ତରାଇଲୋ ମୌଜାରେ ମାତିଛନ୍ତି ମୋରମ ମାଫିଆ ଉଜାଡ଼ି ଦେଲେଣି ରକ୍ଷିତ ଶାଳ ଜଙ୍ଗଲ ଜମି
ାା ପ୍ରଭାନୁ୍ୟଜ ।ା ଯାଜପୁର, : ଦାନଗଦୀ ତହସିଲ ଅଞ୍ଚଳରେ ଲଘୁ ଖଣିଜ ମାଫିଆ ପୁଣି ସକ୍ରିୟ ହୋଇପଡ଼ିଲେଣି । ବିଜେଡ଼ି ଶାସନର ପରିବର୍ତ୍ତନ ପରେ ମାଫିଆ ଘରେ ବସିବେ ବୋଲି ଯେଉଁ ଆଶା କରାଯାଉଥିଲା, ତାହା କିନ୍ତୁ ଭୁଲ ପ୍ରମାଣିତ ହେବାରେ ଲାଗିଛି । ବିଜେପି ଦଳର କିଛି କୁଜି ନେତାଙ୍କୁ ହାତ କରି ମାଫିଆ ଲୁଟପାଟ ଆରମ୍ଭ କରି ଦେଇଥିବା ବେଳେ ତରାଇଲୋ ମୌଜାରେ ଥିବା ରକ୍ଷିତ ଶାଳ ଜଙ୍ଗଲକୁ ଉଜାଡ଼ି ମୋରମ ଲୁଟିବାରେ ଲାଗିଛନ୍ତି । ମୋରମ ଲୁଟରେ ଲାଗିଛି ହିଟାଚି ମେସିନ । ମେସିନରେ ମୋରମ ଖୋଳି ବଡ଼ବଡ଼ ଗାଡ଼ିରେ ହେଉଛି ଚାଲାଣ । ମାଫିଆଙ୍କୁ ଡ଼ରି କେହି କ୍ଷେତ୍ରରେ ପହଞ୍ଚି ବିରୋଧ କରିବାକୁ ସାହସ ଜୁଟାଉନଥିବା ବେଳେ ବିଭିନ୍ନ ବାଟରେ ପ୍ରଶାସନ ନଜରକୁ ଆଣୁଛନ୍ତି । ହେଲେ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନି । ସ୍ଥାନୀୟ ପୁଲିସର କେଇଜଣ କର୍ମଚାରୀ ମାଫିଆଙ୍କୁ ପୂର୍ଣ୍ଣମାତ୍ରାରେ ସମର୍ଥନ କରିବା ସହ ବୋଝେଇ ଗାଡ଼ିକୁ ବାଟେଇ ଦେଉଥିବାର ମଧ୍ୟ ଅଭିଯୋଗ ହେଉଛି । ଯେଉଁ ମୋରମ ବୋଝେଇ ଗାଡ଼ି କେନ୍ଦୁଝର ଜିଲା ରାମଚନ୍ଦ୍ରପୁର ରାସ୍ତା ଦେଇ ଭଦ୍ରକ ଜିଲାକୁ ଯାଉଛି । ଅଭିଯୋଗ ମତେ ଦାନଗଦୀ ତହସିଲ ଅନ୍ତର୍ଗତ ତରାଇଲୋ ମୌଜାର ଖାତା ନମ୍ବର-୩୦୪, ପ୍ଲଟ୍ ନମ୍ବର-୨୮୮୨ରେ ମୋଟ୍ ୧.୯୪୦ଏକର ରକ୍ଷିତ ଶାଳ ଜଙ୍ଗଲ ଜମି ରହିଥିବା ବେଳେ ଏହି ଜମିରୁ ଉକ୍ତ ଗ୍ରାମର କେଇଜଣ ମାଫିଆ ବହୁ ଲକ୍ଷଟଙ୍କାର ମୋରମ ଲୁଟି ନେଇଥିବା ବେଳେ ଜଙ୍ଗଲ ଜମିକୁ ଉଜାଡ଼ି ବିରାଟକାୟର ପୋଖରୀ କରି ଦେଲେଣି । ଯାହା ବିପଦର କାରଣ ହେବାଟାକୁ ଏଡ଼ାଇ ଦେଇ ହେବନି । ବର୍ଷା ହେଲେ ମୋରମ ଖାଲରେ ପାଣି ଭର୍ତ୍ତି ହୋଇଯିବ । ଯାହା ଫଳରେ ଉକ୍ତ ଜଙ୍ଗଲକୁ ଖାଦ୍ୟ ଅନ୍ମେଷଣରେ ଆସୁଥିବା ପଶୁ ସଂପଦ ପାଇଁ ବିପଦର କାରଣ ସାଜିବ । ହେଲେ ଚୋରାରେ ଜଙ୍ଗଲ କିସମ ଜମିରୁ ମୋରମ ଉଠାଯାଉଥିଲେ ହେଁ ନାଁ ଜଙ୍ଗଲ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉଛି ନାଁ ଟମକା ପୁଲିସ ନାଁ ଜିଲା ଖଣି ବିଭାଗ । ଏଠାରେ ଲଘୁ ଖଣିଜ ସଂପଦ ହରିଲୁଟ ହେଉଥିବା ବେଳେ ବିଭାଗ କେବେ ମାଫିଆଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି, ତାହାକୁ ଅଞ୍ଚଳବାସୀ ଅନାଇ ବସିଛନ୍ତି ।