ମକର ସଂକ୍ରାନ୍ତି

ମକର ସଂକ୍ରାନ୍ତି

ଆମ ଓଡିଆଙ୍କର ବାର ମାସରେ ତେର ପର୍ବ  । ହିନ୍ଦୁମାନଙ୍କର ବିଭିନ୍ନ ପର୍ବ ସହିତ ଯୋଡି ହୋଇ ରହିଥାଏ ଆଧ୍ୟାତ୍ମିକ ଭାବଧାରା ସହିତ ଦୈନନ୍ଦିନ ଜୀବନର ଧାରା । ଏହିଭଳି ଏକ ପର୍ବ ହେଉଛି ମକର ସଂକ୍ରାନ୍ତି ଯାହା ଏକ ସର୍ବଭାରତୀୟ ପର୍ବ । ସୂର୍ଯ୍ୟଦେବଙ୍କର ଊତ୍ତରାୟଣ ଗତିର ସୂଚନା ଦେଇଥାଏ । ଏହି ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରୁଥିବା ନେଇ ବର୍ଣ୍ଣନା ରହିଛି । ଏହିଦିନ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ମଧ୍ୟ ଆରମ୍ଭ ହୋଇଥାଏ । ଉତ୍ତରାୟଣ ସୂର୍ଯ୍ୟ ଆମକୁ ଦୃଢ ସଂକଳ୍ପବାନ ଓ କର୍ମଯୋଗୀ ହେବାର ପ୍ରେରଣା ଯୋଗାଇଥାଏ ବୋଲି ବିଶ୍ୱାସ ରହିଛି ।         

କଥାରେ ଅଛି, ‘ମକରଠାରୁ ଦିନ ବକ୍ର ହୁଏ’, ଅର୍ଥାତ ଏହି ଦିନଠାରୁ ଦିନ କ୍ରମଶଃ ବଡ଼ ହୁଏ  । ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥାନ୍ତି   । ସୂର୍ଯ୍ୟଙ୍କର ତେଜ ବି ବୃଦ୍ଧି ହୁଏ  । ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ସମୟରେ ଯେଉଁମାନେ ଦେହ ତ୍ୟାଗ କରନ୍ତି ସେମାନଙ୍କୁ ସ୍ୱର୍ଗଲୋକ ପ୍ରାପ୍ତ ହୁଏ ବୋଲି ହିନ୍ଦୁମାନେ ବିଶ୍ୱାସ କରନ୍ତି  ।  ଏହି ଦିନରେ କେତେକ ସ୍ଥାନରେ ସୂର୍ଯ୍ୟ ପୂଜା ତ ଆଉ କେଉଁଠି ଶିବଙ୍କୁ ପୂଜା କରାଯାଏ  । କେତେକ ଏହି ଦିନ ଉଭୟ ଶିବ ଓ ସୂର୍ଯ୍ୟଙ୍କୁ ପୂଜା କରିଥାଆନ୍ତି  । ଏହି ଦିନ ପ୍ରାତଃରୁ ନଦୀ ପୋଖରୀରେ ସ୍ନାନ କରି ସୂର୍ଯ୍ୟଙ୍କୁ ଦର୍ଶନ କରିବା ଦ୍ୱାରା ପାପରୁ ମୁକ୍ତି ମିଳେ ବୋଲି ବିଶ୍ୱାସ ରହିଛି  ।  

ଜାଣନ୍ତୁ କେଉଁଠି ମକର କିପରି?
†ଆନ୍ଧ୍ରରେ ୪ ଦିନ ମକର : ଆନ୍ଧ୍ର ଓ ତେଲେଙ୍ଗାନାରେ ମକର ସଂକ୍ରାନ୍ତି ପର୍ବକୁ ଚାରିଦିନ ଧରି ପାଳନ କରାଯାଇଥାଏ । ଏଠାରେ ମହିଳାମାନେ ସେମାନଙ୍କ ଘରକୁ ସଫା କରି ସୁନ୍ଦର ଭାବରେ ସଜାଇଥାଆନ୍ତି । ପ୍ରଥମ ଦିନକୁ ଭୋଗି, ଦ୍ୱିତୀୟ ଦିନକୁ ସଂକ୍ରାନ୍ତି, ତୃତୀୟକୁ କନ୍ନୁମା ଓ ଚତୁର୍ଥ ମୁକ୍କନୁମ୍ମା ଭାବେ ପାଳନ କରାଯାଏ ।

