ଲିକୁଙ୍କୁ ହଜମ କରି ପାରୁନାହାନ୍ତି ପହି! କହୁଛନ୍ତି ମୁଁ ହିଁ ଧର୍ମଶାଳା ବିଜେପି ମଙ୍ଗୁଆଳ 

  ଯାଜପୁର : ୨୪ ବର୍ଷର ବିଜେଡି ସରକାରକୁ ପ୍ରତ୍ୟାଖ୍ୟାନ କରି ରାଜ୍ୟବାସୀ ପ୍ରଥମ କରି ବିଜେପିକୁ ବିଶ୍ୱାସକୁ ନେଇଛନ୍ତି  । ଭୋଟରଙ୍କ ବିଶ୍ୱାସ ଜିଣି ଥିବା ବିଜେପିକୁ ସ୍ୱାଧୀନ ବିଧାୟକ ନିସର୍ତ୍ତ ସମର୍ଥନ ଜଣାଇଛନ୍ତି । ସଂଖ୍ୟାଗରିଷ୍ଠ ବିଜେପି ସରକାର ଲୋକଙ୍କ ସରକାର ହେବ ବୋଲି ପ୍ରଥମରୁ କହି ଆସୁଛି । ସାତ ମାସର ସରକାର କେତେ ଲୋକଙ୍କ ସରକାର ହୋଇପାରିଛି ତାହା ତ ସମୟ କହିବ କିନ୍ତୁ ଯାଜପୁର ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ଦୁଇଥର ଗସ୍ତ କରି ଲୋକଙ୍କ ନିକଟତମ ହୋଇଛନ୍ତି । 
ପ୍ରଥମେ ବଡ଼ଚଣା ନିକଟରେ ଧର୍ମଶାଳା ଗସ୍ତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଜେଡିର ଗଡ ବୋଲି କୁହାଯାଉଥିବା ଧର୍ମଶାଳାରୁ ସ୍ୱାଧୀନ ଭାବରେ ବିଜୟ ହୋଇଥିବା ହିମାଂଶୁ ଶେଖର ସାହୁ(ଲିକୁ) ଏବଂ ଧର୍ମଶାଳା ମହୋତ୍ସବ କମିଟି ଆମନ୍ତ୍ରଣ କ୍ରମେ ମୁଖ୍ୟମନ୍ତ୍ରୀ ଧର୍ମଶାଳାରେ ତିନି ଘଣ୍ଟା ଅତିବାହିତ କରିଥିଲେ । ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ନେଇ ବିଜେଡ଼ିର ଟିପାଟିପଣି ରାଜନୈତିକ ବିବାଦ ଆରମ୍ଭ କରିଥିଲା । ବିଜେଡିର ବୟାନକୁ ଧର୍ମଶାଳା ବିଧାୟକ ଏବଂ ଜିଲ୍ଲା ସଭାପତି ଖଣ୍ଡନ କରିଥିଲେ କିନ୍ତୁ ବିଧାୟକ ଏବଂ ସଭାପତିଙ୍କ ଖଣ୍ଡନ ପରେ ସ୍ମୁତିରେଖା ପହି ବିଜେଡିକୁ ଟାର୍ଗେଟ କରିଥିଲେ । ଶ୍ରୀମତୀ ପହି ବିଜେଡିର ବୟାନ ବିରୋଧରେ ଯେତିକି ସାଣିତ ସ୍ୱର୍ ରଖିଥିଲେ ସେତିକି ସେ ଧର୍ମଶାଳାର ବିଜେପି ମଙ୍ଗୁଆଳ ବୋଲି ବାରମ୍ବାର କହିବାକୁ ପଛାଇ ନଥିଲେ । ଏକଥା ସତ ଗତ ନିର୍ବାଚନରେ ବିଜେପି ତାଙ୍କୁ ଧର୍ମଶାଳାରୁ ପ୍ରାର୍ଥୀ କରିଥିଲା ହେଲେ ୧୬ ହଜାରରୁ କମ୍ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ । ବିଜେଡିର ପ୍ରଭାବଶାଳୀ ନେତା ପ୍ରଣବ ବଳବନ୍ତ ରାୟଙ୍କ ସମେତ ବିଜେପିର ଦଳୀୟ ପ୍ରାର୍ଥୀ ପହିଙ୍କୁ ମାତ୍ ଦେଇଥିଲେ ସ୍ୱାଧୀନ ପ୍ରାର୍ଥୀ ଲିକୁ । ବିଜେପିରୁ ପ୍ରାର୍ଥୀ ହେବାକୁ ଉଦ୍ୟମ କରି ଫେଲ ମାରିବା ଲିକୁ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ି ବିଜେଡି ଗଡକୁ ଚୁରମାର କରିବା ପରେ ବିଜେପିକୁ ନିସର୍ତ୍ତ ସମର୍ଥନ ଘୋଷଣା କରିଥିଲେ । ଇତି ମଧ୍ୟରେ ଲିକୁଙ୍କ ସହଯୋଗ ଓ ନେତୃତ୍ୱରେ ବିଜେପିର ଜିଲ୍ଲାସ୍ତରୀୟ କର୍ମଶାଳା ହେଉ କି ଅନ୍ୟାନ୍ୟ ଦଳୀୟ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି । ଯେଉଁ ସବୁ କାର୍ଯ୍ୟକ୍ରମରେ ମଞ୍ଚରେ ବିଜେପିର ଦଳୀୟ ଚିହ୍ନ ସହ କେନ୍ଦ୍ର ରାଜ୍ୟ ନେତାଙ୍କ ଫଟୋ ଶୋଭା ପାଇଥିଲା । ରାଜ୍ୟ ନେତା ଠାରୁ ଆରମ୍ଭ ଜିଲ୍ଲା ନେତା ଏବଂ ଦଳୀୟ ବିଧାୟକ ଉପସ୍ଥିତି ରହିଥିଲେ । ଯେଉଁ ସବୁ କାର୍ଯ୍ୟକ୍ରମମାନଙ୍କରେ ନିଜକୁ ଧର୍ମଶାଳା ବିଜେପିର ମଙ୍ଗୁଆଳ ବୋଲି କହୁଥିବା ପହିଙ୍କୁ ଦେଖିବାକୁ ମିଳି ନଥିଲା । ଜଣେ ସ୍ୱାଧୀନ ବିଧାୟକ ଦଳୀୟ ଫୋରମରେ କରୁଥିବା କାର୍ଯ୍ୟକ୍ରମକୁ ଦଳୀୟ ନେତା ଏବଂ ବିଧାୟକଙ୍କ ପାଇଁ ଗ୍ରହଣୀୟ ହୋଇଥିବା ବେଳେ ପହିଙ୍କ ପାଇଁ ଏହା ଗ୍ରହଣୀୟ ହେଉ ନାହିଁ କାହିଁକି? ଲିକୁଙ୍କୁ ପହି ହଜମ କରିପାରୁନଥିବା କେବଳ ଧର୍ମଶାଳାରେ ନୁହଁ ଜିଲ୍ଲାରେ ମଧ୍ୟ ଆଲୋଚନା ହେଉଛି । ଧର୍ମଶାଳାବାସୀଙ୍କ ଦ୍ୱାରା ଗ୍ରହଣୀୟ ହୋଇନଥିବା ପହି ନିର୍ବାଚନ ପରଠୁ ଯେତେବେଳେବି ଗଣମାଧ୍ୟମରେ ମୋହଁ ଖୋଲୁଛନ୍ତି କହିଛନ୍ତି ମୋ ହିଁ ଧର୍ମଶାଳା ବିଜେପିର ମଙ୍ଗୁଆଳ । ଲିକୁ ଲହର ଆଗରେ ଫିକା ପଡ଼ିଥିବା ପହି ଧର୍ମଶାଳା ବିଧାୟକଙ୍କୁ ଆକ୍ଷେପ କରିବାରେ ଲାଗିଛନ୍ତି । ହରିଦାସପୁର ପଞ୍ଚାୟତ ପିଇଓ ସ୍ମିତାରାଣି ବିଶ୍ୱାଳ ମୃତୁ୍ୟ ପ୍ରସଙ୍ଗରେ କାରାଗାରରୁ ଫେରିଥିବା ରୁପେଶ ଭଦ୍ରଙ୍କୁ ଟାର୍ଗେଟ କରି ପରୋକ୍ଷରେ ଲିକୁଙ୍କୁ ଟାଣିବାକୁ ଉଦ୍ୟମ କରିଥିଲେ । ପିଇଓ ମୃତୁ୍ୟ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ ଆଇନ ମନ୍ତ୍ରୀଙ୍କୁ ଭେଟି ପହି ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଥିଲେ । ଏହା ନୁହେଁ ନାମ ନ ନେଇ ଲଘୁ ଖଣିଜ ପ୍ରସଙ୍ଗରେ ଚାନ୍ଦା ନେବା ପରେ କ୍ରସର୍ ଚଳାଇବାକୁ ଅନୁମତି ମିଳୁଛି ବୋଲି ଶ୍ରମତି ପହି ଅଭିଯୋଗ ଆଣି କମ୍ପନ ସୃଷ୍ଟି କରିଥିଲେ । 
ରାଜ୍ୟରେ ମୋହନ ସରକାର ବିରୋଧରେ ଏହା ତାଙ୍କ ଅଭିଯୋଗ ହେଲା ବୋଲି କେବେହେଲେ କୁହାଯାଇ ପାରିବ ନାହିଁ କାରଣ ଶ୍ରୀମତୀ ପହି ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ଉଦେ୍ଦଶ୍ୟରେ ବିଜେଡିର ମୁଖପାତ୍ର ଲେଲିନ ମହାନ୍ତି ଓ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତ ରାୟ ଦେଇଥିବା ମନ୍ତବ୍ୟକୁ ଯେଭଳି ନିନ୍ଦା କଲେ ତାହା ଏକଥା ସ୍ପଷ୍ଟ କରୁଛି । ଶ୍ରୀମତୀ ପହି ବିଜେଡିକୁ କାଉଣ୍ଟର କରିବା ଅବସରରେ ଯେତେ ଥର ସେହିଁ ବିଜେପିର ମଙ୍ଗୁଆଳ ବୋଲି କହୁଥିଲେ ସେତିକି ବାର ଲିକୁଙ୍କୁ ସ୍ୱାଧୀନ ବିଧାୟକ ବୋଲି କହି ଚାଲିଥିଲେ । ଦଳର ନେତା ମନ୍ତ୍ରୀ ବିଧାୟକ ଲିକୁଙ୍କୁ ତଳ ପ୍ଲାଟଫର୍ମରେ କାର୍ଯ୍ୟ କରିବାର ସୁଯୋଗ ଦେଇଥିବା ବେଳେ ଶ୍ରୀମତୀ ପହି ଲିକୁଙ୍କୁ କିନ୍ତୁ ହଜମ କରିପାରୁନାହାନ୍ତି ତାହା ରାଜନୈତିକ ମହଲରେ ଆଲୋଚନା ହେଉଛି ।