ମିଶନ ଆଶ୍ରା: ମାନସିକ ଅନଗ୍ରସର ମହିଳାଙ୍କ ନୂଆ ଆଶା

ଦାନଗଦୀ: ସମାଜରେ ଥିବା ମାନସିକ ଅନଗ୍ରସର ଓ ବିକାରଗ୍ରସ୍ତ ମହିଳାମାନଙ୍କୁ ଲୋକମାନେ ଅଲୋଡ଼ା, ଅସହାୟ ଭାବୁଥିବା ବେଳେ, ସେହି ପଥହୁଡ଼ା ମହିଳାମାନଙ୍କ ପାଇଁ ଆଶାର ଆଲୋକ ସାଜି ଆଗେଇ ଆସି ସଫଳ ହୋଇପାରିଛି ପୁ୍ୟପୁଲୁସ ଫୋରମ ମିଶନ ଆଶ୍ରା । ମହିଳା ମାନଙ୍କୁ ଖୋଜି ଚିହ୍ନଟ କରି ତାଙ୍କର ସମସ୍ତ ଦାୟିତ୍ୱ ନେଇ ଏକ ସୁସ୍ଥ ନୂଆ ଜୀବନ ଦେଇ ସାରିବା ପରେ ଉକ୍ତ ମହିଳା ମାନେ କିପରି ସ୍ୱାବଲମ୍ବୀ ହେବେ ତାର ରାସ୍ତା ଦେଖାଇଛି ମିଶନ ଆଶ୍ରା ଓ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ପ୍ରତିଷ୍ଠାନ । ଆମେ କହୁଛୁ ଯାଜପୁର ଜିଲା ସୁକିନ୍ଦା ଜାମୁପସି ଠାରେ ଥିବା ମିଶନ ଆଶ୍ରା କେନ୍ଦ୍ରର କଥା । ଯାଜପୁର ଜିଲାରେ ଥିବା ଏହି କେନ୍ଦ୍ରଟି ମାନସିକ ବିକାର ଗ୍ରସ୍ତ ଓ ଅସହାୟ ମହିଳା ମାନଙ୍କ ଚିକିତ୍ସା ଓ ଥଇଥାନ କରିବା ପାଇଁ କାର୍ଯ୍ୟ କରୁଛି । ଆଜକୁ ୨ବର୍ଷ ହେବ ଏହିକେନ୍ଦ୍ରଟିରେ ଜିଲାର ସବୁ ଅଞ୍ଚଳରୁ ଏପରି ମହିଳାମାନଙ୍କୁ ଚିହ୍ନଟ କରି ଅଣାଯାଇ ଏଠାରେ ଉପଯୁକ୍ତ ଚିକିତ୍ସା କରାଯାଇ ସୁସ୍ଥ କରାଯିବା ସହ ସେମାନଙ୍କୁ ନିଜ ଗୋଡ଼ରେ ନିଜେ ଠିଆ ହେବା ପାଇଁ ଦିଆଯାଏ ପ୍ରଶିକ୍ଷଣ । ଏହି ଆଶ୍ରା କେନ୍ଦ୍ରଟିରେ ବର୍ତମାନ ୯୧ ଜଣ ଅନ୍ତେବାସୀ ରହୁଥିବା ବେଳେ ସେମାନଙ୍କ ମଧ୍ୟରୁ ୩୫ ଜଣ ସୁସ୍ଥ ହୋଇ ଘରକୁ ଯିବା ପୂର୍ବରୁ ଏକ ଧନ୍ଦାମୂଳକ ତାଲିମ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ପ୍ରତିଷ୍ଠାନ ତରଫରୁ ପ୍ରଦାନ କରାଯାଇଛି । ଏହି ମହିଳା ମାନେ ଅଗରବତୀ, ଫିନାଇଲ, ମହମବତୀ, ଅଳତା, ଡିଟରଜେଣ୍ଟ ପାଉଡର ପ୍ରଶିକ୍ଷଣ ନେଇ ନିଜେ ତିଆରି କରୁଛନ୍ତି । ନିଜ ହାତରେ ବହୁତ ସୁନ୍ଦର ଭାବେ ଆଗ୍ରହର ସହ ଏହି ମହିଳା  ପ୍ରଶିକ୍ଷକଙ୍କ ଠାରୁ ଶିକ୍ଷା ଲାଭ କରି ସାମଗ୍ରୀ ଗୁଡିକୁ ତିଆରି କରି ପାରୁଛନ୍ତି । ମେସିନ ସାହାଯ୍ୟରେ ଓ ହାତରେ ଧୁପକାଠି ତିଆରି କରୁଛନ୍ତି । ମାନସିକ ବିକାରଗ୍ରସ୍ତ ମହିଳା କେଉଁଥିରେ କମ ନୁହଁନ୍ତି, ସେମାନଙ୍କର ଉପଯୁକ୍ତ ଚିକିତ୍ସା ସହ ଦେଖାଶୁଣା କଲେ ପୁନଶ୍ଚ ସେମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ କାହାକୁ ହାତ ନ ପତାଇ ନିଜେ ସ୍ୱାବଲମ୍ବୀ ହେବା ସହ ଆତ୍ମନିର୍ଭରଶିଳ ହୋଇ ପାରିବେ ତାହା ପ୍ରମାଣ କରି ଦେଖାଇ ଦେଇଛନ୍ତି ମିଶନ ଆଶ୍ରା ଓ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ପ୍ରତିଷ୍ଠାନର ସଦ୍ୟସ । ମିଶନ ଆଶ୍ରାର ଅର୍ପିତା ବେହେରା, ସୁଦେଷ୍ଣା ସାହୁ, ମୁଫିଆ ସାହା, ଜିତେନ୍ଦ୍ର ପ୍ରଧାନ ଓ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ପ୍ରତିଷ୍ଠାନର ସୁରେଶ ଚନ୍ଦ୍ର ନାୟକ, ପ୍ରସନ୍ନ କୁମାର ରାଉତ, ଧୀରେନ୍ଦ୍ର ନାଥ ପରିଡା ପ୍ରମୁଖଙ୍କ ମିଳିତ ସହଯୋଗରେ ଅନ୍ତେବାସୀ ମାନେ ନୂଆ ଜୀବନ ପାଇଛନ୍ତି । ଅନ୍ତେବାସୀ ସଂଗୀତା ଜେନା, ସୁନିତା ଧଳ, ମାନୀ ପାଢ଼ୀ, ନନ୍ଦିନୀ ଚାଟର, ରଞ୍ଜୁ ଦେହୁରୀ, ବନିତା ମଲିକ, ରମା ପାତ୍ର ମିଶିକି ଏହି ସବୁ ତାଲିମ ନେଇ ଏବେ ଆଗରେ ରହି ପ୍ରମାଣ ପତ୍ର ହାସଲ କରିଛନ୍ତି । ଏହି ମହିଳା ମାନେ ସମାଜରେ ଥିବା ସୁସ୍ଥ ସବଳ ନାରୀମାନଙ୍କ ପାଇଁ ଉଦାହରଣ ଓ ପ୍ରେରଣା ନିଶ୍ଚିତ । ଏହି ଅନ୍ତେବାସୀ ଆଜିର ମାନସିକ ବିକାର ଗ୍ରସ୍ତ ନାରୀ ଯେ କୌଣସି ଥରେ କମ ନୁହଁନ୍ତି ତାହା ପ୍ରମାଣିତ କରି ଦେଖାଇଛନ୍ତି ।