ସହଯୋଗ ଅପେକ୍ଷାରେ ଦିବ୍ୟାଙ୍ଗ କଳାକାର

 ନୂଆପଡା: ଜନ୍ମରୁ ଦୃଷ୍ଟିହୀନ, କିନ୍ତୁ ଘୁଡୁକି ବାଦ୍ୟରେ ପ୍ରବୀଣ । କଣ୍ଠସ୍ୱରରେ ମାଦକତା ଭରି ରହିଛି । ଯିଏ ତାଙ୍କର ଗୀତ ଶୁଣିଛି, ଘଡ଼ିଏ ଅଟକି ରହି ଯାଇଛି । ତାଙ୍କୁ କିନ୍ତୁ ସରକାରୀ ପ୍ରୋସôାହନ ମିଳି ପାରୁନି । ଅର୍ଜୁନ ତାଣ୍ଡି, ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ସରଧାପୁର ଗ୍ରାମ ପଞ୍ଚାୟତର ଢ଼ଙ୍କସର ଗ୍ରାମର ଜଣେ ଦିବ୍ୟାଙ୍ଗ ବ୍ୟକ୍ତି । ଯେତେବେଳେ ସେ ଜନ୍ମ ହେଲେ ବାପା ନୃପ ତାଣ୍ଡି ଓ ମାଆ ମଥୁରା ତାଣ୍ଡିଙ୍କ ପାଦ ମାଟିରେ ଲାଗୁ ନଥିଲା । ପୁଅ ପାଇଛନ୍ତି ବୋଲି ଛାତି କୁଣ୍ଡେମୋଟ ହୋଇ ଯାଉଥିଲା । ଏ ଖୁସି କିନ୍ତୁ ବେଶୀ ଦିନ ରହିଲାନି । ଅର୍ଜୁନଙ୍କୁ ଛଅ ମାସ ହୋଇଥିବା ସମୟରେ ବସନ୍ତ ରୋଗ ହେଲା ଓ ସବୁଦିନ ପାଇଁ ଦୃଷ୍ଟି ଶକ୍ତି ଚାଲିଗଲା । ଚିକିସôା ପାଇଁ ଅର୍ଥ ଅଭାବ ହେତୁ ଆଖି ଚିକିସôା ହୋଇ ପାରିଲା ନାହିଁ । ଦିବ୍ୟାଙ୍ଗ ଅର୍ଜୁନ ଦଶ ବର୍ଷ ବୟସ ହେଲା ପରେ ଘୁଡ଼ୁକି/ଘୁଡ଼ୁକା ବଜାଇବା ଶିଖିଲେ ଓ ପାରଦର୍ଶିତା ହାସଲ କଲେ । ସେ ଘୁଡୁକି ବଜାଇ ଓ ଗୀତ ଗାଇ ଗାଁଗାଁ ବୁଲି ଭିକ୍ଷା ମାଗିଲେ । ତାଙ୍କର ମଧୁର କଣ୍ଠସ୍ୱର ଓ ନିପୁଣ ଘୁଡୁକି ବାଦନ ଲୋକଙ୍କ ଦୃଷ୍ଟି ଆକର୍ଷଣ କଲା । ତାଙ୍କୁ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବାର ସୁଯୋଗ ମିଳିଲା ଓ ଭଲ ଦୁଇ ପଇସା ରୋଜଗାର ହେଲା । ପରେ ଆକାଶବାଣୀ ଭବାନୀପାଟଣା ଓ ଦୂରଦର୍ଶନ କେନ୍ଦ୍ରରେ ଗୀତ ଗାଇ ଘରେ ଘରେ ପରିଚିତ ହେଲେ ଅର୍ଜୁନ । ତାଙ୍କୁ ଅନେକ ଅନୁଷ୍ଠାନ ସମ୍ମାନିତ ମଧ୍ୟ କରିଛନ୍ତି । ସରକାରଙ୍କ ତରଫରୁ ତାଙ୍କୁ କଳାକାର ଭତ୍ତା ମିଳୁଛି କିନ୍ତୁ ଆଗରୁ କେନ୍ଦ୍ରୀୟ କଳାକାର ଭତ୍ତା ମିଳୁଥିବା ବେଳେ ୨୦୨୨ରୁ ଆଉ ପାଉ ନଥିବା କହିଛନ୍ତି । ବିଭିନ୍ନ ସରକାରୀ ଯୋଜନାରେ ସାମିଲ ହେଲେ ଦୁଇ ପଇସା ରୋଜଗାର କରି ପରିବାର ଚଲାଇ ପାରନ୍ତେ ବୋଲି ସେ କହନ୍ତି  ।
ଅର୍ଜୁନଙ୍କ ପରିବାର କହିଲେ ଚାରି ପ୍ରାଣୀ କୁଟୁମ୍ବ । ସ୍ତ୍ରୀ ଘର ମଣି, ଝିଅ ନମିତା (ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ପରୀକ୍ଷା ଦେଇଛନ୍ତି) ଓ ପୁଅ ବେଣୁଧର (ସପ୍ତମ ଶ୍ରେଣୀ) । ତାଙ୍କୁ ଏପର୍ଯ୍ୟନ୍ତ ଆବାସ ଯୋଜନାରେ ଘର ଖଣ୍ଡେ ମିଳି ନଥିବାରୁ ଏକ ଭଙ୍ଗା ଘରେ ରହୁଛନ୍ତି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ତାଙ୍କୁ ଅନ୍ତୋଦୟ କାର୍ଡ ମିଳିବା କଥା କିନ୍ତୁ ପିଏଚଏଚ କାର୍ଡରେ କୋଡ଼ିଏ କିଲୋଗ୍ରାମ ଚାଉଳ ମିଳୁଛି । ଅର୍ଜୁନଙ୍କ ଦେହ ଏବେ ଭଲ ରହୁ ନ ଥିବାରୁ ଘରମଣି ପର ଘରେ ମୂଲ ଖଟି ପରିବାର ଚଳାଉଛନ୍ତି । ଅର୍ଜୁନ ଓ ତାଙ୍କ ପରିବାର ବିଷୟରେ ଖଡ଼ିଆଳ ବିଡ଼ିଓ ବୀରସେନ ବେହେରାଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ନିୟମ ଅନୁସାରେ ସହଯୋଗ କରାଯିବ ବୋଲି କହିଛନ୍ତି ।