ଆରସିବି ଆଇପିଏଲ୍ ଚାମ୍ପିଅନ୍

 ଅହମ୍ମଦାବାଦ:  କିଙ୍ଗ କୋହଲିଙ୍କ ୧୮ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିଲା  । ତିନି ତିନି ଥର ଫାଇନାଲକୁ ଯାଇଥିଲେବି କୋହଲି କେବେ ଆଇପିଏଲ୍ ଚାମ୍ପିଅନ୍ କପ ଧରିବାର ସୁଯୋଗ ପାଇନଥିଲେ । ଆଜି କିନ୍ତୁ ସେହି ଐତିହାସିକ କ୍ଷଣକୁ ସେ ସାଉଁଟି ପାରିଥିଲେ  । କ୍ୟାପଟେନ୍ ଭାବେ ନହେଲେ ନାହିଁ, ଫାଇନାଲ ମ୍ୟାଚରେ ଭଲ ସ୍କୋର କରି ଆରସିବିକୁ ବିଜୟୀ କରିବାରେ ସେ ସଫଳ ହୋଇଛନ୍ତି  । ଏହା ସହ ଆରସିବି ଚାମ୍ପିଅନ୍ ବ୍ଳକରେ ସ୍ଥାନ ପାଇଛି  ।
ଏପଟେ ରୟାଲ ଚ୍ୟାଲେଞ୍ଜରସ ବେଙ୍ଗାଲୁରୁ । ସେପଟେ ପଞ୍ଜାବ କିଙ୍ଗସ  । ୧୮ ବର୍ଷ ଧରି ଦୁଇ ଟିମ୍ ଆଇପିଏଲ୍ ଚାମ୍ପିଅନ୍ ପାଇଁ ଲକ୍ଷ୍ୟ ରଖିଥିଲେବି କେବେ ସଫଳ ହୋଇନାହାନ୍ତି । ପୂର୍ବରୁ ତିନିଥର ଆରସିବି ଓ ଥରେ ପଞ୍ଜାବ କିଙ୍ଗସ ଫାଇନାଲକୁ ଯାଇ ରନର୍ସ ଅପ୍ରେ ହିଁ ସନ୍ତୁଷ୍ଟ ହୋଇଥିଲେ  । ଏଥର କିନ୍ତୁ ୧୮ ବର୍ଷ ପରେ ଚାମ୍ପିଅନ ହେବାର କ୍ଷୁଧା ମେଣ୍ଟିବା ନିଶ୍ଚିତ ଥିଲା  । ଯାହାକୁ ନେଇ ଉଭୟ ଦଳର ଫ୍ୟାନ ବେଶ୍ ଉତ୍ସାହିତ ଥିଲେ  । ସଂଧ୍ୟା ସାଢ଼େ ୭ଟା  । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡ଼ିୟମରେ ଆରମ୍ଭ ହୋଇଥିଲା ଫାଇନାଲ୍ ମ୍ୟାଚ । ଟସ ଜିତି ପଞ୍ଜାବ ବୋଲିଂ ନେବାରୁ ପଡ଼ିଆକୁ ଓହ୍ଲାଇଥିଲା ଆରସିବି  । ବୋଲିଂ ପିଚ୍ ଥିବାରୁ ଆରସିବିକୁ କମ୍ ରନରେ ଅଟକାଇବା ପାଇଁ ପଞ୍ଜାବ ଲକ୍ଷ୍ୟ ରଖିôଥିଲେବି ସମ୍ଭବପର ହୋଇନଥିଲା  । ଫାଇନାଲ ମ୍ୟାଚରେ ଆଜି ଜବରଦସ୍ତ ବ୍ୟାଟିଂ କରିଥିଲେ କିଙ୍ଗ କୋହଲି  । ୪୩ ରନର ଏକ ଉପଯୋଗୀ ପାଳି ସେ ଖେଳିଥିଲେ  । ସେହିପରି ମୟଙ୍କ ୨୪, ରଜତ ୨୬, ଲିଭିଙ୍ଗଷ୍ଟୋନ୍ ୨୫, ଜିତେଶ ୨୪ ଓ ଶିଫର୍ଡ଼ ୧୭ ରନ୍ କରିଥିଲେ  । ସମସ୍ତେ ମିଳିତ ଭାବେ ଊଣା ଅଧିକେ ଯୋଗଦାନ କରି ଦଳର ସ୍କୋରକୁ ୧୯୦ରେ ପହଁଚାଇ ଦେଇଥିଲେ  । ଅପରପକ୍ଷରେ ପଞ୍ଜାବ ପକ୍ଷରୁ ଆର୍ଶଦୀପ ଓ ଜାମିଏସନ୍ ୩ଟି ଲେଖାଏଁ ୱିକେଟ୍ ହାତେଇ ନେଇଥିଲେ  । ୧୯୧ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲା ପଞ୍ଜାବ କିଙ୍ଗସ ।  ବୋଲିଂ ପିଚ୍ରେ ଏହି ଲକ୍ଷ୍ୟବି ଏତେ ସହଜ ନଥିଲା  । ତେବେ ଦୁଇ ଓପନର ପ୍ରି୍ରୟାଂଶ ଆର୍ଯ୍ୟ ଓ ପ୍ରଭସିମ୍ରନ୍ ସିଂ ପ୍ରାରମ୍ଭରୁ ଭଲ ଖେଳିଥିଲେ  । ତେବେ ୪୩ ରନ୍ରେ ପ୍ରଥମ ୱିକେଟର ପତନ ଘଟିଥିଲା  । ଏହାପରେ ଜୋଶଙ୍କ ସାଥି କରି ପ୍ରଭସିମ୍ରନ ପାଳିକୁ ଆଗେଇ ନେଇଥିଲେ ।  ଏହାପରେ ଦଳ ବିପର୍ଯ୍ୟୟର ସାମ୍ନା କରିଥିଲା  । ୭୨ ରନ୍ରେ ଦ୍ୱିତୀୟ ୱିକେଟର ପତନ ଘଟିଥିବାବେଳେ ୭୯ ରନ୍ରେ ତୃତୀୟ ୱିକେଟ ଖସି ପଡ଼ିଥିଲା  । ଶ୍ରେୟସ ଆୟାର ମାତ୍ର ୧ ରନ୍ରେ ଆଉଟ ହୋଇଯିବା ପରେ ପଞ୍ଜାବ କିଙ୍ଗସର ବିଜୟ ଆଶା କମିଯାଇଥିଲା  । ତଥାପିବି ସମସ୍ତଙ୍କ ନଜର ଇଙ୍ଗିଲିସଙ୍କ ଉପରେ ଥିଲା  । ୩୯ ରନ୍ରେ ସେ ଆଉଟ୍ ହୋଇଯିବା ପରେ ଆରସିବିର ପଲା ଭାରି ହୋଇଯାଇଥିଲା  । ଶେଷରେ ପଞ୍ଜାବ କିଙ୍ଗସକୁ ହରାଇ ଆରସିବି ବାଜିମାତ୍ କରିଥିଲା  ।  ଲକ୍ଷେ କୋଟିର ବ୍ୟବସାୟ କରିଥିବା ଆଇପିଏଲ ସାରା ବିଶ୍ୱରେ ବଡ଼ କ୍ରିକେଟ ଲିଗର ମାନ୍ୟତା ପାଇଛି  ।