ହଂସିତା-ଅନୀଲ ଗିରଫ ମାମଲା : ଆଗୁଆ ଜାମିନ ଖାରଜ କଲେ ହାଇକୋର୍ଟ
ହାଇପ୍ରୋଫାଇଲ୍ ଠକ ଯୋଡ଼ି ହଂସିତା-ଅନୀଲ ଗିରଫ ମାମଲା । ଦ୍ବିତୀୟ ଦିନରେ ଆୟକର ବିଭାଗର ଏକାଧିକ ସ୍ଥାନରେ ଚଢ଼ାଉ ଜାରି ହୋଇଥିଲା । ହଂସିତାଙ୍କ ସ୍ବାମୀ ତଥା କଂଗ୍ରେସ ନେତା ମନୋଜ ଆଚାର୍ଯ୍ୟଙ୍କ ଘରେ ରେଡ ମଧ୍ୟ୍ୟ କରାଯାଇଥିଲା । ମନୋଜଙ୍କ ବାଲିଗୁଡ଼ା ସ୍ଥିତ ଘରେ ରେଡ୍ କରିଥିଲେ ଆୟକର ବିଭାଗ । ସେପଟେ ଭୁବନେଶ୍ବରରେ ଅନୀଲ ମହାନ୍ତିଙ୍କ ଘରେ ମଧ୍ୟ ଚାଲିଛି ରେଡ୍ ଭୁବନେଶ୍ବର ଦିଲ୍ଲୀ, ଝାଡ଼ଖଣ୍ଡ ସମେତ ୧୨ଟି ସ୍ଥାନରେ ଏକକାଳୀନ ରେଡ୍ କରିଥିଲା ଆୟକର ଟିମ୍ ।
ହଂସିତା ଅଭିଲିପ୍ସାଙ୍କ ଦିଲ୍ଲୀରେ ଥିବା ଢାବା ଆଣ୍ଡ ବାରରେ ମଧ୍ୟ ଚଢାଉ ଚାଲିଥିଲା । ଏହାବ୍ୟତୀତ ଅନିଲଙ୍କ ନୟାପଲ୍ଲୀ ସ୍ଥିତ ପୈତୃକ ଘର, ମଞ୍ଚେଶ୍ବରରେ ଥିବା ଅଫିସ,ଏମ୍ସ୍ ନିକଟରେ ଥିବା ପତ୍ନୀଙ୍କ ଘରେ ମଧ୍ୟ ଚଢାଉ ହୋଇଥିଲା । ଚଢାଉ ବେଳେ ହଂସିତା ଏବଂ ଅନୀଲଙ୍କର ଆକାଉଣ୍ଟ ଟ୍ରାଞ୍ଜାକ୍ସନ୍ର ଖୋଳତାଡ଼ କରିଛନ୍ତି ବିଭାଗ । ବିନା ଲୋନ୍ରେ ଦାମୀ କାର୍ କିଣିବାକୁ ନେଇ କିଛି ଦିନ ତଳେ ବିବାଦରେ ପଡ଼ିଥିଲେ ଠକ ହଂସିତା । ତେବେ ଏହାରି ଭିତରେ ହଂସିତାଙ୍କ ଦ୍ବିତୀୟ ସ୍ବାମୀ ହାଇକୋର୍ଟରୁ ନିରାଶ ହୋଇଛନ୍ତି , ବଢିଲା ମନୋଜ ଆଚାର୍ଯ୍ୟଙ୍କ ଅଡୁଆ । ହାଇକୋର୍ଟରୁ ନିରାଶ ହେଲେ ହଂସିତା ଅଭିଲିପସାଙ୍କ ଦ୍ବିତୀୟ ସ୍ବାମୀ ମନୋଜ ।
ଆଗୁଆ ଜାମିନ ଆବେଦନକୁ ଖାରଜ କରିଛନ୍ତି ଜଷ୍ଟିସ ଭି ନରସିଂହଙ୍କୁ ନେଇ ଗଠିତ ଜଣିକିଆ ଖଣ୍ଡପୀଠ । ୧୯୮୦ ମସିହାର ଗୁରୁବକ୍ସ ସିଂ ଶିବ୍ବା ବନାମ ପଞ୍ଜାବ ସରକାର ମାମଲା ଆଧାରରେ ଜାମିନ ଖାରଜ ହୋଇଥିବା ସୂଚନା ମିଳିଛି । ଭୁବନେଶ୍ବର ଇନଫୋସିଟି ଥାନାର କେସ ନମ୍ବର ୬୧୧/୨୦୨୪ରେ ଆଗୁଆ ଜାମିନ ଆବେଦନ କରିଥିଲେ ମନୋଜ। ତେବେ ପରବର୍ତ୍ତି ସମୟରେ ପୁଣି ଆବେଦନ କରିପାରିବେ ବୋଲି କୋର୍ଟ ଅନୁମତି ଦେଇଛନ୍ତି ।
ସୂଚନାଯୋଗ୍ୟ, ବଡ଼ ବଡ଼ିଆଙ୍କ ସହ ସମ୍ପର୍କ ଥିବା କହି ଖଣି ବ୍ୟବସାୟୀ, ବିଲଡରଙ୍କୁ ଚୂନ ଲଗାଉଥିଲେ ହାଇପ୍ରୋଫାଇଲ୍ ଠକ ହଂସିତା ଅଭିଲିପ୍ସା ଓ ତାଙ୍କ ସହଯୋଗୀ ଅନୀଲ ମହାନ୍ତି । ଏମିତିକି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ.ମିଶ୍ରଙ୍କ ନାଁ ନେବାକୁ ବି ପଛାଇ ନଥିଲେ । ଖାଲି ସେତିକି ନୁହେଁ ଓଡ଼ିଶାର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୂର୍ବତନ ସିଏମଜି ଗିରିଶ ମୁର୍ମୁଙ୍କ ଭଳି ବଡ଼ ବଡ଼ିଆଙ୍କ ସହ ନିଜ ଫଟୋ ଏଡିଟ୍ କରି ଦେଖାଉଥିଲେ ।