ବାସନ୍ତୀଦେବୀ ହାଇସ୍କୁଲର ବାର୍ଷିକୋତ୍ସବ

ବଡ଼ସାହି: ବଡ଼ସାହି ବ୍ଲକ୍ ଅନ୍ତର୍ଗତ ଚାନ୍ଦଡିହା ଗ୍ରାମର ବାସନ୍ତୀ  ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟର ୪୯ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ନାଥଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମ  ୨୦୨୩-୨୪ ଶିକ୍ଷାବର୍ଷର ବିଦ୍ୟାଳୟର ସର୍ବାଧିକ ନମ୍ବର ରଖିଥିବା ନିଶାନ୍ ନାରାୟଣ ଖିଲାରଙ୍କ ଦ୍ୱାରା ଉଦ୍ଘାଟନ କରାଯାଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମନମୋହନ ମହାପାତ୍ର ଯୋଗ ଦେଇ ଏକବିଂଶ ଶତାବ୍ଦୀର ଶିକ୍ଷାବ୍ୟବସ୍ଥା ଉପରେ ବକ୍ତବ୍ୟ ମାଧ୍ୟମରେ ଗୁରୁତ୍ୱାରୋପ କରିଥିଲେ । ମୁଖ୍ୟବକ୍ତା ଭାବେ ବଡ଼ସାହି ପଞ୍ଚାୟତ ସମିତିର ଉପାଧ୍ୟକ୍ଷ କାଞ୍ଚନ କୁମାର ପ୍ରଧାନ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରିଣୀ ବସନ୍ତ ମଞ୍ଜରୀ ପଟ୍ଟନାୟକ, ଅତିରିକ୍ତ ଶିକ୍ଷାଧିକାରୀ  ରାଧିଆ ଚରଣ ମୁଣ୍ଡା, ସିଆରସିସି ସଞ୍ଜୟ କୁମାର ପାତ୍ର, ସୁହାଗପୁର ସରପଞ୍ଚ, ଅବସରପ୍ରାପ୍ତ ସମସ୍ତ ପ୍ରଧାନଶିକ୍ଷକ, ସହକାରୀ ଶିକ୍ଷକ ଓ କର୍ମଚାରୀ ଉପସ୍ଥିତ ରହି ଶିକ୍ଷାର ଜୀବନ୍ତ ପରିଭାଷା ସମ୍ୱନ୍ଧରେ ସରଳ ବ୍ୟାଖ୍ୟାନ କରିଥିଲେ । ଗୁରୁ ଶିଷ୍ୟ ପରମ୍ପରାକୁ ଉଜ୍ଜୀବିତ କରି ରଖିବା ପାଇଁଁ ଅନୁଷ୍ଠାନର ପ୍ର.ଶିଙ୍କ ଆହ୍ୱାନକ୍ରମେ ସମସ୍ତ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ତଥା ସହକାରୀ ଶିକ୍ଷକ ଓ କର୍ମଚାରୀଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ବସ୍ତ୍ର ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟଗଣ ତଥା ଶିକ୍ଷାବିତ୍ ଗୁଣନିଧି ମହାନ୍ତି ଉକ୍ତ ସମାରୋହରେ ଯୋଗଦାନ କରି ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ତଥା ଛାତ୍ରଛାତ୍ରୀଙ୍କର ଉତ୍ତମ ଅଧ୍ୟୟନ ସମ୍ପର୍କରେ ମତ ରଖିଥିଲେ । ବିଦ୍ୟାଳୟର ସଂସ୍କୃତ ଶିକ୍ଷକ କମଳାକାନ୍ତ ରଥ  ମଞ୍ଚ ପରିଚାଳନା କରିଥିବାବେଳେ ବିଜ୍ଞାନ ଶିକ୍ଷୟିତ୍ରୀ ସୁଚିତ୍ରା ତରେଇ ବାର୍ଷିକ ବିବରଣୀ ପାଠ କରିଥିଲୋ । ଏହି ଅବସରରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଶେଷରେ ଶିକ୍ଷକ ଶଶିକାନ୍ତ ଦାସ ଧନ୍ୟବାଦ ଦେଇଥିଲେ । ବିଦ୍ୟାଳୟର  ଶିକ୍ଷକଶିକ୍ଷୟିତ୍ରୀ  ଜିତେଶ୍ୱର ନାଏକ,  ଅଲେଖ ମଲିକ, ଶଶିକାନ୍ତ ଦାସ, ସୁଚିତ୍ରା ତରେଇ, ସରିତା ସେନାପତି, ଭାନୁମତୀ ପାଲ, ଭବତୋଷ କୁମାର ଦାଶ ଓ  ମାମିନା ନାଏକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।