍କୁ ମାଡ଼ ମାରିବା ଓ ଗାଳି ଗୁଲଜ କରିଥିବା ନେଇ ଥାନାରେ ପାଲଟା ଅଭିଯୋଗ କରିଛନ୍ତି । ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଓ ଆହତ ସମିତିସଭ୍ୟଙ୍କୁ ନ୍ୟାୟ ପ୍ରଦାନ ପାଇଁ ବ୍ଲକ ଅଧ୍ୟକ୍ଷା ଜୟନ୍ତୀ ଦଳାଇଙ୍କ ନେତୃତ୍ୱରେ ବ୍ଲକ ଉପାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଦାଶ, ସରପଞ୍ଚ ରବୀନ୍ଦ୍ର କୁମାର ବେହେରା, ସନ୍ତୋଷ କୁମାର ସ୍ୱାଇଁ, ଗୌରୀଶଙ୍କର ମହାପାତ୍ର, ରାଜେନ୍ଦ୍ର କୁମାର ରାଉତ ରାୟ, ସମିତି ସଭ୍ୟ ଶମ୍ଭୁନାଥ ଜେନା, ସିତୁ ଜେନା, ମାନସ ମହାନ୍ତି, ସମିତି ସଭ୍ୟା ରଶ୍ମିତା କର, ପ୍ରିୟଙ୍କା ବରାଳଙ୍କ ସମେତ ବିଜେଡି ସମର୍ଥôତ ସରପଞ୍ଚ ଓ ସମିତିସଭ୍ୟ ସାମିଲ ହୋଇଥିଲେ । ଘଟଣା ସମ୍ପର୍କରେ ତଦନ୍ତକାରୀ ଅଧିକାରୀ ବାସୁଦେବ ପରିଡାଙ୍କୁ ପଚାରିବାରୁ ଉଭୟ ପକ୍ଷରୁ ହୋଇଥିବା ଅଭିଯୋଗକୁ ଆଧାର କରି ତଦନ୍ତ ଚାଲିଥିବା କହିଥିଲେ ।