ବ୍ରହ୍ମବରଦା ଥାନାଞ୍ଚଳରେ ବିଗୁଡୁଛି ଆଇନ ଶୃଙ୍ଖଳା: ବଢୁଛି ଚୋରି, ଲୁଟ୍ ଓ ଅପହରଣ
ବ୍ରହ୍ମବରଦା: ସମ୍ପ୍ରତି ସମାଜରେ ପିଲାଚୋରି ଏକ ଉଦବେଗଜନକ ବିଷୟ । ଯାହା ଏବେ ଦେଶର ପ୍ରତ୍ୟେକ ରାଜ୍ୟ ମାନଙ୍କର ଏକ ଜଟିଳ ସମସ୍ୟା ରୂପେ ଉଭା ହୋଇଛି । ଯେତେବେଳେ ଗୋଟିଏ ପରିବାରରରୁ ପିଲାଟିଏ ଚୋରି ହୋଇଥାଏ ସେତେ ବେଳେ ତାର ବାପା ମା ତା ପାଇଁ ଦେଖିଥିବା ଅସୁମାରି ସବୁ ସ୍ୱପ୍ନ ନିମିଷକେ ଭାଙ୍ଗି ଚୁରମାର ହୋଇଯାଏ ।
ନିଜ ପିଲାକୁ ହରାଇ ପରିବାର ଠାରୁ ଆରମ୍ଭ କରି ସାହିପଡ଼ିଶା, ଆତ୍ମୀୟ ସ୍ୱଜନ ପର୍ଯ୍ୟନ୍ତ ତାକୁ ପୁନର୍ବାର ପାଇବାର ଆଶା ଓ ହରେଇବାର ଗ୍ଲାନି ଭିତରେ ଚାପିହୋଇ ସେହି ପରିବାରଟି ସାରାଜୀବନ କଟିଥାଏ । ତେଣୁ ଗୋଟିଏ ପ୍ରକାରରେ କହିବାକୁ ଗଲେ ପିଲା ଚୋରି ବା ଅପହରଣ ଗୋଟିଏ ପରିବାର ପାଇଁ ଏକ କଳଙ୍କିତ ଅଧ୍ୟାୟ କହିଲେ ଅତ୍ୟୁକ୍ତି ହେବନାହିଁ । ସେହିପରି ଭାବେ ୨୦୨୦ ମସିହା ଅଗଷ୍ଟ ମାସ ୯ ତାରିଖରେ ଯାଜପୁର ଜିଲ୍ଲା ବରୀ ବ୍ଲକ ବିଞ୍ଝାରପୁର ଥାନା ମଧୁସୂଦନପୁର ଗ୍ରାମର ୨ ବର୍ଷର ଶିଶୁ କନ୍ୟା ପିହୁ ଗାଁ ଦାଣ୍ଡରେ ଖେଳୁଥିବା ସମୟରେ ଅପହରଣ ହେବା ଘଟଣା ସାରା ଓଡ଼ିଶାକୁ ସ୍ତବ୍ଧ କରିଦେଇଥିଲା । ପୁଲିସ ଆଜିଯାଏ ପିହୁକୁ ଖୋଜି ପାଇବାରେ ସକ୍ଷମ ହୋଇ ନଥିବା ବେଳେ, ତା ପରିବାର ଲୋକେ ଚାହିଁ ବସିଛନ୍ତି ପିହୁର ଫେରିବା ବାଟକୁ । ଉକ୍ତ ଘଟଣାରେ ପିହୁର ବାପାମା ସରକାରଙ୍କ ଠାରୁ ନ୍ୟାୟପାଇବା ଆଶାରେ ଦୀର୍ଘ ବର୍ଷ ହେବ ଲଢେଇ ଜାରି ରଖିଛନ୍ତି । କିନ୍ତୁ ପିହୁ ନିଖୋଜ ହେବାର ଆଜକୁ ସାଢେ ଚାରିରୁ ଉର୍ଦ୍ଧ ବର୍ଷ ବିତିଗଲାଣି କିନ୍ତୁ ଆଜିବି ତାର ପରିବାର ଲୋକେ ଅନ୍ଧାରରେ ରହି ଆସିଛନ୍ତି । ଯାହାକୁ ନେଇ ପୂର୍ବ ରାଜ୍ୟ ସରକାରଙ୍କ ଦୁର୍ବଳ ଶାସନ ବ୍ୟବସ୍ଥା ଉପରେ ଅଙ୍ଗୁଳି ଉଠୁଛି ନିଶ୍ଚୟ । ସେହିପରି ଭାବେ ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦା ଥାନାଞ୍ଚଳରେ ମଧ୍ୟ ପିଲା ଚୋରି ହେବା ଘଟଣା ଏବେ ସାମ୍ନାକୁ ଆସିଛି । ଚଳିତ ମାସ ୯ ତାରିଖ ସକାଳେ ବ୍ରହ୍ମବରଦା ଥାନା ଅଧିନ ରାଉତରାପୁର ପଞ୍ଚାୟତ ଅମ୍ବିକା ସାହି ଗ୍ରାମର ଜଣେ ନବମ ଶ୍ରେଣୀ ଛାତ୍ର ଟୁ୍ୟସନ ଯାଉଥିବା ସମୟରେ ଗ୍ରାମ ନିକଟରୁ ୩ ଜଣ ଦୁର୍ବୃତ୍ତଙ୍କ ଦ୍ୱାରା ଅପହରଣ ହୋଇଥିଲା । କିନ୍ତୁ ପରେ ଅବଶ୍ୟ ସୌଭାଗ୍ୟ ବଶତଃ ଛାତ୍ର ଜଣକ କୌଶଳକ୍ରମେ ଅପହରଣକାରୀଙ୍କ କବଳରୁ ଖସି ଆସିଥିଲା । ଯାହା ଏବେ ବ୍ରହ୍ମବରଦା ଥାନା ଅଧୀନରେ ତଦନ୍ତ ପରିସରଭୁକ୍ତ ରହିଛି । ଅପହରଣକାରୀଙ୍କ କୌଣସି ପତା ପାଇବାରେ ସକ୍ଷମ ହୋଇପାରିନି ପୁଲିସ । ସ୍ଥାନୀୟ ପୁଲିସ ପ୍ରଶାସନର କୋଉଠି ନା କୋଉଠି ଢ଼ିଲାପଣ ଯୋଗୁ ଏମିତି ଘଟଣା ସବୁ ଘଟୁଛି ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ଦେଖିବାକୁ ଗଲେ ଏବେ ବ୍ରହ୍ମବରଦା ଅଞ୍ଚଳରେ ଚୋରି, ଲୁଟପାଟ, ରାହାଜାନି, ମାଦକଦ୍ରବ୍ୟ କାରବାର ଆଦି ବଢିବଢି ଚାଲିଥିବାବେଳେ ଅପହରଣ ପରି ସଙ୍ଗିନ ମାମଲା ମଧ୍ୟ ଏବେ ସାମ୍ନାକୁ ଆସିବାରେ ଲାଗିଲାଣି । ଯାହାକୁ ନେଇ ବ୍ରହ୍ମବରଦା ଓ ଏହାର ଆଖପାଖ ଅଂଚଳରେ ବସବାସ କରୁଥିବା ଲୋକମାନେ ମାନେ ବହୁ ମାତ୍ରାରେ ଆତଙ୍କିତ ହୋଇଯାଇଛନ୍ତି । ବିଶେଷ କରି ଅପହରଣକାରୀ ସ୍କୁଲ କିମ୍ୱା ଟୁ୍ୟସନ ଯାଉଥିବା ଛାତ୍ରଛାତ୍ରୀଙ୍କୁ ଏକୁଟିଆର ସୁଯୋଗ ନେଇ ଟାର୍ଗେଟ କରିଥାନ୍ତି ବୋଲି ପୂର୍ବରୁ ଅନେକ ଉଦାହରଣ ରହିଛି । ଦେଖିବାକୁ ଗଲେ ବ୍ରହ୍ମବରଦା ଫାଣ୍ଡି ଥାନା ମାନ୍ୟତା ପାଇବା ପରେ ଅଞ୍ଚଳରେ ଆଇନ ଶୃଙ୍ଖଳା ବିଗିଡିବାରେ ଲାଗିଛି । ପୂର୍ବରୁ ବ୍ରହ୍ମବରଦା ଥାନା ଅଧିନ ରାଉତରାପୁର ପଞ୍ଚାୟତ କୁଣ୍ଡପାଟଣା