ଯା’ରେ ଗୁଡ଼ି ଉଡ଼ି ଯା
ପ୍ରସନ୍ନ କୁମାର ମିଶ୍ର : ଆମ ଦେଶରେ ଶୀତ ଋତୁରେ ଗୁଡ଼ି ଉଡ଼ାଇବା ଏକ ପ୍ରାଚୀନ ଓ ଲୋକପ୍ରିୟ ପରଂପରା । ଖୁବ୍ ଲମ୍ବା ମାଞ୍ଜାସୂତାରେ ବନ୍ଧାହୋଇ ରଙ୍ଗ ବେରଙ୍ଗର ସୁନ୍ଦର ଗୁଡ଼ି ଅଧିକରୁ ଅଧିକ ଉଚ୍ଚ ଉଡ଼ାଇବା, ଉଡ଼ୁଥିବା ଅନ୍ୟ ଏକ ଗୁଡ଼ିରେ ସୂତା ସହିତ ନିଜ ଗୁଡ଼ିର ସୂତାଛନ୍ଦି ଲଢ଼େଇ କରିବା, ଅପର ଗୁଡ଼ିଟିର ସୂତାକାଟି ସେଇଟି ଆକାଶରେ ଆଶ୍ରୟହୀନ ଭାବେ ଭାସିଯାଉଥିବା ବେଳେ ବିଜୟ ଆନନ୍ଦରେ ନାଚିଯିବା ଓ ସେହି ସମୟରେ କଟି ଯାଇଥିବା ଗୁଡ଼ିଟିକୁ ଧରିବା ପାଇଁ ହାତରେ ବାଡ଼ି, ବାଉଁଶ ଓ ଡାଳପତ୍ର ଧରି ଧାଉଁଥିବା ପିଲାମାନଙ୍କର ଦଉଡ଼ ଅତୀବ ଆନନ୍ଦଦାୟକ ।
ଭାରତର ପ୍ରାୟ ସବୁ ଅଂଚଳରେ ଗୁଡ଼ି ଉଡ଼ାଇବାର ପ୍ରଥା ପ୍ରଚଳିତ ଅଛି । ଏହି ଗୁଡ଼ି ଉଡ଼ାଇବାର ପରମ୍ପରା କେବେଠାରୁ ଏବଂ କେଉଁ ଦେଶରୁ ଆରମ୍ଭ ହେଲା, ତାହାର କୌଣସି ଐତିହାସିକ ପ୍ରମାଣ ନାହିଁ । ତଥାପି ଏହା ଯେ ଅତି କମ୍ରେ ଦୁଇ ହଜାର ପାଞ୍ଚଶହ ବର୍ଷ ପୁରୁଣା ଏଥିରେ କାହାରି ଦ୍ୱିମତ ନାହିଁ । ଐତିହାସିକମାନଙ୍କ ମତରେ ଚୀନ ଦେଶରେ ସର୍ବପ୍ରଥମେ ଗୁଡ଼ିଉଡ଼ା ପ୍ରଥା ଆରମ୍ଭ କରାଯାଇଥିଲା । ସେ ସମୟରେ ଚୀନର ସମ୍ରାଟ “ଲିଆଙ୍ଗ’ ନିଜ ଲିଖିତ ନିଦେ୍ର୍ଦଶ ଓ ବାର୍ତ୍ତାଗୁଡ଼ିକ ରାଜ୍ୟର ବିଭିନ୍ନ ଅଂଚଳରେ ଥିବା ରାଜ କର୍ମଚାରୀମାନଙ୍କ ନିକଟରେ ପହଂଚାଇବା ନିମନ୍ତେ ଗୁଡ଼ିର ସାହାଯ୍ୟ ନେଉଥିଲେ । ଗୁଡ଼ି ସହିତ ଲିଖିତ ବାର୍ତ୍ତା ବା