ଯୁବକଙ୍କୁ ଆକ୍ରମଣ ଘଟଣାରେ ୩ ଗିରଫ

 କବାଟବନ୍ଧ : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରିବା ଘଟଣାରେ ଜେନାପୁର  ପୁଲିସ  ୩ ଜଣ ଯୁବକଙ୍କୁ ଗିରଫ କରିଥିବା ବେଳେ ଏକାଧିକ ଫେରାର ହୋଇ ଯାଇଛନ୍ତି । 
ଗିରଫ ଯୁବକ ହେଲେ ଅଞ୍ଜିରା ପଞ୍ଚାୟତ ଶ୍ୟାମ ସୁନ୍ଦର ପୁର ଗ୍ରାମର ପରମାନନ୍ଦ ପ୍ରଧାନଙ୍କ ପୁଅ ମହେଶ୍ୱର ପ୍ରଧାନ ଓରଫ ମଣ୍ଟୁ (୨୮) ଏବଂ ପ୍ରଦୀପ ପ୍ରଧାନଙ୍କ ପୁଅ ବିକାଶ ପ୍ରଧାନ (୨୪) ଏବଂ ଅନ୍ୟ ଜଣେ ବାଉଁଶଡୋଳ ଗ୍ରାମର ସ୍ୱର୍ଗତ ବନମାଳୀ ଦାସଙ୍କ ପୁଅ ସମ୍ଭୁନାଥ ଦାସ (୨୮) ବୋଲି ଜଣାପଡିଛି । ଅଞ୍ଜିରା ପଞ୍ଚାୟତ ମୁରାଲୀପୁର ଗ୍ରାମର ବସନ୍ତ ଦଳାଇଙ୍କ ପୁଅ ମନୋଜ ଦଳାଇ ଏନେଇ ଜେନାପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୁଲିସ ଗିରଫ ୩ ଜଣ ଯୁବକଙ୍କୁ କୋର୍ଟ ଚାଲାଣ କରିଛି । ସୂଚନା ମୁତାବକ ମୁରାଲି ପୁର ଗ୍ରାମର ମନୋଜ କୁମାର ଦଳାଇ କାରରେ ଘରକୁ ଫେରୁଥିବା ବେଳେ ରାତିରେ ବାଉଁଶଡୋଳ ଗାଁ ନିକଟରେ ୧୦ ରୁ ୧୫ ଜଣ ଯୁବକ ମନୋଜଙ୍କୁ ଅଟକାଇ ମାଡ ମାରିବା ସହିତ ଚେନ ଛିଡାଇ ନେଇ  ଅସଭ୍ୟ ଭାଷାରେ ଗାଳି ଗୁଳଜ କରିଥିଲେ । ଏନେଇ ପୁଲିସ ଏକ ମାମଲା ରୁଜ୍ଜୁ କରି ତଦନ୍ତ କରି ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରିଣୀ ନିରୂପମା ଜେନା ସୂଚନା ଦେଇଛନ୍ତି ।