ଆଲୋକ ମୟ ରାଜଧାନୀ ; ଡିଜିଙ୍କ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ୍

ଦିନକ ପରେ ପ୍ରବାସୀ ଭାରତୀୟ ଦିବସ : 
ଭୁବନେଶ୍ୱର, ୬ା୧ : ଆଉ ଦିନକ ପରେ ପ୍ରବାସୀ ଭାରତୀୟ ଦିବସ । ପ୍ରବାସୀ ଭାରତୀୟଙ୍କ ମନ ମୋହିବାକୁ ଓଡିଶାର ହସ୍ତତନ୍ତ ଓ ହସ୍ତକଳାରେ ସଜେଇ ହେଲାଣି ରାଜଧାନୀ ଓ ଜନତା ମଇଦାନ । ଯାହାର ସୁରକ୍ଷା ବ୍ୟବସ୍ଥାକୁ ରବିବାର ଯାଞ୍ଚ କରିଛନ୍ତି ପୁଲିସ ଡିଜି ୟା.ବି ଖୁରାନିଆ । ଏହି କାର୍ଯ୍ୟକ୍ରମ ଅବସରରେ ଯଦି କୌଣସି ପ୍ରକାର ଆତଙ୍କବାଦୀ ଆକ୍ରମଣ ହୁଏ କିମ୍ବା କୌଣସି ପ୍ରକାର ଅଘଟଣ ଘଟେ, ତେବେ ସୁରକ୍ଷାବାହିନୀ କେତେ ପ୍ରସ୍ତୁତ ତାର ରିହରସାଲ ବି କରାଯାଇଥିଲା । ସହରରେ ଏହି ସମୟରେ କଡା ସୁରକ୍ଷା ବ୍ୟବସ୍ଥା ରହିବା ସହ ୮ ପ୍ଲାଟୁନ ରାଜ୍ୟ ପୁଲିସ, ୧୧ କଂପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ ରହିବେ ବୋଲି ଡିଜିପି କହିଛନ୍ତି । ପ୍ରବାସୀ ଭାରତୀୟ ଦିବସ ଅବସରରେ ପ୍ରାୟ ୧୦ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଭୁବନେଶ୍ୱର ଆସିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ କେନ୍ଦ୍ରୀୟ ଗୁଇନ୍ଦା ବିଭାଗ ଏବେଠାରୁ ଡେରା ପକାଇଥିବା ବେଳେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି ହୋଇଛି ।