ଅଯଥା ବିବାଦ କାହିଁକି?
ରାଜ୍ୟର ସମ୍ମାନଜନକ କ୍ରୀଡ଼ା ପୁରଷ୍କାର ହେଉଛି ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରଷ୍କାର । ଏଇ ଅଳ୍ପ କେତେଦିନ ହେଲା କ୍ରୀଡ଼ା କ୍ଷେତ୍ରରେ ରାଜ୍ୟରେ ସର୍ବୋଚ୍ଚ ପରୁଷ୍କାର ବିଜୁ ପଟ୍ଟନାୟକ କ୍ରୀଡା ପୁରଷ୍କାରକୁ ନେଇ ଏକ ବିବାଦ ଉଠିଛି । ବିଜେପି ସରକାର କ୍ଷମତାକୁ ଆସିବା ପରେ ବିଜୁ ଜନତା ଦଳର କେତେ ଗୁଡ଼ିଏ ଯୋଜନାର ନାମ ବଦଳାଇବା, ସରକାରୀ ବସ୍ର ରଙ୍ଗ ବଦଳାଇବା କାମ ଆଦି କରୁଥିବା ଲକ୍ଷ୍ୟ କରାଗଲାଣି । ତେବେ ବିଜୁ ଜନତା ଦଳ ପକ୍ଷରୁ ୨୦୦୧-୨୦୦୨ ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସମ୍ମାନରେ ରାଜ୍ୟରେ କୃତୀ କ୍ରୀଡ଼ାବିତ୍ଙ୍କୁ ବିଜୁ ପଟ୍ଟନାୟକଙ୍କ ନାମରେ ଏକ ପୁରଷ୍କାର ପ୍ରଦାନର ବ୍ୟବସ୍ଥା କରିଥିଲେ ।
ଓଡ଼ିଶା ପାଇଁ ବିଜୁ ପଟ୍ଟନାୟକଙ୍କର ଅବଦାନ ଅତୁଳନୀୟ । ସେ କେବଳ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପିତା ଭାବରେ ପରିଚିତ ନୁହଁନ୍ତି, ବିଜୁ ପଟ୍ଟନାୟକଙ୍କର ପରିଚିତି ସ୍ୱତନ୍ତ୍ର ଏବଂ ସେ ହିଁ ତାଙ୍କର ନିଜର ପରିଚୟ । ଅନ୍ୟ କାହା ପରିଚୟରେ ତାଙ୍କୁ ପରିଚିତି କରାଇବା ବାଚାଳାମି ହେବ । ସମଗ୍ର ବିଶ୍ୱ ତାଙ୍କୁ ଖୁବ୍ ଭଲ ଭାବରେ ଜାଣିଛି । ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରଷ୍କାରର ବହୁ ପୂର୍ବରୁ ୧୯୫୨ ମସିହାରୁ ବିଜ୍ଞାନକୁ ଲୋକପ୍ରିୟ କରାଇବା କ୍ଷେତ୍ରରେ କଳିଙ୍ଗ ପୁରଷ୍କାର ପ୍ରଦାନ କରାଯାଉଛି । ଏହି ପୁରଷ୍କାରର ଉଦ୍ୟୋକ୍ତା ହେଉଛନ୍ତି ବିଜୁ ପଟ୍ଟନାୟକ । ବର୍ତ୍ତମାନ ୟୁନେସ୍କୋ ପକ୍ଷରୁ ଏହି ପୁରଷ୍କାର ଦିଆଯାଉଛି । ତେଣୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରଷ୍କାର ସହିତ ବିଜୁ ଜନତା ଦଳକୁ ଯୋଡିବା କେବଳ ବାଚାଳାମି ମାତ୍ର । ଯାହାର ପରିଚୟ ସେ ନିଜେ, ତାଙ୍କ ପାଇଁ ନୂଆ ପରିଚୟର ଆବଶ୍ୟକତା ନାହିଁ । ତାଙ୍କୁ ନେଇ ଅନ୍ୟମାନଙ୍କ ପରିଚୟ ସୃଷ୍ଟି ହୋଇପାରେ । କିନ୍ତୁ ଅନ୍ୟମାନଙ୍କୁ ନେଇ ତାଙ୍କ ପରିଚୟ ଦେବା ତାଙ୍କ ବିଷୟରେ ଏକ ଅଜ୍ଞତା ବୋଲି କୁହାଯାଇପାରିବ । କ୍ରୀଡ଼ା କ୍ଷେତ୍ରର ପ୍ରଗତି ପାଇଁ ତାଙ୍କ ନାମରେ ଏହି ପୁରଷ୍କାର ପ୍ରଚଳନ କରାଯାଇଛି । ଏହା କୌଣସି ପ୍ରକାରର ରାଜନୀତିକ ସଂକୀର୍ଣ୍ଣତାରୁ ଉଦ୍ଧ୍ୱର୍ରେ ।
