ଏହିସବୁ ଖାଦ୍ୟ ଏକାଠି ଖାଇବା ମନା

ଆଜିକାଲି ଯୁବପିଢ଼ିଙ୍କର ଫାଷ୍ଟଫୁଡ୍ ଜାତୀୟ ଖାଦ୍ୟ ପ୍ରତି ଆଗ୍ରହ କେତେ ଅଧିକ ତା' କିଏ ବା ନ ଜାଣେ! ଆଉ ଏଭଳି ଖାଦ୍ୟ ପରେ ଟିକେ କୋଲ୍ଡଡ୍ରିଂକ୍ସ ନ ହେଲେ ଯେମିତି ଖାଇବାର ମଜା ଅଧୁରା । ହେଲେ ଆପଣ ଜାଣନ୍ତିକି ପାଟିକୁ ସ୍ୱାଦିଷ୍ଟ ଲାଗୁଥିବା ଏଭଳି ଫୁଡ୍ କମ୍ବିନେଶନ ସ୍ୱାସ୍ଥ୍ୟ ପାଇଁ କେତେ ହାନିକାରକ! ଆସନ୍ତୁ ଜାଣିବା ଏଭଳି କେତେକ ଖାଦ୍ୟ ସମ୍ପର୍କରେ, ଯାହାକୁ ଏକାଠି ଖାଇବା ମନା...
କ୍ଷୀର ସହିତ ମାଛ: ଏହି ଦୁଇଟି ଖାଦ୍ୟ ଏକାଠି ଆଦୌ ଖାଇବା ଠିକ୍ ନୁହେଁ । କାରଣ ଆୟୁର୍ବେଦ ଅନୁଯାୟୀ କ୍ଷୀରର ଗୁଣ ଥଣ୍ଡା ହୋଇଥିବା ବେଳେ ମାଛ ଗରମ । ତେଣୁ ଏହି ଦୁଇ ଖାଦ୍ୟ ଏକାଠି ଖାଇଲେ ହଜମ କ୍ରିୟା ଏବଂ ରକ୍ତ ସଞ୍ଚାଳନ ବାଧାପ୍ରାପ୍ତ ହୋଇଥାଏ ।
ଚିଜ୍ଯୁକ୍ତ ଖାଦ୍ୟ ସହ କୋଲ୍ଡ ଡ୍ରିଙ୍କସ; ପିଜ୍ଜା, ସ୍ୟାଣ୍ଡୱିଚ୍, ବରଗର୍ ଆଦି ସହିତ କୋଲ୍ଡଡ୍ରିଙ୍କର କମ୍ବିନେଶନ୍ କାହାକୁ ବା ଭଲ ନ ଲାଗେ! ହେଲେ ଜାଣନ୍ତିକି, ଏହି ଦୁଇ ଖାଦ୍ୟ ଏକାଠି ଖାଇବା ଦ୍ୱାରା ବଦହଜମି, ପେଟରେ ଯନ୍ତ୍ରଣା, ଏସିଡିଟି ଭଳି ବିଭିନ୍ନ ପେଟ ସମସ୍ୟା ଦେଖାଦେଇଥାଏ । କାରଣ ଏଭଳି ଖାଦ୍ୟରେ ବ୍ୟବହାର ହେଉଥିବା ଚିଜ୍ କୋଲ୍ଡଡ୍ରିଂକ୍ସ ସହିତ ଆଦୌ ମିଶି ନ ଥାଏ । ଫଳରେ ଏଭଳି ଖାଦ୍ୟ ହଜମ ହେବା କଷ୍ଟ ହୋଇଥାଏ । ତେଣୁ ଏହି ଦୁଇ ଖାଦ୍ୟ ଏକାଠି ଖାଆନ୍ତୁ ନାହିଁ ।
ରନ୍ଧାଖାଦ୍ୟ ସହ ଫଳ: ଭାତ, ରୁଟି, ଡାଲି, ତରକାରି ଆଦି ଖାଦ୍ୟ ସହିତ ଅନେକେ ଫଳ ଖାଇବାକୁ ପସନ୍ଦ କରନ୍ତି । ହେଲେ ଜାଣନ୍ତି କି, ଫଳ ଖୁବ୍ଶୀଘ୍ର ହଜମ ହୋଇଯାଉଥିବା ବେଳେ ରନ୍ଧାଖାଦ୍ୟ ହଜମ ହେବାକୁ ଏହାଠାରୁ ଅଧିକ ସମୟ ଲାଗିଥାଏ । ବିଶେଷକରି ଆମିଷ ଖାଦ୍ୟ ହଜମ ହେବାକୁ ସବୁଠୁ ଅଧିକ ସମୟ ଲାଗିଥାଏ । ତେଣୁ ରନ୍ଧାଖାଦ୍ୟ ସହ ଫଳ ଖାଇଲେ ଏକାଠି ହଜମ ହୋଇ ନ ପାରିବା କାରଣରୁ ଏସିଡିଟି ଏବଂ ଅନ୍ୟ ସମସ୍ୟା ଉପୁଜିଥାଏ ।
କ୍ଷୀର ସହ ତୁଳସୀ ପତ୍ର: ଶୀତଦିନେ ତୁଳସୀ ଚା’ ପିଇବା ଅନେକଙ୍କୁ ପସନ୍ଦ । ଏହା ପାଟିକୁ ସ୍ୱାଦିଷ୍ଟ ଲାଗେ ଏବଂ ମୁଡ୍ ଫ୍ରେସ୍ କରିଥାଏ । ହେଲେ ଆପଣ ଜାଣନ୍ତିକି, ତୁଳସୀରେ ବହୁ ଉପକାରୀ ଗୁଣ ରହିଛି, ଯାହାକି ଇମ୍ୟୁନିଟି ପାୱାର ବଢ଼ାଇଥାଏ । ହେଲେ କ୍ଷୀର ସହିତ ତୁଳସୀପତ୍ର ମିଶାଇ ପିଇଲେ ତୁଳସୀର ଗୁଣବତ୍ତା ହ୍ରାସ ହେବା ସହ କ୍ଷୀର ଏସିଡିକ୍ ହୋଇଯିବା କାରଣରୁ ପେଟ ସମସ୍ୟା ଉପୁଜିଥାଏ । ତେଣୁ ଏହାକୁ ମିଶାଇ ପିଇବା ଠିକ୍ ନୁହେଁ ।