ହିରୋ ବ୍ୟାସନଗର ପ୍ରିମିୟର ଲିଗ : ଉଦ୍ଘାଟନୀ ମ୍ୟାଚ ଜିତିଲା ପ୍ରଶାନ୍ତି ୱାରିୟର ଓ ବାରାଗଡିଆ ପାୱାର
ବ୍ୟାସନଗର: ବ୍ୟାସ କ୍ରିକେଟ କ୍ଳବ ଆନୁକୂଲ୍ୟରେ ଏନସି ହାଇସ୍କୁଲ ଖେଳ ପଡିଆରେ ଉଦ୍ଘାଟିତ ହୋଇଛି ୧୭ତମ ଦିବା-ରାତ୍ର ହୀରୋ ବ୍ୟାସନଗର ପ୍ରିମିୟର ଲିଗ୍ କ୍ରିକେଟ ଟୁର୍ନାମେଂଟ । ପ୍ରଥମ ମ୍ୟାଚ ପ୍ରଶାନ୍ତି ଚାଲେଞ୍ଜର ଓ ମା ହିଙ୍ଗୁଳା ହେଲ୍ପ ଲାଇନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ହିଙ୍ଗୁଳା ହେଲ୍ପ ଲାଇନ ଟଚ ଜିତି ୧୯.୫ ଓଭରରେ୯ ୱିକେଟ ହରାଇ୧୨୯ରନ ସଂଗ୍ରହ କରିଥିଲା । ଜବାବରେ ପ୍ରଶାନ୍ତି ଚାଲେଞ୍ଜର ୫ୱିକେଟ ବିନିମୟରେ ବିଜୟୀ ରନ ସଂଗ୍ରହ କରିଥିଲା । ସେହିପରି ଦ୍ୱିତୀୟ ମ୍ୟାଚ ବାରାଗଡିଆ ପାୱାର ଓ ଲକ୍ଷ୍ମୀ ୱାରିଅର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ବାରାଗଡିଆ ପାୱାର ୮ୱିକେଟ ବିନିମୟରେ ୨୨୦ରନ ସଂଗ୍ରହ କରିଥିଲା । ଜବାବରେ ଲକ୍ଷ୍ମୀ ୱାରିଅର ୧୪୪ ରନ କରି ୭୬ ରନରେ ପରାସ୍ତ ହେଇଥିଲା । କ୍ଳବର ସଭାପତି ରୁଦ୍ରନାରାୟଣ ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ଅତିଥିଭାବେ କୋରେଇ ବିଧାୟକ ଆକାଶ ଦାସନାୟକ, ରାଜ୍ୟ ମହିଳା କଂଗ୍ରେସ ପ୍ରାକ୍ତନ ସଭାନେତ୍ରୀ ବନ୍ଦିତା ପରିଡା, ଜିଲା କ୍ରୀଡା ସଂସଦର କାର୍ଯ୍ୟକାରୀ ସଭାପତି ରସାନନ୍ଦ ମହାନ୍ତି, ସୌମିକ ହୀରୋର ବଚନ କୁମାର ସାମଲ, ପୂର୍ବତନ କାଉନସିଲର ସୋମେନ୍ଦ୍ର ରାଉତ ଓ ଯୁବ ନେତା ଅଯୋଧ୍ୟାନାଥ ଜେନା ପ୍ରମୁଖ ଯୋଗଦେଇ ଉଦଘାଟନ କରିଥିଲେ । ଟୁର୍ଣ୍ଣାମେଂଟରେ ଚେନାଇ ସୁପରକିଙ୍ଗ, ମୁମ୍ବାଇ ଇଣ୍ଡିଆନ, ଆଇପିଏଲ ତାରକା ତଥା ଜାତୀୟ ଅନ୍ତର୍ଜାତୀୟ ଖେଳାଳି ଯୋଗ ଦେଇଥିଲେ । ସତ୍ୟବ୍ରତ ମହାପାତ୍ର, ଅସିତ ପାଲ ଖେଳ ପରିଚାଳନା କରୁଥିବା ବେଳେ ସବ୍ୟସାଚୀ ଦାସ ସ୍କୋର ଦାୟିତ୍ୱ ଓ ବୁବୁ ସିହ୍ନା ଓ ରଶିଉଦ୍ଧିଲ ଭାଷ୍ୟକାର ଭାବେ ତୁଲାଇଥିଲେ । ଟୁର୍ଣ୍ଣାମେଂଟ ୬ଦିନ ଧରି ଚାଲିବାକୁ ଥିବାବେଳେ ଆସନ୍ତା ୩୦ତାରିଖ ରବିବାର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି କ୍ଳବର ସମ୍ପାଦକ ରାଜେନ୍ଦ୍ର ପ୍ରସାଦ ସ୍ୱାଇଁ ସୂଚନା ଦେଇଛନ୍ତି ।