ନିଦେ୍ର୍ଦଶାବଳୀ ବାନ୍ଧି ଉଚ୍ଚ ଆକାଶରେ ଉଡ଼ାଇ ଦିଆଯାଇଥିଲା । କେତେକଙ୍କ ମତରେ ଗୁଡ଼ିର ଆବିଷ୍କାରକ ହେଉଛନ୍ତି ଗ୍ରୀସର ଟେରେଟମ୍ ରାଜ୍ୟବାସୀ ‘ଆରକାଇଟସ’୍ ନାମକ ଜଣେ ବ୍ୟକ୍ତି । ସେ ପ୍ରଥମେ ଏହାର ନାମ ନିଜର ନାମ ଅନୁସାରେ “କାଇଟ୍’ ରଖିଥିଲେ । କେତେକ କହନ୍ତି ଖ୍ରୀଷ୍ଟପୂର୍ବ ୨୦୬ ମସିହାରେ ଚୀନରେ ପ୍ରସିଦ୍ଧ “ହାନ’ ସାମ୍ରାଜ୍ୟର ସଂସ୍ଥାପକ ଥିଲେ “ଲିୟୁପେଙ୍ଗ’ । ଥରେ ଏକ ସ୍ଥଳଯୁଦ୍ଧରେ ସମ୍ରାଟ ଏକୁଟିଆ ଶତ୍ରୁସୈନ୍ୟମାନଙ୍କ ଘେରରେ ପଡି ଯାଇଥିଲେ । ସେମାନେ ସମ୍ରାଟଙ୍କୁ ହତ୍ୟା କରିବା ଉଦେ୍ଦଶ୍ୟରେ ଘେର ଛୋଟକରି କ୍ରମଶଃ ଆଗେଇ ଯାଉଥିଲେ । ଏହି ସମୟରେ ଅଳ୍ପଦୂରରେ ଥିବା ଚୀନା ସୈନ୍ୟମାନେ ତାଙ୍କୁ ରକ୍ଷା କରିବାପାଇଁ ଶୀଘ୍ର ଶୀଘ୍ର ଅନେକ ଗୁଡ଼ି ତିଆରି କରି ଆକାଶରେ ଉଡ଼ାଇଦେଲେ । ଏହି ଗୁଡ଼ିସବୁ ଏଭଳି କୌଶଳରେ ତିଆରି ହୋଇଥିଲା ଯେ, ଆକାଶରେ ଉଡ଼ିଲା ମାତ୍ରେ ଏଥିରୁ ବିଚିତ୍ର ଶବ୍ଦସବୁ ବାହାରି ଚାରିଆଡ଼ କମ୍ପାଇ ଦେଲା । ଶତ୍ରୁସୈନ୍ୟମାନେ ଭୟରେ ଛତ୍ରଭଙ୍ଗ ଦେଇ ପଳାଇଲେ । ସମ୍ରାଟ “ଲିୟୁପେଙ୍ଗ’ ନିଶ୍ଚିତ ମୃତୁ୍ୟରୁ ରକ୍ଷା ପାଇବା ସଙ୍ଗେ ସଙ୍ଗେ ଯୁଦ୍ଧରେ ବିଜୟୀ ହୋଇଥିଲେ ।
ଉଡ଼ାଜାହାଜର ଉଦ୍ଭାବକ “ରାଇଟ୍ ବ୍ରଦର୍ସ’ ଗୁଡ଼ି ଉଡ଼େଇବା ପ୍ରକ୍ରିୟାରୁ ଅନେକ କିଛି ତଥ୍ୟ ପାଉଥିଲେ ଯାହାକି ପରବର୍ତ୍ତୀ କାଳରେ ଉଡ଼ାଜାହାଜ ଉଦ୍ଭାବନରେ ତାଙ୍କୁ ଅନେକ ସାହାଯ୍ୟ କରିଥିଲା । ବିଶ୍ୱ ଇତିହାସରେ ସର୍ବପ୍ରଥମେ ଆମ ଆକାଶର ଗୂଢ଼ତଥ୍ୟ ସମ୍ବନ୍ଧରେ ଅନେକ କିଛି ଗୁଡ଼ି ମାଧ୍ୟମରେ ହିଁ ଜଣାପଡ଼ିଥିଲା । ବିଶ୍ୱପ୍ରସିଦ୍ଧ ବୈଜ୍ଞାନିକ ବେଞ୍ଜାମିନ୍ ଫ୍ରାଙ୍କଲିନ୍ ୧୭୫୨ ମସିହା ଜୁନ୍ ମାସରେ ଗୁଡ଼ିରେ କେତେକ ହାଲୁକା ଯନ୍ତ୍ରପାତି ଖଞ୍ଜି ପ୍ରମାଣ କରିଥିଲେ ଯେ, ବର୍ଷା ସମୟରେ ଆକାଶରେ ଆମେ ଯେଉଁ ଧଳା ଧଳା ବଙ୍କାତେଡ଼ା ଆଲୋକ ରେଖା ଦେଖୁ ତାହା “ବିଜୁଳି ଶକ୍ତି’ରୁ ଉତ୍ପନ୍ନ । ସନ ୧୮୧୪ ମସିହାରେ ବିଶିଷ୍ଟ ବୈଜ୍ଞାନିକ ମାର୍କୋନୀ ଆଟଲାଂଟିକ ମହାସାଗର କୂଳରେ ଠିଆହୋଇ ଗୋଟିଏ ଗୁଡ଼ି ସାହାଯ୍ୟରେ ଦୂରସ୍ଥାନକୁ ରେଡ଼ିଓ ବାର୍ତ୍ତା ପ୍ରେରଣ କରିଥିଲେ । ସନ୍୧୮୨୦ରେ ଇଂଲଣ୍ଡର “ଜର୍ଜ ପୋକାକ୍’ ଏଭଳି ଏକ ଯନ୍ତ୍ର ନିର୍ମାଣ କରିଥିଲେ ଯାହାକି ଉଡ଼ୁଥିବା ଗୁଡ଼ି ସାହାଯ୍ୟରେ ଚାଲୁଥିଲା ।
୧୮୮୩ ମସିହାରେ ଇଂଲଣ୍ଡର “ଡଗଲାସ ଆକିବେଲ୍ଡ଼’ ଗୁଡ଼ିରେ ଏକ କ୍ଷୁଦ୍ରାକାର ପବନ ପରିମାପକ ଯନ୍ତ୍ର ବାନ୍ଧି ଏହାକୁ ଭୂପୃଷ୍ଠରୁ ୧୨୦୦ ଫୁଟ ଉଚ୍ଚରେ ଉଡ଼ାଇ ସେଠାରେ ପବନର ବେଗ ନିର୍ଦ୍ଧାରଣ କରିଥିଲେ । ଏହାର ଚାରିବର୍ଷ ପରେ ଡଗଲାସ ୧୮୮୭ ମସିହାରେ ଗୁଡ଼ି ଦେହରେ କ୍ୟାମେରା ବାନ୍ଧି ଉଚ୍ଚ ଆକାଶର କେତେଗୁଡ଼ିଏ ଫଟୋ ଉଠାଇଥିଲେ ।
ପ୍ରତିବର୍ଷ ଜାପାନରେ ମଇ ୫ ତାରିଖ ଦିନ ଜାତୀୟ ଶିଶୁଦିବସ ପାଳନ ଅବସରରେ ଦେଶସାରା ରଙ୍ଗବେରଙ୍ଗ ଓ ବିଭିନ୍ନ ଆକୃତିର ସୁନ୍ଦର ସୁନ୍ଦର ଗୁଡ଼ି ଉଡ଼ାଯାଇଥାଏ । ଉତ୍ସବର ବହୁପୂର୍ବରୁ ଜାପାନୀ ବାଳକମାନେ ଏଥିପାଇଁ ପ୍ରସ୍ତୁତି