ପତ୍ନୀ, ପୁଅ ଓ ଶାଳୀକୁ ଗୁଳିମାଡ଼ 

 ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ସଦର ଥାନା ଗୋବିନ୍ଦପୁର ଫାଣ୍ଡି ଅନ୍ତର୍ଗତ ତାଳବରକୋଟ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ସଂମ୍ପତ୍ତି ଲୋଭରେ  ଘରୋଇ କଳିରୁ ଜଣେ ଯୁବକ ଶୋଇଥିବା ଅବସ୍ଥାରେ  ନିଜ ସ୍ତ୍ରୀ, ପୁଅ, ଓ ଶାଳୀ  ଉପରକୁ ବନ୍ଧୁକରୁ ଗୁଳିମାଡ଼ କରିବା ସହ କଟୁରୀରେ ହାଣି ପକାଇଛି । ଗୁରୁତର ମାନଙ୍କୁ ଚିକିସôା ନିମନ୍ତେ  ପ୍ରଥମେ ଢେଙ୍କାନାଳ ଡାକ୍ତରଖାନା ଓ ପରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି । ପୁଲିସ୍ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଘଟଣା ସ୍ଥଳରୁ  ବନ୍ଧୁକ ଓ କଟୁରୀ ଜବତ କରିଛି ।
ସୂଚନା ଅନୁସାରେ, ସଦର ଥାନା ଗୋବିନ୍ଦପୁର ଫାଣ୍ଡି ଅନ୍ତର୍ଗତ ତାଳବରକୋଟ ଗ୍ରାମର ମାୟାଧର ବେହେରା (୫୦) ମାଣିପୁର ଗ୍ରାମର ରଘୁନାଥ ବେହେରାଙ୍କ ବଡ଼ଝିଅ କୈକେୟୀ ବେହେରା(୪୨) ଙ୍କୁ ବିବାହ କରିଥିଲେ । ଏହାପରେ କୈକେୟୀଙ୍କ ସାନଭଉଣୀକୁ ମାୟାଧରଙ୍କ ସାନଭାଇ ବିବାହ  କରିଥିଲେ । ଦୁଇଭଉଣୀ ଦୁଇଯାଆ ହୋଇଥିଲେ । ପରବର୍ତ୍ତୀ ସମୟରେ କୈକେୟୀଙ୍କ ମଝିଆଁ ଭଉଣୀ ସୁଭଦ୍ରା ବେହେରା ମାୟାଧରଙ୍କ ଘରେ ଆସି ରହୁଥିଲେ । ଶନିବାର ରାତିରେ କୈକେୟୀ, ତାଙ୍କପୁଅ ବନମାଳି ବେହେରା (୨୨), ମଝିଆ ଭଉଣୀ ସୁଭଦ୍ରା ଓ ସାନଭଉଣୀ ଲକ୍ଷ୍ମୀ ଗୋଟିଏ ଘରେ ଶୋଇଥିଲେ । ବିଳମ୍ବିତ ରାତିରେ ପୂର୍ବ ଘରୋଇ କଳହକୁ ନେଇ ସମ୍ପତି ଲୋଭରେ ମାୟାଧର ଏକ ବନ୍ଧୁକରୁ ସେମାନଙ୍କ ଉପରକୁ ଗୁଳି ଚଳାଇବା ସହ ପରେ ଏକ ତେଲେଙ୍ଗା କଟୁରୀରେ ସମସ୍ତଙ୍କୁ ହାଣିବାକୁ ଲାଗିଥିଲେ । ରକ୍ତମୁଖା ଭିଣୋଇ କବଳରୁ ସାନଶାଳୀ ଲକ୍ଷ୍ମୀ କୌଣସି ମତେ ଖସି ଆସି ନିଜ ସ୍ୱାମୀ ଓ ପରିବାରକୁ ଡାକିଥିଲା  । ପରିବାର ଲୋକେ ଚାଲିଆସିବାରୁ ମାୟାଧର ବନ୍ଧୁକ ଓ କଟୁରୀ ଛାଡ଼ି ଫେରାର୍ ହୋଇଯାଇଥିଲା ।
ଆହତମାନଙ୍କୁ ପ୍ରଥମେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିସôାଳୟରେ ଭର୍ତ୍ତି କରାଯାଇଥିଲା  । ଅବସ୍ଥା ଗୁରୁତର ଥିବାରୁ ପରେ ସମସ୍ତଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ରକ୍ତମୁଖା ଭିଣୋଇ କବଳରୁ ଖସି ଆସିଥିବା ସାନଶାଳୀ ଲକ୍ଷ୍ମୀ ରବିବାର ଅପରାହ୍ନରେ ଏ ନେଇ ପୁଲିସ୍ରେ ଏତଲା ଦେଇଥିଲା । ସଦର ଥାନା ଓ ଗୋବିନ୍ଦପୁର ଫାଣ୍ଡି ପୁଲିସ ପହଞ୍ଚୁ ତଦନ୍ତ କରିବା ସହ ଘର ମଧ୍ୟରୁ ଏକ  ବନ୍ଧୁକ ଓ  କଟୁରୀକୁ ଜବତ କରିଛି ।  ଘଟଣା ପରେ ଅଭିଯୁକ୍ତ ମାୟାଧର ନିକଟସ୍ଥ ଜଙ୍ଗଲରେ ଲୁଚି ରହିଥିବା ବେଳେ ପୁଲିସ୍ ଟିମ୍ ଚଢ଼ର କରି ତାକୁ କାବୁ କରିବା ସହ ଗିରଫ କରିଛି । ଅଭିଯୁକ୍ତକୁ ପଚରାଉଚୁରା ପରେ ସମ୍ପୂର୍ଣ୍ଣ ଘଟଣାର କାରଣ ଜଣାପଡିବ ବୋଲି ପୁଲିସ୍ କହିଛି ।