ଏସଏଲବିସି ଓ ପିଆଇବିର ସାମ୍ବାଦିକ ସମ୍ମିଳନୀ : ପଞ୍ଚାୟତରେ ପହଞ୍ଚିବ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଅଭିଯାନ

 ଭୁବନେଶ୍ୱର : ଭାରତ ସରକାରଙ୍କ ଆର୍ଥୀକ ସେବା ବିଭାଗ ଦ୍ୱାରା ଦେଶବ୍ୟାପୀ ଆର୍ଥୀକ ଅନ୍ତର୍ଭୁକ୍ତିକରଣ ଅଭିଯାନ ମାଧ୍ୟମରେ ନାଗରିକଙ୍କୁ ସୁଲଭ ବ୍ୟାଙ୍କ ଏବଂ ଆର୍ଥିକ ସେବା ଯୋଗାଇ ଦିଆଯାଉଛି । ଜୁଲାଇ ପହିଲାରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଓଡିଶାରେ ମଧ୍ୟ ଏହି ଅଭିଯାନ ଆରମ୍ଭ ହୋଇସାରିଛି ଏବଂ ଏହାକୁ ତିନି ମାସର ଅବଧି ମଧ୍ୟରେ ରାଜ୍ୟର ୬,୭୯୪ଟି ଗ୍ରାମ ପଞ୍ଚାୟତରେ ପହଞ୍ଚାଇବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି  । ଆଜି ଭୁବନେଶ୍ୱରରେ ୟୁକୋ ବ୍ୟାଙ୍କ ନେତୃତ୍ୱରେ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି (ଏସଏଲବିସି) ଏବଂ ପିଆଇବି ଭୁବନେଶ୍ୱର ପକ୍ଷରୁ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି । ରାଜ୍ୟରେ ଆର୍ଥିକ ଅନ୍ତର୍ଭୂକ୍ତିକରଣକୁ ଗଭୀର କରିବା ଏବଂ ପ୍ରମୁଖ ସାମାଜିକ ସୁରକ୍ଷା ଯୋଜନାଗୁଡିକୁ ତୃଣମୂଳସ୍ତରରେ ପହଞ୍ଚାଇବାର ପ୍ରୟାସକୁ ଆହୁରି ବ୍ୟାପକ କରିବା ଲାଗି ଏସଏଲବିସି ନିଷ୍ପତ୍ତି ନେଇଛି  । ଆଜିର ସାମ୍ବାଦିକ ସମ୍ମିଳନୀରେ ଆର୍ଥିକ ଅନ୍ତର୍ଭୂକ୍ତିକରଣ ଅଭିଯାନର ଅଗ୍ରଗତି ଏବଂ ଭବିଷ୍ୟତର ରୂପରେଖ ସମ୍ପର୍କରେ ଆଲୋକପାତ କରାଯାଇଛି । ଦେଶବ୍ୟାପୀ ଚାଲିଥିବା ଆର୍ଥିକ ଅନ୍ତର୍ଭୂକ୍ତିକରଣ ଅଭିଯାନର ଲକ୍ଷ୍ୟ ହେଉଛି, ବିଶେଷକରି ଅନୁନ୍ନତ ଗ୍ରାମୀଣ ଏବଂ ଦୁର୍ଗମ ଅଞ୍ଚଳରେ, ଆନୁଷ୍ଠାନିକ ଆର୍ଥିକ ସେବାର ସମାନ ଉପଲବ୍ଧତା ସୁନିଶ୍ଚିତ କରିବା । ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ, ୟୁକୋ ବ୍ୟାଙ୍କର ମୁଖ୍ୟ ମହାପ୍ରବନ୍ଧକ ଏବଂ ଏସଏଲବିସି ଓଡ଼ିଶାର ସଂଯୋଜକ ଗୌତମ ପାତ୍ର ଏହି ଅଭିଯାନର ଅଗ୍ରଗତି ଓ ଭବିଷ୍ୟତର ରୂପରେଖ ଉପରେ ଆଲୋକପାତ କରିଛନ୍ତି  । ସେ କହିଛନ୍ତି, ଅଭିଯାନର ସଫଳ କାର୍ଯ୍ୟକାରିତା ପାଇଁ ୨୧ ଜୁନ୍ ୨୦୨୫ରେ ରାଜ୍ୟସ୍ତରୀୟ ରଣନୀତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବ୍ୟାଙ୍କଗୁଡ଼ିକର ନିୟନ୍ତ୍ରଣ ମୁଖ୍ୟ, ଲିଡ୍ ଜିଲ୍ଲା ପରିଚାଳକ (ଏଲଡିଏମ୍), ନାବାର୍ଡ, ଆରବିଆଇର ପ୍ରତିନିଧି ଏବଂ ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କ ସମେତ ପ୍ରମୁଖ ଅଂଶୀଦାରମାନେ ଯୋଗ ଦେଇଥିଲେ । ଓଡ଼ିଶାରେ, ଏହି ଅଭିଯାନ ରାଜ୍ୟର ସବୁ ପଞ୍ଚାୟତରେ ପହଞ୍ଚିବ । ସମସ୍ତ ସରକାରୀ କ୍ଷେତ୍ର ବ୍ୟାଙ୍କ, ଘରୋଇ ବ୍ୟାଙ୍କ, ଆରଆରବି ସହିତ ସମନ୍ୱୟ ରଖି ଓଡ଼ିଶା ପାଇଁ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି (ଏସଏଲବିସି), ସମସ୍ତ ୩୦ଟି ଲିଡ୍ ଜିଲ୍ଲା ପରିଚାଳକ ଏହି ଅଭିଯାନର କାର୍ଯ୍ୟକାରିତା ତଦାରଖ କରୁଛନ୍ତି । ଅଭିଯାନରେ ମୁଖ୍ୟତଃ ବ୍ୟାଙ୍କ ସେବାରୁ ବଞ୍ଚିତ ଲୋକଙ୍କର ପିଏମ ଜନଧନ ଆକାଉଣ୍ଟ ଖୋଲିବା ସହିତ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ଜୀବନଜ୍ୟୋତି ବୀମା ଯୋଜନା, ଅଟଳ ପେନସନ ଯୋଜନାର ହିତାଧିକାରୀଙ୍କ ସଂଖ୍ୟା ବ?ାଇବା ଉପରେ ଗୁରୁତ୍ୱାରୋପ କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ପିଆଇବି ଭୁବନେଶ୍ୱରର ଅତିରିକ୍ତ ମହାନିଦେ୍ର୍ଦଶକ ଅଖିଳ କୁମାର ମିଶ୍ର,  ଭୁବନେଶ୍ୱର ଜୋନ ୟୁକୋ ବ୍ୟାଙ୍କର ଉପମହାପ୍ରବନ୍ଧକ ଏବଂ ଜୋନାଲ ମ୍ୟାନେଜର ଭାଗବତ ସିଂହ ଭାକୁନି, କଟକ ଜୋନର ୟୁକୋ ବ୍ୟାଙ୍କର ଉପମହାପ୍ରବନ୍ଧକ ଏବଂ ଜୋନାଲ ମ୍ୟାନେଜର ସୁଶ୍ରୀ ବର୍ଷା, ଏବଂ ଏସଏଲବିସି ଓଡ଼ିଶାର ପ୍ରଭାରୀ ସହାୟକ ମହାପ୍ରବନ୍ଧକ ଲିଙ୍ଗରାଜ ନାୟକ ଉପସ୍ଥିତ ଥିଲେ ।