କରିଥାଆନ୍ତି । ସେମାନେ ଶିଶୁଦିବସ ଦିନ ପଡ଼ିଆରେ ଏକତ୍ର ହୁଅନ୍ତି ଓ କେରାଣ୍ଡି ମାଛ ଆକୃତିର ଗୁଡ଼ି ଉଡ଼ାନ୍ତି । ସେମାନେ ନିଜ ଘରର ଛାତରେ ବାଉଁଶ ଖୁଂଟି ପୋତି ସେଥିରେ ସୂତାକୁ ବାନ୍ଧିଦେଇ ଗୁଡ଼ି ଉଡ଼ାଇ ଥାଆନ୍ତି । ବଡ଼ମାନେ ଏହିଦିନ ଏକ ସାଧାରଣ ସ୍ଥାନରେ ଏକତ୍ର ହୋଇ ବିରାଟକାୟ କେରାଣ୍ଡି ମାଛ ଗୁଡ଼ି ଉଡ଼ାନ୍ତି । ଏଗୁଡ଼ିକର ଆକାର ଏତେ ବଡ଼ ଯେ ଗୋଟିଏ ଗୋଟିଏ ଗୁଡ଼ିର ଲମ୍ବ ୧୫ ମିଟର ଓ ଏବଂ ଓଜନ ପ୍ରାୟ ୮ କି.ଗ୍ରା. ହୋଇଥାଏ । ଜାପାନରେ କେରାଣ୍ଡି ମାଛକୁ ସବୁଠାରୁ ସବଳ, ବୁଦ୍ଧିମାନ ଓ ସାହସୀ ମନେ କରାଯାଏ । କାରଣ ଛୋଟ ମାଛଟିଏ ହେଲେ ମଧ୍ୟ ସେ ଜଳସ୍ରୋତର ପ୍ରତିକୂଳରେ ପହଁରିପାରେ ଏବଂ ଜଳ ପ୍ରପାତର ଧାରାରେ ତଳୁ ଉପରକୁ ଉଠିଯାଇପାରେ ।
ପ୍ରତିବର୍ଷ ଅହମ୍ମଦାବାଦରେ ମକର ସଂକ୍ରାନ୍ତି ଦିନ ଖୁବ୍ ଜାକଜମକରେ ଗୁଡ଼ିଉଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୁଏ । ସେଠାରେ ବିଭିନ୍ନ ଆକୃତିର ଖୁବ୍ ବଡ଼ ବଡ଼ ଗୁଡ଼ି ଉଡ଼ାଯାଏ । ଜଣେ ଜଣେ ପ୍ରତିଯୋଗୀ ଏକସଙ୍ଗେ ଗୋଟିଏ ସୂତାରେ ୩୦୦ ଗୁଡ଼ି ବାନ୍ଧିବାର ନଜିର ରହିଛି ।ଏଠାରେ ଗୋଟିଏ ବିରାଟ ଗୁଡ଼ି ମୁ୍ୟଜିୟମ୍ ଅଛି । ଏଥିରେ ବିଭିନ୍ନ ଦେଶର ଭିନ୍ନ ଭିନ୍ନ ଆକାର ଓ ରଙ୍ଗର ଗୁଡ଼ି ରଖାଯାଇଛି । ସେଠାରେ ଏଭଳି ବିଚିତ୍ର ଗୁଡ଼ି ଅଛି ଯାହାକୁ ଦେଖିଲେ ଗୁଡ଼ି ବୋଲି ବିଶ୍ୱାସ ହୁଏନାହିଁ ।