†ଭୋଜି ଖାଇ ଜାଳନ୍ତି କୁଡ଼ିଆ : ଆସାମରେଏହାକୁ ମାଘ ବିହୁ ବା ମାଘ ଦେମୋହି ଭାବେ ପାଳନ କରନ୍ତି । ଏହାକୁ ଅମଳର ପର୍ବ ଭାବେ ପାଳନ କରାଯାଏ । ଆସାମରେ ମକର ସଂକ୍ରାନ୍ତି ଦିନକୁ ଏକ ସପ୍ତାହ ଧରି ପାଳନ କରାଯାଇଥାଏ ଓ ସ୍ୱତନ୍ତ୍ର ଭୋଜିର ଆୟୋଜନ ହୋଇଥାଏ । ଏହିଦିନ ସେମାନେ ବାଉଁଶରୁ ଛୋଟଛୋଟ କୁଡିଆ ପ୍ରସ୍ତୁତ କରନ୍ତି  । ସେଠାରେ ବସି ସମସ୍ତେ ଏକାଠି ଭୋଜି ଖାଇବା ପରେ ପରଦିନ ଏହି କୁଡିଆକୁ ସେମାନେ ଜାଳି ଦେଇଥାନ୍ତି ।

†ବିହାର : ବିହାରରେ ମକର ସଂକ୍ରାନ୍ତିରେ ଦହି ଚୁଡା ଖାଇବାର ପୁରାତନ ପ୍ରଥା ରହିଛି । ରାଶି,ଚିନି,ଗୁଡରୁ ପ୍ରସ୍ତୁତ ଲଡୁ ଭୋଗର ପ୍ରଥା ରହିଛି ।

†ଝିଅ ଘରକୁ ଯାଏ ମିଠା : ଗୁଜୁରାଟରେ ମକର ସଂକ୍ରାନ୍ତିକୁ ଉତ୍ତରାୟନ ବୋଲି କୁହାଯାଏ  । ଏହି ପର୍ବ ହେଉଛି ଗୁଜୁରାଟର ଏକ ମୁଖ୍ୟ ପର୍ବ । ଏଠାରେ ଗୁଡି ଉଡାଇବାର ପରମ୍ପରା ବି ରହିଛି । ଗୁଜୁରାଟରେ ଡିସେମ୍ବର ମାସରୁ ମକର ପାଳିତ ହୋଇଥାଏ  । ଏହି ଅବସରରେ ଝିଅ ଘରକୁ ମିଠା ପଠାଇବାର ପରମ୍ପରା ରହିଛି । ଚିକ୍କି ଖାଇବାର ମଧ୍ୟ ପ୍ରଥା ଅଛି  । 

†ଭଉଣୀ ଘରକୁ ଯାଏ ଭାଇ : ହରିୟାଣା ଓ ଦିଲ୍ଲୀରେ ଯମୁନା ନଦୀରେ ବୁଡ ପକାଇବାର ପ୍ରଥା ରହିଛି । ଏହି ପର୍ବରେ ଖିରି, ଚୁରମା ଓ ଯାଲୱା ଖାଇବାର ପ୍ରଥା ରହିଛି । ଏହାଛଡା ବିବାହିତ ଭଉଣୀଙ୍କ ଘରକୁ ଭାଇମାନେ ଉପହାର ନେଇଯିବାର ପ୍ରଥା ରହିଛି । ଯେଉଁଥିରେ କାଠ ଓ କିଛି ଗରମ ପୋଷାକ ରହିଥାଏ । ସେହିଭଳି ଏହି ପର୍ବରେ ବୋହୂମାନେ ମଧ୍ୟ ନିଜ ଶାଶୁମାନଙ୍କୁ ଉପହାର ଦେବାର ପ୍ରଥା ଅଛି  ।

†ଶୋଭାଯାତ୍ରାରେ ଯାଆନ୍ତି ଗାଈ : କର୍ଣ୍ଣାଟକରେ ମକର ସଂକ୍ରାନ୍ତି ଚାଷୀଙ୍କର ପର୍ବ ଭାବେ ପରିଚିତି ଲାଭ କରିଛି । ଏହିଦିନ ଝିଅବୋହୁମାନେ ନୂଆ ଡ୍ରେସ୍ ପିନ୍ଧି ବନ୍ଧୁମାନଙ୍କ ଘରକୁ ଯିବାର ପରମ୍ପରା ବି ଅଛି । ଯାହାର ନାଁ ‘ଏଲୁ ବିରୋଧୁ’  । ସେହିପରି କର୍ଣ୍ଣାଟକର ଗ୍ରାମୀଣ ଅଞ୍ଚଳରେ ଗାଈମାନଙ୍କୁ ସଜାଯାଇ ପ୍ରୋସେସନରେ ବୁଲାଯିବାର ପ୍ରଥା ପ୍ରଚଳିତ । 

