୧୨ରେ ମିଳିବ ପକ୍କା ଘର: ପ୍ରତି ପଞ୍ଚାୟତରୁ ୧୦
ଭୁବନେଶ୍ୱର: ଆସନ୍ତା ୧୨ରେ ମୋହନ ସରକାରଙ୍କର ବର୍ଷ ପୂର୍ତ୍ତି । ଏହି ଉତ୍ସବକୁ ଭବ୍ୟ କରିବା ପାଇଁ ପ୍ରଶାସନିକସ୍ତରରେ ଜୋରଦାର ପ୍ରସ୍ତୁତି ଚାଲିଛି । ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ବର୍ଷ ପୂର୍ତ୍ତିକୁ ଆଖିଆଗରେ ରଖି ବଡ଼ ସୂଚନା ଦେଇଛନ୍ତି । ଆସନ୍ତା ୧୨ରେ ଅନ୍ତ୍ୟୋଦୟ ଗୃହ ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନ କରାଯିବ । ପ୍ରତ୍ୟେକ ପଞ୍ଚାୟତରୁ ୧୦ ଜଣଙ୍କୁ ଏହି ଯୋଜନାରେ ସାମିଲ୍ କରାଯିବ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟଯେ, କେତେକ ଜଟିଳ ମାନଦଣ୍ଡ କାରଣରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ଅନେକ ହିତାଧିକାରୀ ବଞ୍ଚôତ ହୋଇଛନ୍ତି । ତେଣୁ ବିଭିନ୍ନ ପକ୍କା ଘର ଯୋଜନାରେ ଗୃହ ପାଇନଥିବା ଲୋକଙ୍କୁ ଆଖି ଆଗରେ ରଖି ମୋହନ ସରକାର ଅନ୍ତ୍ୟୋଦୟ ଗୃହ ଯୋଜନା ଆରମ୍ଭ କରିଛନ୍ତି । ଗତ ମାର୍ଚ୍ଚ ୩୦ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାରେ ଏହି ଯୋଜନାର ଶୁଭାରମ୍ଭ କରିଥିଲେ । ପ୍ରଥମ ଦଫାରେ ୬୦ ହଜାର ଲୋକଙ୍କୁ କାର୍ଯ୍ୟାଦେଶ ଦେବାର ଯୋଜନା ହୋଇଛି । ଏହି ଯୋଜନାରେ ପ୍ରତି ଘର ପାଇଁ ୧ ଲକ୍ଷ ୨୦ ହଜାର ଟଙ୍କା ମିଳିବ । ୩ ବର୍ଷରେ ଏହି ଯୋଜନାରେ ୫ ଲକ୍ଷରୁ ଅଧିକ ଗୃହ ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଛି । ସେଥିପାଇଁ ୭୫୫୦ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଏହାଛଡ଼ା ଏହି ଯୋଜନାରେ ହିତାଧିକାରୀଙ୍କୁ ସ୍ୱଚ୍ଛ ଭାରତ ମିଶନରେ ଶୌଚାଳୟ, ଉଜ୍ଜ୍ୱଳା ଯୋଜନାରେ ରନ୍ଧନ ଗ୍ୟାସ, ଜଳ ଜୀବନ ମିଶନ ଜରିଆରେ ସ୍ୱଚ୍ଛ ପାନୀୟ ଜଳ, ସୌଭାଗ୍ୟ ଯୋଜନାରେ ବିଜୁଳି ସଂଯୋଗ ସହ ମନରେଗାରେ ୯୦ରୁ ୯୫ ଦିନ ପର୍ଯ୍ୟନ୍ତ ଅଣକୁଶଳୀ ଶ୍ରମିକ ଭାବେ ପାରିଶ୍ରମିକ ବି ପ୍ରଦାନ କରାଯିବ ।