ହାଇସ୍କୁଲରୁ ବାରମ୍ବାର ଚୋରି ଘଟଣା ଉପରୁ ପରଦା ନ ହଟିବା ତା ସହିତ ଗତ ୨୦୨୪ ନଭେମ୍ବର ୨ରେ ମଙ୍ଗରାଜପୁର ପଞ୍ଚାୟତ ଦେଉଳି ଗ୍ରାମର ଦିବ୍ୟାଙ୍ଗ ବ୍ୟକ୍ତି ସଦାଶିବ ରାହୁଲଙ୍କ ଘରୁ ଲକ୍ଷାଧିକ ଟଙ୍କା ଓ ଅଳଙ୍କାର ଚୋରି ହୋଇଥିଲେ, ମଧ୍ୟ ଉକ୍ତ ଘଟଣାରେ ପୁଲିସ କାହାରିକୁ ବାନ୍ଧିବାରେ ସକ୍ଷମ ହୋଇପାରିନାହିଁ । ଏହା ବ୍ୟତୀତ ଗତ ୨୦୨୪ ଡିସେମ୍ବର ୨୩ ତାରିଖ ରାତି ସାଢେ ଆଠଟାରେ ବ୍ରହ୍ମବରଦା ପଞ୍ଚାୟତ ପହି ଗ୍ରାମ ନିକଟରେ ଥିବା ଏକ ସିମେଂଟ ଇଟା ଫ୍ୟାକ୍ଟ୍ରିର ମାଲିକଙ୍କ ସମ୍ପର୍କୀୟ ବାବୁରାମ ପୃଷ୍ଟି ବସିଥିବା ସମୟରେ ବାଲିଚନ୍ଦ୍ରପୁର ଥାନା ଅଧିନ ବଡବାଲିକୁଦା ଗ୍ରାମର ୩ ଜଣ ଦୁର୍ବୃତ ମାଡ଼ ମାରିବା ସହିତ, ଛୁରୀରେ ଆକ୍ରମଣ କରି ତାଙ୍କ ସୁନା ଚେନ ଓ ନଗଦ ୨୧ ହଜାର ଟଙ୍କା ଲୁଟି ନେଇଥିଲେ । ଘଟଣା ଘଟିବାକୁ ଆଜିକୁ ୨୦ ଦିନ ବିତିଯାଇଥିଲେ ମଧ୍ୟ ପୁଲିସ କାହାକୁ ଗିରଫ କରିନି । ପ୍ରଶ୍ନ ଉଠୁଛି ଏହି ସବୁ କାଣ୍ଡ ଘଟାଇବାକୁ ଦୁର୍ବୃତଙ୍କ ସାହସ ଆସୁଛି କେଉଁଠୁ? କାରଣ ଏସବୁ ଘଟଣାକୁ ପ୍ରତିହତ କରିବାର କାର୍ଯ୍ୟ ହେଲା ପୁଲିସ ପ୍ରଶାସନର । କିନ୍ତୁ କୋଉଠି ନା କୋଉଠି ପୁଲିସ ଢ଼ିଲାପଣ ଯୋଗୁ ଦୁର୍ବୃତ୍ତ ଏପରି କାଣ୍ଡ ଭିଆଇବାକୁ ପଛାଉ ନାହାଁନ୍ତି । ତେଣୁ ଏହି ସବୁ ଘଟଣାକୁ ପ୍ରତିହତ କରିବାକୁ ହେଲେ ଏହାର ଉପରେ ସଚେତନତା, ପାଟ୍ରୋଲିଂ ସାଙ୍ଗକୁ ବ୍ରହ୍ମବରଦା ଥାନାଞ୍ଚଳକୁ ପ୍ରବେଶ କରୁଥିବା ପ୍ରତ୍ୟେକ ଗାଡିର ସଠିକ ଯାଞ୍ଚ, ଏଠାରେ ବସବାସ କରୁଥିବା ଓ ବେପାର ବଣିଜ କରିବାକୁ ଆସୁଥିବା ବାହାର ଜିଲ୍ଲା କିମ୍ୱା ରାଜ୍ୟର ଅଣଓଡିଆ କିମ୍ୱା ବାସିନ୍ଦା ମାନଙ୍କର ସମ୍ପୂର୍ଣ୍ଣ ତଥ୍ୟ ପୁଲିସ ପାଖରେ ରହିବା ସହିତ ୨୪ ଘଣ୍ଟା ସଜାଗ ରହିବାକୁ ରହିବାକୁ ଗ୍ରାମବାସୀ ଦାବି କରିଛନ୍ତି ।