ନବରଙ୍ଗପୁରରେ କିନ୍ନର କଳି ; ବାହ୍ୟ ଜିଲ୍ଲାର କିନ୍ନରଙ୍କ ପ୍ରବେଶକୁ ବିରୋଧ

ନବରଙ୍ଗପୁରରେ କିନ୍ନର କଳି ; ବାହ୍ୟ ଜିଲ୍ଲାର କିନ୍ନରଙ୍କ ପ୍ରବେଶକୁ ବିରୋଧ

ନବରଙ୍ଗପୁର : କଳାହାଣ୍ଡି ଜିଲ୍ଲାରୁ କେତେକ କିନ୍ନର ନବରଙ୍ଗପୁର ଜିଲ୍ଲାର ଉମରକୋଟକୁ ଆସି ଉମରକୋଟ, ଝରିଗାଁ, ରାଇଘର ଅଞ୍ଚଳର ଦୋକାନ ବଜାରରୁ ଚାନ୍ଦା ଆଦାୟ କରୁଛନ୍ତି । ଏହାସହ ଅନୈତିକ କାର୍ଯ୍ୟରେ ଲିପ୍ତ ରହୁଥିବା ନେଇ ନବରଙ୍ଗପୁର ଜିଲ୍ଲା କିନ୍ନର ସଂଘର ସଭ୍ୟା ତଥା ବରିଷ୍ଠ ଉପଦେଷ୍ଟା ଶର୍ମିଷ୍ଠା ଦେଓ ଅଭିଯୋଗ କରିଛନ୍ତି । ଆଜି ତାଙ୍କ ନେତୃତ୍ୱରେ ସଂଘର କର୍ମକର୍ତ୍ତା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସହ ଆଲୋଚନା କରିଥିଲେ । ନବରଙ୍ଗପୁର ଜିଲ୍ଲା ପ୍ରଶାସନ ନିକଟରେ ରେଜିଷ୍ଟ୍ରିଭୁକ୍ତ ନ ଥିବା କଳାହାଣ୍ଡି ଜିଲ୍ଲାର କିନ୍ନରଙ୍କ କାର୍ଯ୍ୟକଳାପର ତଦନ୍ତ କରି ଆଗକୁ ପଦକ୍ଷେପ ନିଆଯିବାକୁ ସେମାନେ ଦାବି କରିଛନ୍ତି । ଯେଉଁ ଜିଲ୍ଲାର କିନ୍ନର ସେହି ଜିଲ୍ଲାରେ ରହି ନିଜ କର୍ତ୍ତବ୍ୟ ପାଳନ କରିବା ଉଚିତ୍‌ ବୋଲି ସଂଘର ଉପଦେଷ୍ଟା ଦାବି କରିଛନ୍ତି । ଏ ସମ୍ପର୍କିତ ଦାବିପତ୍ରକୁ ଅନୁଧ୍ୟାନ ପୂର୍ବକ ମନ୍ତ୍ରୀ ଶ୍ରୀ ଗଣ୍ଡ ଆଗାମୀ ଦିନରେ ଏ ସମସ୍ତ ବିଷୟ ତଦନ୍ତ କରି ନିଶ୍ଚିତ ଭାବରେ ନିଷ୍ପତ୍ତି ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ସାକ୍ଷାତ କାର୍ଯ୍ୟକ୍ରମରେ କିନ୍ନର ସଂଘର ସଭାପତି କାଜଲ କିନ୍ନର, ସମ୍ପାଦକ ଚୁମୁକି କିନ୍ନର, ସଂଘର ସଦସ୍ୟା ମନ୍ଦିରା ନାୟକ, ସତ୍ୟବତୀ ନାୟକ, ଶେଫାଳୀ ବେବର୍ତ୍ତା ସମେତ ସଂଘର ସମସ୍ତ କିନ୍ନର ଉପସ୍ଥିତ ରହି ସହଯୋଗ କରିଥିଲେ ।