ଲୋକାୟୁକ୍ତ ଆଇନର ପରିବର୍ତ୍ତନ ନେଇ ଦାବି

 ଜୟପୁର: ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଂଗଠନ ପକ୍ଷରୁ ଜୟପୁର ଠାରେ ଅନୁଷ୍ଠିତ ଏକ ସମ୍ବାଦିକ ସମ୍ମଳନୀରେ  ଲୋକାୟୁକ୍ତ ଆଇନରେ ତୁରନ୍ତ ରାଜ୍ୟ ସରକାର ପରିବର୍ତ୍ତନ କରିବା ପାଇଁ ସଂଗଠନ ପକ୍ଷରୁ ଦାବି କରାଯାଇଛି  । ବିଗତ ୨୪ ବର୍ଷ ମଧ୍ୟରେ ରାଜ୍ୟରେ ପ୍ରତ୍ୟେକ କ୍ଷେତ୍ରରେ ଦୁର୍ନିତୀର ପରିମାଣ ବହୁ ପାରିମାଣରେ ବୃଦ୍ଧି ପ୍ରାପ୍ତ ହୋଇଛି । ଏତେ ସଂଖ୍ୟକ ଦୁର୍ନିତୀ ବିରୋଧ ମକୋଦ୍ଦମାକୁ ଫଇସାଲା କରିବା ଓ ଦୁର୍ନିତୀଗ୍ରସ୍ତ ଧୂକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଭିଜିଲାନସ୍ ବିଭାଗ ପାଖରେ ମାନବ ସମ୍ବଳ ଓ ପ୍ରଚଳିତ ଆଇନ୍ ବ୍ୟବସ୍ଥାରେ କାର୍ଯ୍ୟକ୍ରମ ଗ୍ରହଣ କରିବା କଷ୍ଟକର ବ୍ୟାପାର  । ଅନ୍ୟ ରାଜ୍ୟରେ ଯେଉଁଭଳି ଭାବରେ ଲୋକାୟୁକ୍ତକୁ ସ୍ୱତନ୍ତ୍ର କ୍ଷମତା ପ୍ରଦାନ କରାଯାଇ ବିଭିନ୍ନ ଅସାଧୁ ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ସର୍ଚ୍ଚ ୱାରେଣ୍ଟ ଜାରିକରି କାର୍ଯ୍ୟକ୍ରମ ଗ୍ରହଣ କରାଯାଉଛି ଆମ ରାଜ୍ୟରେ ମଧ୍ୟ ଏହାର ଆବଶ୍ୟକତା ରହିଛି । ରାଜନୈତିକ ବ୍ୟକ୍ତିବିଶେଷ ଓ ସରକାରୀ କର୍ମଚାରୀଙ୍କର ବିଭିନ୍ନ ଦୁର୍ନିତୀ ଗ୍ରସ୍ତ କାର୍ଯ୍ୟକ୍ରମକୁ ରୋକିବା ପାଇଁ ଲୋକୟୁକ୍ତକୁ କ୍ଷମତା ଦେବାରେ ଆବଶ୍ୟକ?ତା ରହିଛି । ସର୍ବ ଭାରତୀୟ କ୍ଷେତ୍ରରେ ଓଡ଼ିଶାର ଦୁର୍ନିତୀର ମାତ୍ରା ସର୍ବାଧିକ । ସର୍ବ ଭାରତୀୟ କ୍ଷେତ୍ରରେ ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ ଯେଉଁଠି ବହୁ ସଂଖ୍ୟକ ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ଦୁର୍ନିତୀ ଗ୍ରସ୍ତ ମାମଲା ରୁଜୁ କରାଯାଇଛି । ଏହା ଭିଜିଲାନସ୍ ନିଦେ୍ର୍ଦଶାଳୟ ରିପୋର୍ଟରୁ ଜଣାପଡୁଛି  । ଅନ୍ୟ ରାଜ୍ୟର ଆଇନ୍ ସହ ତର୍ଜମା କରି ନୂତନ ଆଇନ୍ ନୂଆ ସରକାର ଗ୍ରହଣ କରିବା ପରେ ଆସନ୍ତା ଜାନୁୟାରୀ ମାସରେ ଭ୍ରଷ୍ଟାଚର ବିରୋଧ ସଂଗଠନ  ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଓ ଦସ୍ତଖତ ସଂଗ୍ରହ କାର୍ଯ୍ୟକ୍ରମ ଆରମ୍ଭ କରାଯିବ  । ବିଗତ ବର୍ଷ ଅବିଭକ୍ତ କୋରାପୁଟ ଜିଲ୍ଲାର ନବରଙ୍ଗପୁରକୁ ଭ୍ରଷ୍ଟାଚାର ବିରୋଧ୍ ସଂଗଠନ ଦୁର୍ନିତୀ ନିରାକାରଣ ଜିଲ୍ଲା ଭାବରେ ଗ୍ରହଣ କରି ଅନେକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି  । ଭିଜିଲାନସ୍ ବିଭାଗ ଦ୍ୱାରା ଗିରଫ ହୋଇଥିବା ସବ୍-କଲେକ୍ଟରଙ୍କ ଠାରୁ ଆରମ୍ଭ କରି ପ୍ରାଥମିକ ଶିକ୍ଷା ଜିଲ୍ଲା ଅଧିକାରୀଙ୍କ ଦୁର୍ନିତୀର କାର୍ଯ୍ୟାବଳୀକୁ ଜନସାଧାରଣ ନିକଟରେ ପହଁଚାଇବା ଓ ଲୋକଙ୍କ ଠାରୁ ଏ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ପାଇଁ ବେସରକାରୀ ଭାବରେ ଜନ ଅଭିଯୋଗ ଶୁଣାଣି ଶିବିର ଆୟୋଜନ କରାଯାଇଥିଲା  । ସଙ୍ଗଠନର ବହୁ କର୍ମକର୍ତ୍ତା ଜନ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଦୁର୍ନିତୀ ସଂପର୍କରେ ସବିଶେଷ ତଥ୍ୟ ଜନସାଧାରଣଙ୍କ ଠାରୁ ଗ୍ରହଣ କରିଥିଲେ  । ଜନ ଅଭିଯୋଗ ଶୁଣାଣି ଶିବିରର ସୁପାରିଶକୁ ତତ୍ କାଳୀନ ସରକାରଙ୍କୁ ପ୍ରେରଣ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବୀ କରାଯାଇଥିଲା । ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଧାନ ମଣ୍ଡିରେ ଦୁର୍ନିତୀ, ସାର ଆବଣ୍ଟନରେ କଳା ବଜାରୀ ଓ ସର୍ବପରି ସ୍କୁଲ ୟୁନିଫର୍ମ ଦୁର୍ନିତୀ ଗ୍ରହଣ କରାଯାଇଥିବା ଦୁର୍ନିତୀକୁ ଲୋକ ଲୋଚନକୁ ଆଣିବା ପାଇଁ ଭ୍ରଷ୍ଟାଚାର ବିରୋଧ ସଂଗଠନ ବହୁ କାର୍ଯ୍ୟକ୍ରମ ଗ୍ରହଣ କରିଛି । ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ସଂଗଠନ ପକ୍ଷରୁ ଜନଶୁଣାଣୀ ଓ ଲୋକଙ୍କ ଠାରୁ ଅଭିଯୋଗ ପତ୍ର ଗ୍ରହଣ କରିବାରେ ଏହି ସଂଗଠନ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ସରକାର ପରିବର୍ତ୍ତନ ହେଲେ ଦୁର୍ନିତୀର ମାତ୍ରା କମିବ ନାହିଁ  । ବିଭିନ୍ନ ସରକାରୀ ଯୋଜନାରେ ଆସୁଥିବା ଅର୍ଥ ବିଭିନ୍ନ କ୍ଷେତ୍ରରେ ବାଟମାରଣା କରି ରାଜନୈତିକ ବ୍ୟକ୍ତି ବିଶେଷ ଓ ସରକାରୀ କର୍ମଚାରିଙ୍କ ମଧୁଚନ୍ଦ୍ରିକାକୁ ଶେଷ କରିବା ପାଇଁ ଆଗାମୀ ଦିନରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଏହି ସଂଗଠନ ପକ୍ଷରୁ କାର୍ଯ୍ୟକ୍ରମ ଗ୍ରହଣ କରାଯିବ ।ସାମ୍ବାଦିକମାନେ ବିଭିନ୍ନ ସମୟରେ ଏହି ସବୁ ଦୁର୍ନିତୀର ପରଦାଫାସ କରିବା ପାଇଁ ଯେଉଁ କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି ସଂଗଠନ ତାକୁ ସ୍ୱାଗତ କରୁଛି । ଆଗାମୀ ଦିନରେ ଦୁର୍ନିତୀ ବିରୁଦ୍ଧରେ ସମ୍ବାଦିକମାନଙ୍କ ଲଢେଇରେ ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧ ସଂଗଠନର ରାଜ୍ୟ କମିଟି ସହଯୋଗ କରିବ । ସଂଗଠନର ରାଜ୍ୟ ଆବାହାକ ବରିଷ୍ଠ ଆଇନ୍ଜୀବୀ ସୁବ୍ରତ କୁମାର ନନ୍ଦ, କୋରାପୁଟ ଜିଲ୍ଲା ସଭାପତି ବରିଷ୍ଠ ଆଇନଜୀବୀ  ଅଶୋକ ମିଶ୍ର, ନବରଙ୍ଗପୁର ଜିଲ୍ଲା ସଭାପତି ସାମ୍ବାଦିକ  ଈଶ୍ୱର ରାଓ, ସାଧାରଣ ସମ୍ପାଦକ  ଅର୍ଜନ୍ ଭତ୍ରା, ବୋରିଗୁମା ବ୍ଳକ ସଭାପତି ରବି ଶଙ୍କର ମହାପାତ୍ର, ଜୟପୁର ମୁ୍ୟନିସିପାଲିଟିରୁ ପୂର୍ଣଚନ୍ଦ୍ର ପାଢ଼ି ଓ ଜୟପୁର ବ୍ଲକ ସଭାପତି  ନରସିଂହ ନାୟକ ପ୍ରମୁଖ ଯୋଗଦେଇ ସାମ୍ବାଦିକମାନଙ୍କୁ ସୂଚନା ପ୍ରଦାନ କରିଥିଲେ ।