†ଓଡିଶାରେ ମକର : ଓଡିଶାରେ ମକର ସଂକ୍ରାନ୍ତି ପାଳନର ବିଶେଷ ବିଧି ଓ ପରମ୍ପରା ରହିଛି । ମକର ସଂକ୍ରାନ୍ତି ବେଳକୁ ଓଡିଶାରେ ଧାନ, ଆଖୁ ଆଦି ନୂଆ ଫସଲ ହୋଇଥାଏ । ନୂଆ ଧାନରୁ ପ୍ରସ୍ତୁତ ଅରୁଆ ଚାଉଳ, ନୂଆ ଗୁଡ, ଛେନା, କଦଳୀ, ନଡିଆ, ପାଚିଲା କଦଳୀ, ଘିଅ, କ୍ଷୀର ଇତ୍ୟାଦିକୁ ମିଶ୍ରଣ କରି ଏକ ସୁସ୍ୱାଦୁ ଭୋଗ ବା ମକର ଚାଉଳ ପ୍ରସ୍ତୁତ କରାଯାଇଥାଏ । ଏହାକୁ ଗୃହ ଦେବତା ଓ ଧାନଖଳାରେ ସୂର୍ଯ୍ୟଙ୍କୁ ଭୋଗ ଲଗାଯାଇଥାଏ । କେତେକ ଅଞ୍ଚଳରେ ପୋଡପିଠା ପ୍ରସ୍ତୁତ କରି ଭୋଗ ଲଗାଯାଏ । 

†ତ୍ରିପୁରାରେ ମକର : ତ୍ରିପୁରାରେ ମକର ସଂକ୍ରାନ୍ତିର ନାଁ ହଙ୍ଗାରୀ ପର୍ବ ଭାବେ ପରିଚିତ । ଏହିଦିନ ଘର ସଫା କରି ଚୂନ ଦିଆଯାଇଥାଏ । ଫୁଲ ଓ ଲାଇଟରେ ଘରକୁ ବେଶ ସାଜସଜ୍ଜା କରି ଧୁମଧାମରେ ପାଳନ କରାଯାଇଥାଏ । ପଞ୍ଜାବରେ ମକର ସଂକ୍ରାନ୍ତି ମାଘି ନାମରେ ପାଳିତ ହୋଇଥାଏ । ରାଶିତେଲରେ ଦୀପ ଜଳାଇବାର ପରମ୍ପରା ବି ରହିଛି । ବାଲାଂଦେଶରେ ଶକ୍ରାଇନ୍ ନାମରେ ମକର ଉତ୍ସବ ପାଳନ ହୋଇଥାଏ । ଏହାକୁ ଶୀତ ଋତୁର ବାର୍ଷିକ ଉତ୍ସବ ବୋଲି ମଧ୍ୟ କୁହାଯାଏ । ନେପାଳର ଲୋକମାନଙ୍କ ପାଇଁ ଏହି ମକର ସଂକ୍ରାନ୍ତିର ନାଁ ‘ମାଘ ସଂକ୍ରାନ୍ତି’ । ଏଠାକାର ଥାରୁ ଲୋକମାନେ ମକର ସଂକ୍ରାନ୍ତିକୁ ନୂଆବର୍ଷ ଭାବେ ପାଳନ କରାଯାଏ । ଏହିଦିନରେ ସକାଳୁ ଗାଧୋଇ ବିଭିନ୍ନ ସ୍ଥାନରେ ଘିଅ ସହ କନ୍ଦମୂଳ ବଣ୍ଟାଯିବାର ବିଧି ରହିଛି । 

†ଶ୍ରୀରାମ ଉଡ଼ାଇଥିଲେ ଗୁଡ଼ି : ମକର ସଂକ୍ରାନ୍ତିରେ ଗୁଡି ଉଡେଇବା ପଛରେ ପୌରାଣିକ କାରଣ ରହିଛି  । ଗୁଡି ଉଡାଇବାର ପରମ୍ପରା ଭଗବାନ ଶ୍ରୀରାମଙ୍କ ସମୟରୁ ଆରମ୍ଭ ହୋଇଥିଲା  । ତାମିଲର ତନ୍ଦନାନ୍ ରାମାୟଣ ଅନୁଯାୟୀ, ଏହି ଦିନ ଶ୍ରୀରାମ ଗୁଡି ଉଡାଇଥିଲେ ଏବଂ ସେହି ଗୁଡିଯାଇ ଇନ୍ଦ୍ରଲୋକରେ ପହଞ୍ଚିଥିଲା  । ଯାହାକୁ ମନେପକାଇ ଗୁଡି ଉଡାଇବାର ପରମ୍ପରା ଚାଲି ଆସିଛି  । ଗୁଡିକୁ ଖୁସି ଓ ଶୁଭ ବାର୍ତ୍ତାର ପ୍ରତୀକ ବୋଲି ମାନ୍ୟତା ମିଳିଛି  ।  

ଉପସ୍ଥାପନା: ରଶ୍ମିତା ବେହେରା