ମାତିଛନ୍ତି ଲଘୁ ଖଣିଜ ମାଫିଆ  , ଲୁୁଟ୍ ହେଉଛି ମୂର୍ତ୍ତି ତିଆରି ପଥର ଓ ମୋରମ

 ବାଲିଚନ୍ଦ୍ରପୁର:  ଦର୍ପଣ ତହସିଲ ଅଞ୍ଚଳରେ ମାତିଛନ୍ତି ଲଘୁ ଖଣିଜ ମାଫିଆ । ମାଫି ମାନେ ଲୁଟ କରି ଚାଲିଛନ୍ତି ମୂଲ୍ୟବାନ ମୂର୍ତ୍ତି ତିଆରି ପଥର ସହ ମୋରମ । ଦର୍ପଣ ତହସିଲ ଅନ୍ତର୍ଗତ ଚଣ୍ଡିଆମଝିପଡା ଓ ଧାଉଡିଆ ପଦା ପାହାଡ ଏବେ ଚୋରା ପଥର ବ୍ୟବସାୟୀଙ୍କ କବଜାରେ । ଏହି ପାହାଡ ଗୁଡିକରେ ଦାମୀ ମୂର୍ତ୍ତି ତିଆରି ପଥର ସହ ପ୍ରଚୁର ପରିମାଣର ଉନ୍ନତ ମାନର ମୋରମ ଓ ବୋଲଡର ମିଳୁଥିବାରୁ ଚୋରା ପଥର ବ୍ୟବସାୟୀଙ୍କ ନଜର ପାହାଡ ଉପରେ ପଡିଛି । ଏହି ସବୁ ପାହାଡର କୌଣସି ଅଂଶ ଲିଜ ଦିଆ ଯାଇ ନଥିଲେ ମଧ୍ୟ ଚୋରା ପଥର ମାଫିଆ  ବିଳମ୍ବିତ ରାତିରେ ମୋରମ, ବୋଲଡର ଓ ମୂର୍ତ୍ତି ପଥର ଖନନ କରି ଅବିଭକ୍ତ କଟକ ଜିଲାର ବିଭିନ୍ନ ସ୍ଥାନକୁ ପରିବହନ କରୁଥିବାର ଦେଖିବାକୁ ମିଳୁଛି । । ଚଣ୍ଡୀଆ ପାହାଡ଼ରୁ ମିଳୁଥିବା ପଥର ସୁନ୍ଦର ସୁନ୍ଦର ମୂର୍ତ୍ତି ନିର୍ମାଣ ପାଇଁ ବେଶ ଉପଯୋଗୀ ଓ ମୂଲ୍ୟବାନ । ଗୋଟିଏ ଟ୍ରାକ୍ଟରରେ ଯାଉଥିବା ପଥରର ମୂଲ୍ୟ ୨୫ ହଜାର ଟଙ୍କା ହୋଇଥିବା ବେଳେ ବଡ ଟ୍ରକରେ ଯାଉଥିବା ପଥର ୫୦ହଜାରରୁ ୭୦ହଜାର ଟଙ୍କା ପର୍ଯ୍ୟନ୍ତ ବିକ୍ରି ହୋଇଥାଏ । ପୂର୍ବରୁ ପାହାଡ ଗୁଡିକ ତହସିଲ ପକ୍ଷରୁ ନିଲାମ ଦିଆ ଯିବାର ନିତି ନିୟମ ଥିବା ବେଳେ ଏବେ ଏହା ଲଘୁ ଖଣିଜ ହିସାବରେ ବିଭାଗ ଅଧିନକୁ ଯାଇଅଛି । ଖଣି ବିଭାଗର କାର୍ଯ୍ୟଳୟ ୫୦କିମି ଦୂର ବ୍ୟାସନଗରରେ ଅବସ୍ଥିତ । ଯାହାକି ଖଣି କର୍ମଚାରୀ ମାନଙ୍କ ନଜର ଠାରୁ ବହୁ ଦୂରରେ । ସେଥିପାଇଁ ମାଫିଆ ନିର୍ଦ୍ୱନ୍ଦରେ ଦିନ ରାତି ଖନନ କରି ଚୋରାରେ ବ୍ୟବସାୟ ଚଳାଇଛନ୍ତି । ପ୍ରତ୍ୟହ ଏଠାରୁ ଶହ ଶହ ଘନଫୁଟ ପଥର ଉତୋଳନ କରାଯାଇ ବିକ୍ରି କରାଯାଉଥିବାର ଖବର ମିଳିଛି । ବର୍ତମାନ ଆଖପାଖ ଅଞ୍ଚଳରେ ବ୍ୟାପକ ରାସ୍ତା କାମ ଚାଲିଥିବାରୁ ଚୋରା ବ୍ୟବସାୟୀ ଏହି କାମ ବେଧଡ଼କ ଚଲାଇଥିବାରୁ ସରକାର ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହରାଉଛନ୍ତି । ଚୋରା ବ୍ୟବସାୟୀ କେଡେକ ଦଲାଲ ମାନଙ୍କ ଦ୍ୱାରା ସରକାରୀ ବାବୁ ମାନଙ୍କୁ କରାୟତ କରିବାରେ ସକ୍ଷମ ହୋଉଥିବାରୁ ସାଧାରଣ ଲୋକେ ଏହି ବିଷୟରେ ପାଟି ଖୋଲିବାକୁ ସାହସ ଜୁଟାଇ ପାରୁନାହାନ୍ତି । ଖଣି ବିଭାଗ, ରାଜସ୍ୱ ବିଭାଗ ଏ ବିଷୟରେ ଅବଗତ ଥିଲେ ମଧ୍ୟ କେହି ରୋକିବା ପାଇଁ ପ୍ରଚେଷ୍ଟା କରୁଥିବାର ଦେଖିବାକୁ ମିଳୁନାହିଁ । ଖଣି, ରାଜସ୍ୱ ଓ ପୁଲିସ ପକ୍ଷରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।