ସେହିପରି କେତେଗୁଡ଼ିଏ ଗୁଡ଼ି ବିଷୟରେ ମଜାଳିଆ ବିବରଣୀ । ୱାଶିଂଟନ ସ୍ଥିତ ଏଡ଼ମଣ୍ଡ କମୁ୍ୟନିଟି କଲେଜର ଦଳେ ଛାତ୍ର ଲୋଗ୍ ସମୁଦ୍ରକୂଳରେ ୨୧ ଅଗଷ୍ଟରୁ ୨୯ ଅଗଷ୍ଟ (୧୯୮୨) ପର୍ଯ୍ୟନ୍ତ ଦୀର୍ଘ ଆଠଦିନ ମୋଟ୍ ୧୮୦ ଘଂଟା ୧୭ ମିନିଟ୍ ଲଗାତାର ଗୁଡ଼ି ଉଡ଼ାଇ ରେକର୍ଡ଼ ସୃଷ୍ଟି କରିଥିଲେ । ଭାରତରେ ହରିଆଣା ରାଜ୍ୟର “ହାସୀ’ ଗ୍ରାମର “ଜତିନ୍ଦର ପାଲ୍’ ୧ ମିଲିମିଟର ଲମ୍ବ ଓ ୧ ମିଲିମିଟର ଓସାରର ଗୁଡ଼ିଟିଏ ତିଆରି କରି ନିଜେ ଉଡ଼ାଇଥିଲେ । ଆନ୍ଧ୍ରପ୍ରଦେଶ ୱାରଙ୍ଗଲର ଟି.ଏସ୍.ମାଲେଶ୍ୱର ୨.୨ ସେ.ମି ଲମ୍ବ ଓ ୨.୩ ସେ.ମି. ଓସାରର ଏକ ଗୁଡ଼ି ଉଡ଼ାଇଥିଲେ । ମୁମ୍ବାଇ ପୋର୍ଟ ଅଂଚଳର ଏସ୍.କେ.ଅମିନ ଏକ ଚକ୍ର ଘୂରୁଥିବା ଗୁଡ଼ି ତିଆରି କରିଥିଲେ ଓ ସେଥିରେ ବ୍ୟାଟେରୀ ଖଞ୍ଜିଥିଲେ । ଗୁଡ଼ିଟି ରାତିରେ ଉଡ଼ିଲେ ଏଥିରେ ଦପ୍ ଦପ୍ ହୋଇ ନାଲିନେଳି ଆଲୋକ ଜଳୁଥିଲା ଏବଂ ମଧୁର ସଙ୍ଗୀତ ଶୁଣାଯାଉଥିଲା । ସେହି ମୁମ୍ବାଇ ନଗରୀର ଅର୍ଜୁନ ଭାଇ ନାମକ ଜଣେ ସୌଖୀନ ଗୁଡ଼ି ଉଡ଼ାଳି ମୋଟା ରଙ୍ଗୀନ ପ୍ଲାଷ୍ଟିକରେ ୬ ଫୁଟ ଚଉଡ଼ା ଓ ୬ ଫୁଟ ଲମ୍ବର ଗୋଟିଏ ଗୁଡ଼ି ତିଆରି କରି ସେଥିରେ ଆଠୋଟି ପେନ୍ସିଲ ବ୍ୟାଟେରୀ ଖଞ୍ଜିଥିଲେ । ଗୁଡ଼ିଟିରେ ୬୪ଟି ରଙ୍ଗୀନ ବଲ୍ବ ଜଳୁଥିଲା ।ଆମ ଓଡିଶାରେ କଟକର ଗୁଡିଉଡା ସର୍ବପୁରାତନ ଓ ପ୍ରସିଦ୍ଧ । ଦିନଥିଲା ମହାନଦୀ ପଠାରେ ଗୁଡି ଉଡାଇ ଉଡାଇ ବନ୍ଧୁ ଗହଣରେ ଅକ୍ଷୟ ମହାନ୍ତି ଗାଉଥିଲେ,. . . ‘ଯାରେ ଗୁଡି ଉଡି ଯା.. .. ..’ ।
ପୁରୀ, ମୋ: ୮୦୧୮୮୭୫୩୩୫