ମାଓକ୍ୟାମ୍ପରୁ ଅସ୍ତ୍ରଶସ୍ତ୍ର ଜବତ

ମାଲକାନଗିରି: ସୀମାନ୍ତ ଛତିଶଗଡର ସୁକମା ପୁଲିସ ସର୍ଚ୍ଚ ଅପରେସନ କରୁଥିବା ବେଳେ ମାଓ ଡମ୍ପକୁ ଠାବ କରିଛି  । ଏହି ମାଓ ଡମ୍ପରୁ ବହୁ ପରିମାଣର ବିସ୍ଫୋରକ ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ଆଦି ଜବତ କରାଯାଇଛି  ।
ବିଶେଷ ସୂତ୍ରରୁ ଖବର ପାଇ ସୁକମା ଜିଲ୍ଲା ପୁଲିସ, କୋବ୍ରା ଯବାନ, ସିଆରପିଏଫ ଯବାନ ବୋଟିଲଙ୍କା, ଇରାପାଲ୍ଲୀ, କୋଇମେଟା ଜଙ୍ଗଲରେ ସର୍ଚ୍ଚ ଅପରେସନ କରୁଥିଲେ  । ତେବେ କୋଇମେଟା ଜଙ୍ଗଲରେ ନକ୍ସଲ ଏକ ଡମ୍ପ କରି ସେଥିରେ ବିପୁଳ ପରିମାଣର ଦେଶୀ ବନ୍ଧୁକ ସହ ବିସ୍ଫୋରକ ଗଚ୍ଛିତ କରି ରଖିଥିଲେ  । ଏହି ହତିଆର ଓ ବିସ୍ଫୋରକଗୁଡିକ ଆଗାମୀ ଦିନରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ଗଚ୍ଛିତ କରି ରଖାଯାଇଥିବା ପୁଲିସ କହିଛି  । ସେହିପରି ନାରାୟଣପୁର ଜିଲ୍ଲାର ମାରକାବେଡା ଜଙ୍ଗଲରେ ଆଇଟିବିପି ଓ ଡିଆରଜି ଯବାନ ସର୍ଚ୍ଚ ଅପରେସନ କରୁଥିବା ବେଳେ ଜଂଗଲରେ ଜଣେ ସନ୍ଦିଗ୍ଧ ବ୍ୟକ୍ତି ଯବାନଙ୍କୁ ଦେଖି ଦୌଡି ପଳାଇବାକୁ ଚେଷ୍ଟା କରୁଥିଲା  । ତୁରନ୍ତ ଯବାନ ଜଂଗଲକୁ ଘେରି ସେହି ବ୍ୟକ୍ତିକୁ ଗିରଫ କରିଥିଲେ  । ଗିରଫ ହୋଇଥିବା ମାଓବାଦୀ ଇନ୍ଦ୍ରାବତୀ ମାଓ ଡିଭିଜନର ସଦସ୍ୟ ମଡ୍ଡା କୁହଡାମ ବୋଲି ଜଣାପଡ଼ିଛି  । ଗିରଫ ନକ୍ସଲ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ଜଙ୍ଗଲରେ ଲ୍ୟାଣ୍ଡମାଇନ ଖଞ୍ଜୁଥିଲା  ।