ଖଲିକୋଟ ହତ୍ୟାକାଣ୍ଡର ତଦନ୍ତ କରିବ ଏସଆଇଟି
khalikote murder case
ଭୁବନେଶ୍ୱର : ଖଲିକୋଟ ନିର୍ବାଚନୀ ହିଂସାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ସୃଷ୍ଟିହୋଇଛି । ଏହା ଏକ ସଂଗୀନ ମାମଲା ହୋଇଥିବାରୁ ଏହାର ତଦନ୍ତ ପାଇଁ ଏସଆଇଟି ଗଠନ କରାଯାଇଛି । ତଦନ୍ତ କରି ଏସଆଇଟି ୩୦ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବେ । ସେହିପରି ମାମଲାରେ ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ମଧ୍ୟ ତୁରନ୍ତ ଗିରଫ କରାଯିବ । ଛତ୍ରପୁରରେ ଜଣେ ଏଡ଼ିଜି ରହି ମାମଲାର ତଦନ୍ତ କରିବେ ବୋଲି ସୂଚନା ମିଳିଛି ।
ସୂଚନାଯୋଗ୍ୟଯେ, ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଶ୍ରୀକୃଷ୍ଣଶରଣପୁର ଗ୍ରାମରେ ନିର୍ବାଚନକୁ ନେଇ ହିଂସାକାଣ୍ଡ ଘଟିଥିଲା । ଗତକାଲି ରାତିରେ ପୋଷ୍ଟର ମାରିବାକୁ କେନ୍ଦ୍ର କରି ଦୁଇଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା । ପରେ ତାହା ହିଂସାକାଣ୍ଡର ରୂପ ନେଇଥିଲା । ବିଜେପି ବିଧାୟକ ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କର ପୋଷ୍ଟର ଲଗାଯାଉଥିବାବେଳେ ଜଣେ ବ୍ୟକ୍ତି ଏହାକୁ ବିରୋଧ କରିଥିଲେ । ଫଳରେ ପ୍ରଥମେ ଯୁକ୍ତିତର୍କ ହେବା ସହ ପରେ ତାହା ଉଗ୍ରରୂପ ନେଇଥିଲା । ଗୋଟିଏ ପକ୍ଷ ଅନ୍ୟ ପକ୍ଷରୁ ଖଣ୍ଡାରେ ଆକ୍ରମଣ କରିଥିଲେ । ଫଳରେ ବିଜେପି ପୋଷ୍ଟର ମାରୁଥିବା ରାମ ପାହାନଙ୍କ ପୁଅ ଦିଲୀପ ଏବଂ ଜିତେନ୍ଦ୍ର ଓ ଦିଲ୍ଲୀପଙ୍କ ଶଳା ବାପୁଜୀ ଓ ସମ୍ପର୍କୀୟ ଦାଦା ଅଭି ଗୁରୁତର ଆହତ ହୋଇଥିଲେ । ସେହିପରି ବିଜେଡ଼ି କର୍ମୀ ସୁଦର୍ଶନ ପାହାନ, କାର୍ତ୍ତିକ ପରିଡ଼ା, କାଳିଆ ପ୍ରଧାନ ଓ ଅନ୍ୟ ଜଣେ ଯୁବକ ବି ଆହତ ହୋଇଥିଲେ । ଖଣ୍ଡା ଚୋଟରେ ଗୋଡ଼, ହାତ ଓ ବେକରେ ଗୁରୁତର କ୍ଷତ ହୋଇଥିଲା । ସେମାନଙ୍କୁ ଏମକେସିଜି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଦିଲୀପଙ୍କ ମୃତ୍ୟୁ ପରେ ଗୋଷ୍ଠୀକନ୍ଦଳ ତୀବ୍ର ରୂପ ନେଇଥିଲା । ଏହା ପ୍ରତିବାଦରେ ମୃତକଙ୍କ ପରିବାର, ସମ୍ପର୍କୀୟ ଓ ବିଜେପି କର୍ମୀମାନେ ଗୁରୁବାର ଥାନା ଘେରାଉ କରିବା ସହିତ ଥାନା ସମ୍ମୁଖ ରାସ୍ତା ଅବରୋଧ କରିଥିଲେ । ଏହି ଘଟଣାରେ ପୁଲିସ ୮ ଜଣଙ୍କୁ ଗିରଫ କରିଥିଲା ।