ହଠାତ୍ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରଷ୍କାରକୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରଷ୍କାର ନାମରେ ନାମିତ କରି ରାଜ୍ୟ ସରକାର ଏହାକୁ ପ୍ରଦାନ କରିବା ପାଇଁ ଉଦ୍ୟମ କରୁଥିବା କଥା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଲା । ଏ ପ୍ରକାରର ଏକ ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସମଗ୍ର ରାଜ୍ୟରେ ଓଡ଼ିଶାବାସୀଙ୍କର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହାର କାରଣ ହେଉଛି ବିଜୁ ପଟ୍ଟନାୟକଙ୍କର ନାମ ହିଁ ଭାରତୀୟ ରାଜନୀତିର ଏକ ସ୍ୱତନ୍ତ୍ର ଏବଂ ଜୀବନର ଶେଷ ପର୍ଯ୍ୟନ୍ତ ଓଡ଼ିଶାବାସୀଙ୍କ ପ୍ରଗତି କ୍ଷେତ୍ରରେ ସେ ନେଇଥିବା ସମସ୍ତ ପଦକ୍ଷେପ ସମସ୍ତ ପ୍ରକାରର ରାଜନୀତିକ ସଂକୀର୍ଣ୍ଣତାର ବହୁ ଉଦ୍ଧ୍ୱର୍ରେ ରହିଥିଲା । ତେଣୁ ସରକାର ପରିବର୍ତ୍ତନ ହେବା ପରେ ତାଙ୍କ ନାମରେ ରହିଥିବା ପୁରଷ୍କାରକୁ ଭିନ୍ନ ଏକ ନାମରେ ଦେବା ପାଇଁ ସରକାରଙ୍କର ଉଦ୍ୟମର ତୀବ୍ର ସମାଲୋଚନା ଓଡ଼ିଶାବାସୀ କରିବା ଆରମ୍ଭ କରି ଦେଲେ । ଲୋକଙ୍କର ଏପରି ଏକ ପ୍ରତିକ୍ରିୟାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ସଙ୍ଗେ ସଙ୍ଗେ ଏକ ସ୍ପଷ୍ଟୀକରଣ ଦେଇ ରାଜ୍ୟ କ୍ରୀଡ଼ା ପୁରଷ୍କାରର ନାଁ ବଦଳାଇବାର ସରକାରଙ୍କର କୌଣସି ଉଦେ୍ଦଶ୍ୟ ନାହିଁ ବୋଲି କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ପରେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ୍ ମଧ୍ୟ ଏ ସମ୍ପର୍କିତ ଏକ ସ୍ପଷ୍ଟୀକରଣ ଦେଇଛନ୍ତି । ସେ କହିଛନ୍ତି ଯେ ଓଡ଼ିଶାର ବରୁପତ୍ରମାନଙ୍କୁ ସମ୍ମାନ ଦେବା ପାଇଁ କ୍ରୀଡ଼ା ବିଭାଗ ଉଦ୍ୟମ ଆରମ୍ଭ କରିଛି । ତେଣୁ ବିଜୁ ପଟ୍ଟନାୟକ କ୍ରୀଡା ପୁରଷ୍କାରର ନାମ ବଦଳାଇବାର ଯୋଜନା ସରକାରଙ୍କର ନାହିଁ । କିନ୍ତୁ ଗଲା ଶନିବାର ଦିନ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନକୁ ଓଡ଼ିଶା କ୍ରୀଡ଼ା ସମ୍ମାନ ନାମରେ ପ୍ରକାଶ ପାଇଥିଲା । ତେବେ ଯାହାବି ହେଉ ପ୍ରତି ବର୍ଷ ଅଗଷ୍ଟ ୨୯ ତାରିଖ କ୍ରୀଡ଼ା ଦିବସ ଅବସରରେ ମୋଟ୍ ୫ଟି ବର୍ଗରେ ଏହି ପୁରଷ୍କାର ବିଜୁ ପଟ୍ଟନାୟକଙ୍କ ନାମରେ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟିକରଣ ପରେ ଭବିଷ୍ୟତରେ ଏହାକୁ ନେଇ ଆଉ ବିବାଦ ହେବ ନାହିଁ ବୋଲି ଆଶା କରାଯାଏ ।