ଜାମସେଦଜୀ ଟାଟାଙ୍କ ଜୟନ୍ତୀ
କଳିଙ୍ଗନଗର : ସୋମବାର ଟାଟା ଷ୍ଟିଲ ଓ ନୀଳାଚଳ ଇସ୍ପାତ ନିଗମ ମିଳିତ ଭାବେ ଟାଟା ଗ୍ରୁପର ପ୍ରତିଷ୍ଠାତା ଜାମସେଦଜୀ ନୁସରୱାନଜୀ ଟାଟାଙ୍କ ୧୮୬ତମ ଜୟନ୍ତୀ ପାଳନ କରିଛନ୍ତି । ଟାଟା ଷ୍ଟିଲରେ ପ୍ରକଳ୍ପ କାର୍ଯ୍ୟାଳୟରୁ ଟିଏସକେ ସେଣ୍ଟରର କର୍ମଚାରୀ ଆନୁଷ୍ଠାନିକ ପରେଡ କରିଥିଲେ । ବରିଷ୍ଠ ନେତୃବୃନ୍ଦ, କର୍ମଚାରୀ ସଂଘ ପ୍ରତିନିଧି ଏବଂ କର୍ମଚାରୀମାନେ ଜେଏନ୍ ଟାଟାଙ୍କ ଚିରସ୍ଥାୟୀ ପରମ୍ପରାକୁ ସମ୍ମାନ ଜଣାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ପୁନର୍ବାସ ଓ ଥଇଥାନ କଲୋନୀ ଏବଂ କମ୍ପାନିର ହାଉସିଂ କଲୋନିରେ ସପ୍ତାହବ୍ୟାପୀ ଆୟୋଜିତ ଉତ୍ସବରେ ଟାଟା ପରିବାର ସଦସ୍ୟ ଏବଂ କର୍ମଚାରୀଙ୍କ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ଟୁର୍ଣ୍ଣାମେଂଟ ସମେତ ଅନେକ କ୍ରୀଡ଼ା ପ୍ରତିଯୋଗୀତା ଏବଂ ସ୍ଥାନୀୟ ଲୋକଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଟାଟା ଷ୍ଟିଲ କଳିଙ୍ଗନଗର ଏବଂ ଫେରୋ ଆଲଏଜ୍ ପ୍ଲାଂଟ ବ୍ରାହ୍ମଣୀପାଳର ମିଳିତ ସହଯୋଗରେ ରେମାଳ ଡ୍ୟାମରେ ଏକ ସ୍ୱେଚ୍ଛାସେବୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏନଆଇଏନଏଲ୍ ଟାଉନସିପରେ ଆୟୋଜିତ କୁଇଜ୍ ପ୍ରତିଯୋଗିତା ଏବଂ ବିଭିନ୍ନ କ୍ରୀଡ଼ା କାର୍ଯ୍ୟକ୍ରମ ମାଧ୍ୟମରେ କର୍ମଚାରୀ ଓ ସେମାନଙ୍କ ପରିବାର ବର୍ଗ ଏଥିରେ ଅଂଶଗ୍ରହଣ କରିଥିଲେ ।