ଖୁବ୍‌ଶୀଘ୍ର ମିଳିବ କ୍ଷତିପୂରଣ: ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ଅଦିନିଆ ବର୍ଷାରେ କ୍ଷତି ସହିଥିବା କୌଣସି ଚାଷୀ ବିବ୍ରତ ହୁଅନ୍ତୁ ନାହିଁ । କ୍ଷତି ବାବଦରେ ସେମାନଙ୍କୁ ଅର୍ଥରାଶି ମିଳିବ । ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି, ସେମାନେ ତୁରନ୍ତ ଆକଳନ କରିବେ । ଯାହାର ଯାହା କ୍ଷତି ହୋଇଛି, ସେ ସମ୍ପର୍କରେ ରିପୋର୍ଟ ଦେବେ । ଚାଷୀମାନଙ୍କ ଅର୍ଥରାଶି ଆମେ ଦେବୁ ବୋଲି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି । 
ଶୁକ୍ରବାର ମନ୍ତ୍ରୀ କହିଛନ୍ତି, ଏଫ୍‌ଏକ୍ୟୁ ମାନ ଉପରେ ଆମେ ବୁଝାମଣା କରିପାରିବୁନି । କେନ୍ଦ୍ରର ନିର୍ଦ୍ଦେଶ ରହିଛି, ଏଫଏକ୍ୟୁ ମାନ ଉପରେ ଆମେ ବୁଝାମଣା କଲେ ଏଫ୍‌ସିଆଇ ଚାଉଳ ନେବନି । ଯେଉଁମାନଙ୍କର କ୍ଷତି ହୋଇଛି, ସେ କ୍ଷତି ବାବଦରେ ରାଜ୍ୟ ସରକାର ପଇସା ଦେବେ । ଏଫଏକ୍ୟୁ ମାନ ଯେତେ ପର୍ୟ୍ୟନ୍ତ ଚଳାଇ ଯାଇପାରିବ, ତାହା ଜିଲ୍ଲାପାଳମାନେ ନିଷ୍ପତ୍ତି ନେଇ କରିପାରିବେ । ମଣ୍ଡିର ଅବଧି ମାର୍ଚ୍ଚ ପର୍ୟ୍ୟନ୍ତ ରହିଛି । ଜାନୁଆରୀ, ଫେବ୍ରୁଆରୀ ଓ ମାର୍ଚ୍ଚ ୩ ମାସ ଅଛି । ଯେଉଁ ବନ୍ଧୁମାନଙ୍କର ଧାନ ଘରେ ଅଛି, ତାହା ଭଲ ଭାବେ ଘୋଡ଼ାଇ ରଖନ୍ତୁ । ପାଗ ଭଲ ଦେବା ପରେ ଶୁଖାଇ, ଝାଡ଼ି ଆଣି ଦିଅନ୍ତୁ । ତାହା ହେଉଛି ଏଫଏକ୍ୟୁ ମାନ। ଜିଲ୍ଲାପାଳମାନଙ୍କୁ ମଣ୍ଡି ଅବଧି ୧୫ ଦିନ ବଢ଼ାଇବା ନେଇ ସ୍ୱତନ୍ତ୍ର କ୍ଷମତା ଦିଆଯାଇଛି । ସେମାନେ ଚାହିଁଲେ ବଢ଼ାଇପାରିବେ । କାହାର ବି ଟୋକନ୍‌ କୋହଳ କରିବାକୁ ସେମାନଙ୍କୁ କ୍ଷମତା ଦିଆଯାଇଛି । ସରକାର ଯେତେ ସମ୍ଭବ, ଚାଷୀଙ୍କ ହିତ ପାଇଁ କାମ କରୁଛନ୍ତି ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି । 
ମନ୍ତ୍ରୀ ଆହୁରି କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଇ-କେୱାଇସି ପ୍ରକ୍ରିୟା ଜାରି ରହିଛି । ଆଉ କିଛି ଦିନ ଚାଲିବ । ମାତ୍ର ଏବେ ଯାଞ୍ଚ ପରେ ପ୍ରତି ଜିଲ୍ଲାରେ ଲକ୍ଷେରୁ ଦେଢ଼ ଲକ୍ଷ ଭୂତ ହିତାଧିକାରୀ ଥିବା ଜଣାପଡ଼ିଛି । ରାଜ୍ୟରେ ଭୂତ ରାସନକାର୍ଡଧାରୀଙ୍କ ଭଳି ଭୂତ ଚାଷୀଙ୍କୁ ମଧ୍ୟ ଧରାଯିବ । ରାଜ୍ୟରେ ପ୍ରକୃତରେ କେତେ ଚାଷୀ ଅଛନ୍ତି ଜାଣିବାକୁ ପଞ୍ଜୀକରଣ ଆରମ୍ଭ କରାଯାଇଛି । ମିଛ ପଞ୍ଜୀକରଣ କରି ଧାନ ବିକୁଥିବା ଚାଷୀଙ୍କୁ ଧରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ସେହି ଜାଲ ଚାଷୀମାନେ ଅଳ୍ପ ଦାମରେ ଧାନ କିଣି ଅଧିକ ଦାମରେ ସରକାରଙ୍କୁ ବିକ୍ରି କରୁଛନ୍ତି । ଏସବୁ କଥା ଆଉ ଚାଲିବ ନାହିଁ । ଗତ ୨୪ ବର୍ଷ ଧରି ଜାଲ୍‌ କାରବାର ଚାଲିଥିଲା । ଆଉ ଏଣିକି ଚାଲିବନି ବୋଲି ମନ୍ତ୍ରୀ ଚେତାବନୀ ଦେଇଛନ୍ତି ।