ମହାପ୍ରଭୁଙ୍କ ରାଖୀ ପ୍ରସ୍ତୁତି

ପୁରୀ: ରକ୍ଷାବନ୍ଧନ ଭାଇ ଭଉଣୀ ଭିତରେ ଥିବା ସ୍ନେହ ଓ ପବିତ୍ର ବନ୍ଧନର ପର୍ବକୁ ଦର୍ଶାଇଥାଏ। ଏହି ପବିତ୍ର ବନ୍ଧନର ଝଲକ ଶ୍ରୀମନ୍ଦିରରେ ତଥା ଶ୍ରୀଜଗନ୍ନାଥ ସଂସ୍କୃତିରେ ମଧ୍ୟ ଦେଖିବାକୁ ମିଳିଥାଏ। ପବିତ୍ର ରକ୍ଷାବନ୍ଧନ ପର୍ବ ଶ୍ରାବଣ ମାସର ପୂର୍ଣ୍ଣିମା ତଥା ବଡ ଠାକୁର ବଳଭଦ୍ରଙ୍କ ଜନ୍ମଦିନ ପାଳନ କରାଯାଇଥାଏ। ଚଳିତ ମାସ ୯ ତାରିଖରେ ଶ୍ରୀମନ୍ଦିରରେ ରକ୍ଷାବନ୍ଧନ ପର୍ବ ପାଳନ ହେବ। ମହାପ୍ରଭୁଙ୍କ ମାନବୀୟ ଲୀଳା ମଧ୍ୟରେ ରକ୍ଷା ବନ୍ଧନ ଅନନ୍ୟ।
ଶ୍ରୀମନ୍ଦିର ରୀତିନୀତି ଅନୁଯାୟୀ, ଦେବୀ ସୁଭଦ୍ରା ତାଙ୍କର ଦୁଇଭାଇ ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ବଡ଼ଠାକୁର ପ୍ରଭୁ ବଳଭଦ୍ରଙ୍କ ହାତରେ ରାକ୍ଷୀ ବାନ୍ଧି ପରମ୍ପରାର ପବିତ୍ର ସମ୍ପର୍କକୁ ଦର୍ଶାଇ ଥାଆନ୍ତି। ଏଥିପାଇଁ ପାଟରା ବିଶୋଇ ସେବକମାନେ ରାଖୀ ପ୍ରସ୍ତୁତିରେ ଲାଗିଛନ୍ତି। ରାଖିପୂର୍ଣ୍ଣିମା ଦିନ ଶ୍ରୀମନ୍ଦିରରେ ବିଶେଷ ନୀତି ଅନୁଷ୍ଠିତ ହେବ। ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ବଳଭଦ୍ର ୨ଟି ଲେଖାଏ ରାଖୀ ଓ ୨ଟି ଲେଖାଏ ଗୁଆମାଳ ପରିଧାନ କରିଥାନ୍ତି । ପାଟରା ବିଶୋଇ ସେବକ ବାସୁଙ୍ଗା ପାଟରେ ରାଖୀ ଓ ଗୁଆମାନ ପ୍ରସ୍ତୁତ କରିଥାନ୍ତି। ପ୍ରାୟ ୧୫ କିଲୋ ବାସୁଙ୍ଗା ପାଟରେ ପ୍ରସ୍ତୁତ ଏହି ସ୍ବତନ୍ତ୍ର ରାଖୀକୁ ଚିତାଲାଗି ଅମାବାସ୍ୟା ପରଠାରୁ ପ୍ରସ୍ତୁତ କରିଥାଆନ୍ତି ପାଟରା ସେବାୟତ। ତାହାକୁ ଭଉଣୀ ସୁଭଦ୍ରା ଦୁଇ ଭାଇଙ୍କ ହାତରେ ବାନ୍ଧିଥାନ୍ତି। ନାଲି,ସବୁଜ,ହଳଦିଆ ଓ ନୀଳ ରଙ୍ଗର ଏହି ଗୁଆମାଳ ରାଖୀକୁ ମଧ୍ୟ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥାଏ। ମାଣିଆବନ୍ଧରେ ତିଆରି ହୋଇଥିବା ପାଟସୂତାରୁ ଏହି ରାଖୀକୁ ପାଟରା ସେବାୟତ ଶ୍ରଦ୍ଧା,ଭକ୍ତି ଓ ବିଶ୍ୱାସର ସହ ପ୍ରସ୍ତୁତ କରିଥାଆନ୍ତି।
ଶ୍ରୀଜଗନ୍ନାଥ ହଳଦିଆ ଓ ନାଲି ରଙ୍ଗର ଗୁଆମାଳ ଏବଂ ବଳଭଦ୍ର ବାଇଗଣୀ ଓ ନୀଳ ରଙ୍ଗର ଗୁଆମାଳ ପରିଧାନ କରନ୍ତି। ୫୪ଟି ଗୁଆରେ ଗୋଟିଏ ଲେଖାଏ ମାଳ ପ୍ରସ୍ତୁତ ହୋଇଥାଏ। ପାଟରା ବିଶୋଇ ସନ୍ତୋଷ କୁମାର ପାତ୍ରଙ୍କ କହିବା ଅନୁଯାୟୀ, ରାଖୀ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ୪ଟି ରାଖୀ, ୪ଟି ଗୁଆମାଳକୁ ନେଇ ଭଣ୍ଡାର ମେକାପଙ୍କୁ ହସ୍ତାନ୍ତର କରାଯିବ। ରାଖୀ ପ୍ରସ୍ତୁତି ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବାସୁଙ୍ଗା ପାଟ ଯୋଗାଇ ଦିଆଯାଇଥାଏ। ଶ୍ରୀଜଗନ୍ନାଥ ଏବଂ ବଳଭଦ୍ରଙ୍କ ପାଇଁ ୪ଟି ରାଖୀ ପ୍ରସ୍ତୁତ ହେଉଥିବାବେଳେ ପାଶର୍ବଦେବତାଙ୍କ ପାଇଁ ଛୋଟ ରାଖୀ ତିଆରି କରାଯାଇଥାଏ। ଗହ୍ମା ପୂର୍ଣ୍ଣିମା ସକାଳେ ଶ୍ରୀମନ୍ଦିରରୁ ଚର୍ଚ୍ଚା ଆସି ଡାକିଥାନ୍ତି। ଏହାପରେ ରାଖୀ ଏବଂ ଗୁଆମାଳ ଦୁଇଟି ତାଡ଼ରେ ଶ୍ରୀମନ୍ଦିରକୁ ଯାଇଥାଏ। ମହାପ୍ରଭୁଙ୍କ ନିମନ୍ତେ ରାଖୀ ପ୍ରସ୍ତୁତ କରିବାର ସୌଭାଗ୍ୟ ପାଇଥିବାରୁ ନିଜକୁ ଧନ୍ୟ ମଣୁଛି।