ବଡ଼ପୁଅକୁ ଦଳ ଓ ଘରୁ ତଡ଼ିଲେ ଲାଲୁ

ନୂଆଦିଲ୍ଲୀ: ବଡ଼ପୁଅ ତେଜପ୍ରତାପଙ୍କୁ ଦଳରୁ ବହିଷ୍କାର କରିଛନ୍ତି ଲାଲୁ ଯାଦବ  । ଦାୟିତ୍ୱହୀନ ଆଚରଣ ପାଇଁ ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି  । ନିଜ ଫେସବୁକ୍ ପେଜ୍ରେ ସେ ୧୨ ବର୍ଷ ଧରି ରିଲେସନସିପରେ ଥିଲେ ବୋଲି ଉଲ୍ଳେଖ କରିବା ଯୋଗୁଁ ତେଜପ୍ରତାପ ବିବାଦରେ ରହିଥିଲେ  ।
ଏନେଇ ଲାଲୁ ନିଜର ଏକ୍ସ ପୋଷ୍ଟରେ ଉଲ୍ଳେଖ କରିଛନ୍ତିଯେ, ବ୍ୟକ୍ତିଗତ ଜୀବନରେ ନୈତିକ ମୂଲ୍ୟକୁ ଅବହେଳା କରିବା ଆମ ସାମାଜିକ ନ୍ୟାୟ ପାଇଁ ସାମୂହିକ ସଂଘର୍ଷକୁ ଦୁର୍ବଳ କରିଦିଏ  । ବଡ଼ ପୁଅର ଗତିବିଧି ଲୋକ ଆଚରଣ ତଥା ଦାୟିତ୍ୱହୀନ ବ୍ୟବହାର ଆମ ପାରିବାରିକ ମୂଲ୍ୟବୋଧ ଓ ସଂସ୍କାରର ଅନୁରୂପ ନୁହେଁ  । ଅତଏବ ଉପରୋକ୍ତ ପରିସ୍ଥିତିରେ ତାଙ୍କୁ ପାର୍ଟି ଓ ପରିବାର ଠାରୁ ଦୂର କରୁଛି  । ଏବେଠାରୁ ଦଳ ଓ ପରିବାରରେ ତାଙ୍କର କୌଣସି ଭୂମିକା ରହିବ ନାହିଁ  । ତାଙ୍କୁ ୬ ବର୍ଷ ପାଇଁ ଦଳରୁ ବହିଷ୍କାର କରାଯାଉଛି  । ନିଜ ଜୀବନର ଭଲମନ୍ଦ ଓ ଦୋଷ ଦୁର୍ବଳତା ଦେଖିବା ପାଇଁ ସେ ନିଜେ ସକ୍ଷମ । ତା ସହ ଯେଉଁ ଲୋକ ସମ୍ପର୍କ ରଖିବେ ସେମାନେ ନିଜ ବିବେକ ଅନୁସାରେ ନିର୍ଣ୍ଣୟ ନେବା ଦରକାର  । ବ୍ୟକ୍ତିଗତ ଜୀବନରେ ସବୁବେଳେ ଲୋକଲଜ୍ଜାର ଗୁରୁତ୍ୱ ରହିଛି ବୋଲି ଲାଲୁ ଉଲ୍ଳେଖ କରିଛନ୍ତି  । ଲାଲୁଙ୍କ ନିଷ୍ପତ୍ତିକୁ ସାନ ପୁଅ ତେଜସ୍ୱୀ ଯାଦବ ସ୍ୱାଗତ କରିଛନ୍ତି  । ବଡ଼ଭାଇଙ୍କ ଆଚରଣକୁ ବି ସେ ନିନ୍ଦା କରିଛନ୍ତି  ।  ସୂଚନାଯୋଗ୍ୟଯେ, ବଡ଼ପୁଅ ତେଜପ୍ରତାପ ନିଜ ଫେସବୁକ୍ରେ ଅନୁଷ୍କା ଯାଦବଙ୍କ ସହ ୧୨ ବର୍ଷର ପ୍ରେମ ସମ୍ପର୍କ ରହିଛି ବୋଲି ଉଲ୍ଲେଖ କରିଥିଲେ  । ଯାହାକୁ ନେଇ ତୁମ୍ବିତୋଫାନ୍ ହୋଇଛି  । ତେଜ ପ୍ରତାପ ପୂର୍ବରୁ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦାରୋଗା ରାୟଙ୍କ ନାତୁଣୀ ତଥା ପୂର୍ବତନ ମନ୍ତ୍ରୀ ଚନ୍ଦ୍ରିକା ରାୟଙ୍କ ଝିଅ ଐଶ୍ୱର୍ଯ୍ୟାଙ୍କୁ ବିବାହ କରିଥିଲେ  । କିନ୍ତୁ କିଛିଦିନ ପରେ ସେମାନେ ଅଲଗା ହୋଇ ଯାଇଥିବାବେଳେ ମାମଲା କୋର୍ଟରେ ବିଚାରାଧୀନ ରହିଛି  । ସେହିପରି ଚନ୍ଦ୍ରିକା ମଧ୍ୟ ପ୍ରତିବାଦରେ ଆରଜେଡ଼ି ଛାଡ଼ି ଦେଇଥିଲେ  ।