କାଦୁଅ ପଚପଚ ଛୋଟରାପୁର ରାସ୍ତା 

 ପାଣିକୋଇଲି : ଲଗାଣ ବର୍ଷା ହୋଇନି । କାଁ ଭାଁ କେତେ ବେଳେ କାଳବୈଶାଖି ପ୍ରଭାବିତ ବର୍ଷା ହେଉଛି । ଅଧିଘଣ୍ଟିଆ ବା ଘଣ୍ଟିକିଆ ବର୍ଷାରେ ଛୋଟରାୟପୁର ଗାଁ ରାସ୍ତା ବେହାଲ ହୋଇପଡ଼ୁଛି । ବର୍ଷା ହେଲେ ପଚପଚ ରାସ୍ତା । କୋରେଇ ବ୍ଲକ ଜହ୍ନା ପଞ୍ଚାୟତ ଛୋଟରାୟପୁର ଗାଁକୁ ପଡ଼ିଥିବା ରାସ୍ତାଟି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଅବସ୍ଥା ସମାନ । ସାମାନ୍ୟ ବର୍ଷା ହେଲେ ଗାଁ ଲୋକେ ଘରୁ ବାହାରି ପାରୁନାହାଁନ୍ତି । ଗାଁ ଆରମ୍ଭରୁ ରାସ୍ତାଟି ଶେଷମୁଣ୍ଡ ପର୍ଯ୍ୟନ୍ତ ଯାଇଥିବା ବେଳେ ମଝିରେ ରହିଛି ସ୍କୁଲ୍ । ପ୍ରତିଦିନ ଶତାଧିକ ଛାତ୍ରଛାତ୍ରୀ ଏହି ରାସ୍ତାଦେଇ ସ୍କୁଲକୁ ଯାଇଥାନ୍ତି । ହେଲେ ବର୍ଷାରେ ରାସ୍ତାର ଅବସ୍ଥା ଏପରି ହୋଇଛି ଯେ, ପାଦରେ ଚାଲି ଯିବା ମଧ୍ୟ କଷ୍ଟକର । ପିଲାମାନେ କାଦୁଅ ରାସ୍ତାରେ ପଡ଼ି ଅନେକଥର ଖଣ୍ଡିଆ ଖାବରା ହେଲେଣି । ରାସ୍ତାରେ ଥିବା ବଡ଼ ବଡ଼ ଖାଲ ପାଣିରେ ଭର୍ତ୍ତି ହୋଇଯାଉଥିବାରୁ ଜାଣିନପାରି ଅନେକ ଗୋରୁଗାଈ  ପଡ଼ି ଆହତ ହେଉଛନ୍ତି । ସେହି ରାସ୍ତାଦେଇ ଗାଁ ଲୋକେ ପଂଚାୟତ କାର୍ଯ୍ୟାଳୟକୁ ଯାଇଥାନ୍ତି । ହେଲେ ରାସ୍ତା ଅବସ୍ତା ଶୋଚନୀୟ ଯୋଗୁ ଏବେ ଯିବା ଅସମ୍ଭବ ହୋଇପଡ଼ିଛି । ଏ ନେଇ ଗ୍ରାମବାସୀ ଅନେକ ଥର ସ୍ଥାନୀୟ ସରପଂଚ ଓ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କିଛି ହେଉ ନଥିବା ଅଭିଯୋଗ ହୋଇଛି । ବିଶେଷ କରି ଗ୍ରାମର ଦଳିତ ସାହି ଲୋକଙ୍କ ପାଇଁ ଏହି ରାସ୍ତାଟି ଏକମାତ୍ର ବିକଳ୍ପ ହୋଇଥିବା ବେଳେ ଏବେ ସାହିର ୩୦ରୁ ଊର୍ଦ୍ଧ୍ୱ ପରିବାର ଗାଁରୁ ବାହାରିବା ପାଇଁ ସମସ୍ୟା ହୋଇପଡିଛି । ବର୍ଷା ଦିନ ଆସି ଯାଇଥିବାରୁ ଅବସ୍ଥା ଆହୁରି ଦ୍ୱିଗୁଣିତ ହେବ ।  ବିଧାୟକ  ଏବଂ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି ।