ରାଜ୍ୟସ୍ତରୀୟ ‘ସୁରଭି’ରେ ମୟୂରଭଞ୍ଜ ଛାତ୍ରଛାତ୍ରୀଙ୍କ କୃତିତ୍ୱ

 ବାରିପଦା/ସାରସକଣା : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓଡିଶା ସରକାରଙ୍କ ଦ୍ୱାରା ଆୟୋଜିତ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୪ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ଉଚ୍ଚ ବିଦ୍ୟାଳୟ, ୟୁନିଟ-୩ ପରିସରରେ ତିନିଦିନ ବ୍ୟାପୀ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭିରେ ୨୯ଟି ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନେ ଏହି ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭିରେ ଅଂଶଗ୍ରହଣ କରିଥିଲେ । ଏକାଦଶରୁ ଦ୍ୱାଦଶ ବରିଷ୍ଠ ଉଚ୍ଚ ମାଧ୍ୟମିକ ବର୍ଗର ବକ୍ତୃତାରେ, ବନାନୀ ବେହେରା, ଏମଜି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବୈଶିଙ୍ଗା, ବେତନଟୀ ପ୍ରଥମ ସ୍ଥାନ, ଚିତ୍ରାଙ୍କନ (ଦିବ୍ୟାଙ୍ଗ)ରେ ରସିଦା ପରୱିନ, ଓଡିଶା ଆଦର୍ଶ ବିଦ୍ୟାଳୟ, ମହୁଲିଆ, ରାସଗୋବିନ୍ଦପୁର ତୃତୀୟ ସ୍ଥାନ, କୁଇଜରେ ସମିତ ଗିରି, ଓଡିଶା ଆଦର୍ଶ ବିଦ୍ୟାଳୟ, ଝାଡଗାଁ, ବହଳଦା ତୃତୀୟ ସ୍ଥାନ, ସଙ୍ଗୀତ (ଦିବ୍ୟାଙ୍ଗ) ରେ ଗୁରୁବାରି ମୁର୍ମୁ, ବାବା ଜଟେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ନୂଆଗାଁ, ଛୋୟରାୟପୁର, ମୋରଡା ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ସମୟରେ ଚତୁର୍ଥରୁ ସପ୍ତମ କନିଷ୍ଠ ବର୍ଗର ଚିତ୍ରାଙ୍କନରେ ଜ୍ୟୋତିପ୍ରଭା ଦେବୀ, ଓଡିଶା ଆଦର୍ଶ ବିଦ୍ୟାଳୟ, ଟିଟିଆ, ଗୋପବନ୍ଧୁ ନଗର ତୃତୀୟ ସ୍ଥାନ, କୁଇଜରେ ନିତେଶ ଗୋଚ୍ଛାୟତ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଉଠାଣିନୂଆଗାଁ, ବଡସାହି ତୃତୀୟ ସ୍ଥାନ, ଓଡିଆ ହସ୍ତାକ୍ଷର ଓ ଶ୍ରୁତ ଲିଖନରେ ସ୍ନେହାସିନୀ ବେହେରା, ସରକାରୀ ଉଚ୍ଚ ବିଦ୍ୟାଳୟ, ଧାନଘେରା, ଖୁଣ୍ଟା ଦ୍ୱିତୀୟ ସ୍ଥାନ ଅଧିକାର କରି ଜିଲ୍ଲା ପାଇଁ ଗୌରବ ଆଣି ଦେଇଛନ୍ତି । ସେହିପରି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ୟୁନିଟ-୬, ଭୁବନେଶ୍ୱର ଠାରେ ଆୟୋଜିତ ରାଜ୍ୟସ୍ତରୀୟ ସ୍କୁଲ ବ୍ୟାଣ୍ଡ ପ୍ରତିଯୋଗିତାରେ ପାଇପ ବ୍ୟାଣ୍ଡ ବାଳକ ବିଭାଗରେ ବିବେକାନନ୍ଦ ବିଦ୍ୟାଳୟ, କରଞ୍ଜିଆ ପ୍ରଥମ ସ୍ଥାନ ଅଧିକାର କରି ସର୍ବ ଭାରତୀୟ ସ୍ତର (ପୂର୍ବାଞ୍ଚଳ) ଗୌହାଟି, ଆସାମ ଠାରେ ଆୟୋଜିତ ହେବାକୁ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ମନୋନୀତ ହୋଇଛନ୍ତି । ସେହିପରି ସରକାରୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ  ବିଦ୍ୟାଳୟ, ତିରିଙ୍ଗର ଛାତ୍ର ମେଘରାୟ ହେମ୍ବ୍ରମ ଓ ଜଗନ୍ନାଥ ଟୁଡୁ ବର୍ଜ୍ୟ ବସ୍ତୁ ପରିଚାଳନା ପ୍ରକଳ୍ପଟି ରାଜ୍ୟସ୍ତରରେ ସର୍ବଶ୍ରେଷ୍ଠ ପଞ୍ଚମ ମଧ୍ୟରେ ରହି ଥିବାରୁ ଏହି ପ୍ରକଳ୍ପଟି ରାଜ୍ୟସ୍ତରୀୟ ସୁରଭି ୨୦୨୪ ସ୍ମାର୍ଟ ଇଣ୍ଡିଆ ହାକାଥନରେ ପ୍ରଦର୍ଶିତ ହୋଇ ରାଜ୍ୟ ସରକାରଙ୍କ ପାଖରୁ ପାଞ୍ଚ ହଜାର ଟଙ୍କା ପୁରସ୍କାର ରାଶି ଲାଭ କାରିଛନ୍ତି । ରାଜ୍ୟ ସ୍ତରୀୟ ସୁରଭି ୨୦୨୪ ଅବସରରରେ ଓସେପା ତରଫରୁ ଏକ ଜନଜାତି ଶିକ୍ଷା ସମ୍ବଳ କେନ୍ଦ୍ର ପ୍ରଦର୍ଶନୀ ଷ୍ଟଲର ଆୟୋଜନ କରଯାଇଥିଲା । ଯାହାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର  ମନ୍ତ୍ରୀ ଏଭଳି ପ୍ରୟାସ ଓ ବିଦ୍ୟାଳୟସ୍ତରରେ ଏହାର ପ୍ରୟୋଗକୁ ଉଚ୍ଚ ପ୍ରଶଂସା କରିଥିଲେ । ରାଜ୍ୟସ୍ତରୀୟ ସୁରଭି ୨୦୨୪ରେ ମୟୂରଭଞ୍ଜ ଜିଲ୍ଲାର ୨୬ ଗୋଟି କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ୫୨ଜଣ ଛାତ୍ରୀ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆବାସିକ ଛାତ୍ରାବାସ, ପୂର୍ଣ୍ଣଚନ୍ଦ୍ରପୁର, ବାରିପଦା ଓ ବିଶୋଇର ୨୦ ଜଣ ଛାତ୍ର ଯୋଗଦାନ କରିଥିଲେ । ଅତିଥିଙ୍କ ସ୍ୱାଗତ ନିମନ୍ତେ  ମୟୂରଭଞ୍ଜ ଜିଲ୍ଲା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ଛାତ୍ରୀଙ୍କ ଦ୍ୱାରା ପରିବେଷିତ ସାନ୍ତାଳୀ ନୃତ୍ୟ ଅତ୍ୟନ୍ତ  ଚିତ୍ତାକର୍ଷକ ଥିଲା । ଉପରୋକ୍ତ ସମସ୍ତ କୃତୀ ଛାତ୍ରଛାତ୍ରୀଙ୍କୁ ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ ପୂର୍ଣ୍ଣଚନ୍ଦ୍ର ସେଠୀ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।