ହଟୁନି ମନ୍ଦିର, ଆଗେଇ ପାରୁନି କେନାଲ ସମ୍ପ୍ରସାରଣ: ମନ୍ଦିର ପ୍ରତିଷ୍ଠାତା ଓ ଗ୍ରାମବାସୀଙ୍କ ମଧ୍ୟରେ ବଢୁଛି ବିବାଦ

  ଖଇରାରୁ ବଳରାମ ଲେଙ୍କା : ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଡଗରପଡା ଗ୍ରାମ ପଞ୍ଚାୟତ ଅଧୀନ ବଡ ବାହାଦଲପୁର ଗ୍ରାମ ନିକଟରେ ରାସ୍ତା କଡ ସରକାରୀ ଜମିରେ ଥିବା ଏକ ମନ୍ଦିରକୁ ଉଚ୍ଛେଦ କରାଯାଉନଥିବାରୁ ଏବେ କେନାଲର ଦକ୍ଷିଣ ପାଖ ପାଚେରୀ ଓ ରାସ୍ତା କାମ ଅଟକି ରହିଛି । କେବଳ କାମରେ ଅଗ୍ରଗତି ହୋଇ ପାରୁନି ତାହା ନୁହେଁ, ମନ୍ଦିରକୁ ଆସୁଥିବା ଭକ୍ତଙ୍କ ପାଇଁ ଏହି ଗଭୀର କେନାଲ ପାଣି ପ୍ରତି ମୂହୁର୍ତ୍ତରେ ବିପଦ ସୃଷ୍ଟି କରୁଛି । ମନ୍ଦିର ପ୍ରତିଷ୍ଠାତା ଓ ଗ୍ରାମବାସୀଙ୍କ ମଧ୍ୟରେ ବିବାଦ ବଢି ଚାଲିଥିବାବେଳେ ପ୍ରଶାସନ ନିଷ୍ପତ୍ତିରେ ବିଳମ୍ବ ହେଉଥିବାରୁ କେନାଲ କାର୍ଯ୍ୟ ସମ୍ପୂର୍ଣ୍ଣରେ ଅନିଶ୍ଚିତତା ଦେଖାଦେଇଛି । ପ୍ରଶାସନ ଉଭୟ ପକ୍ଷଙ୍କ ମତକୁ  ସମ୍ମାନ ଦେଇ କିଭଳି କେନାଲ କାର୍ଯ୍ୟରେ ଅନ୍ତରାୟ ହୋଇ ରହିଥିବା ମନ୍ଦିରକୁ ଉଚ୍ଛେଦ କରି ଠାକୁରଙ୍କୁ ଅନ୍ୟ ମନ୍ଦିରକୁ ସ୍ଥାନାନ୍ତର ପାଇଁ ଡଗରପଡା ପଞ୍ଚାୟତବାସୀ ଦାବି କରିଛନ୍ତି । 
ଗତ ୧୦ବର୍ଷ ତଳେ ଗ୍ରାମର ଶଙ୍କର୍ଷଣ ବେହେରା ସରକାରୀ ଜମିରେ ଏକ ଶିବ ମନ୍ଦିର ପ୍ରତିଷ୍ଠା କରିଥିଲେ । ସେତେବେଳକୁ କେନାଲ ସମ୍ପ୍ରସାରଣ ପାଇଁ ମନ୍ଦିର ଜାଗା ଚିହ୍ନଟ ହୋଇ ସାରିଥିଲା । ହେଲେ ଏହାକୁ ବିଶେଷ ଗୁରୁତ୍ୱ ନ ଦେଇ ମନ୍ଦିର ପ୍ରତିଷ୍ଠା କରାଇ ପର୍ବପର୍ବାଣୀ ପାଳନ କରିଥିଲେ । ପରବର୍ତ୍ତୀ ସମୟରେ ଜଳସେଚନ ବିଭାଗ ଆନନ୍ଦପୁର ଡିଭିଜନ ପକ୍ଷରୁ କେନାଲ ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଉକ୍ତ କାର୍ଯ୍ୟରେ ଏହି ମନ୍ଦିର ବାଧା ସୃଷ୍ଟି କରିବା ପରେ ଏହା ଉଠାଇବାକୁ ବିଭାଗ ପକ୍ଷରୁ ନୋଟିସ୍ କରାଯାଇଥିଲା । ହେଲେ ସେ ହଟାଇବା ପରିବର୍ତ୍ତେ ମନ୍ଦିର ବଢାଇବା ସହ ଠାକୁରଙ୍କ ସଂଖ୍ୟା ମଧ୍ୟ ବଢାଇ ଚାଲିଥିଲେ । ପ୍ରଥମେ ଶିବ ତାପରେ ଜଗନ୍ନାଥ ଏବଂ ପରେ ପରେ ନବଗ୍ରହ, ହନୁମାନ ଏମିତି ଅନେକ ଠାକୁରଙ୍କର ଅଭିଷେକ କରାଇଲେ । ଜଳସେଚନ ବିଭାଗ ମନ୍ଦିର ଉଠାଇବା ନିଷ୍ପତ୍ତି ପ୍ରତିବାଦରେ  ଶଙ୍କର୍ଷଣ ବେହେରା ଉଚ୍ଚ ଅଦାଲତରେ ଆଶ୍ରୟ ନେଇଥିଲେ । ଅଦାଲତ ଫେବୃଆରୀ ୧୪,୨୦୨୫ରେ ଏହି ମାମଲା(ଡବ୍ଲୁ୍ୟପି(ସି)ନଂ୪୭୦୩ ଅଫ୍ ୨୦୨୫ ର ବିଚାର କରି ୩ମାସ ମଧ୍ୟରେ ପ୍ରଶାସନ ଏହାର ସମାଧାନ ପାଇଁ ନିଦେ୍ର୍ଦଶ ଦେଇଥିଲେ । ଏହାକୁ ନେଇ ବାଲେଶ୍ୱର ଉପଜିଲ୍ଲାପାଳ ପ୍ରଥମେଶ ରାଜଶିର୍କେ ମନ୍ଦିର ନିର୍ମାଣ ହୋଇଥିବା ସ୍ଥାନକୁ ଆସି ଠାକୁରଙ୍କ ଥଇଥାନ ପାଇଁ ବିକଳ୍ପ ବ୍ୟବସ୍ଥା କରିବାକୁ କେନାଲ କର୍ତ୍ତୃପକ୍ଷ ଓ ତହସିଲଦାରଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଏବେ ୪ମାସ ଅତିକ୍ରାନ୍ତ ହେବାକୁ ବସିଥିବା ବେଳେ ଆଉ କୌଣସି ଅଗ୍ରଗତି ଘଟିପାରିନାହିଁ । ଜଳସେଚନ ବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା ଅସ୍ଥାୟୀ ଆଶ୍ରୟସ୍ଥଳକୁ ଠାକୁର ନେବାକୁ ମନ୍ଦିର ପ୍ରତିଷ୍ଠାତା ରାଜି ନଥିବା କୁହାଯାଉଛି । କେନାଲ କାର୍ଯ୍ୟ ହାତକୁ ନେଇଥିବା ଠିକାଦାର ଏହି ଆଳରେ ବିବାଦୀୟ ଜାଗାକୁ ଛାଡି ଆଗକୁ କାମ ବଢାଇବାକୁ ଆରମ୍ଭ କଲେଣି ।

ଏମାନଙ୍କ ମତରେ....
 ଜୟା ବେହେରା(କମାରପାଳବାସୀ): ଜଣେ ବ୍ୟକ୍ତିକୁ ଅଧିକ ପ୍ରାଧାନ୍ୟ ନ ଦେଇ ଠାକୁରଙ୍କୁ ଅସ୍ଥାୟୀ ମନ୍ଦିରର ବ୍ୟବସ୍ଥା କରି କେନାଲ କାମ ଶେଷ କରାଯିବା ଆବଶ୍ୟକ ।
ରନôାକର ଦଳେଇ (ସରପଞ୍ଚ, ଡଗରପଡା): ଏହି କଥାକୁ ଅଧିକ ବଢିବାକୁ ନ ଦେଇ ଉଭୟ ପକ୍ଷଙ୍କ କଥାକୁ ଗୁରୁତ୍ୱ ଦେଇ ଠାକୁରଙ୍କୁ ସ୍ଥାନାନ୍ତର ପାଇଁ ପ୍ରଶାସନ ବ୍ୟବସ୍ଥା କରିବା ଦରକାର ।
ବିମ୍ବାଧର ଦଳେଇ (ସମିତିସଭ୍ୟ,ଡଗରପଡା): ଯେଉଁ ଜାଗାରେ ପୂର୍ବ ତହସିଲଦାର ମୁର୍ମୁସାର ଜାଗା ଚିହ୍ନଟ ଦେଲେ ତାକୁ ପ୍ରତିଷ୍ଠାତା ଏବଂ ତାଙ୍କ ପୁଅ ସ୍ଥାନାନ୍ତର ପାଇଁ ଅମଙ୍ଗ ହେଲେ । ଏବେ ପୁଣି ଯେଉଁ ଗୋଚର ଜମିରେ ମନ୍ଦିର ପାଇଁ ସେମାନେ ଏବେ କହୁଛନ୍ତି  ଯାଗାର ଆବଶ୍ୟକତା ଦୃଷ୍ଟିରୁ ଗ୍ରାମବାସୀ ରାଜି ହେଉନାହାଁନ୍ତି ।
ତପନ କୁମାର ଜେନା (ସହକାରୀ ଯନ୍ତ୍ରୀ,ଆନନ୍ଦପୁର ଡିଭିଜନ): ପ୍ରଥମେ ଗ୍ରାମବାସୀ ଓ ପ୍ରତିଷ୍ଠାତାଙ୍କ ମଧ୍ୟରେ ସହମତି ପରେ ଉପଜିଲ୍ଲାପାଳଙ୍କ ନିଦେ୍ର୍ଦଶରେ ମୂର୍ତ୍ତି ସ୍ଥାନାନ୍ତର ପାଇଁ ଅନ୍ୟ ଏକ ଜାଗାରେ ଅସ୍ଥାୟୀ ମନ୍ଦିର ଆରମ୍ଭ ହୋଇଥିଲା । ଗ୍ରାମବାସୀଙ୍କ ବିରୋଧ ପରେ ବନ୍ଦ ହୋଇ ରହିଛି ।
ଅମିତ ରଞ୍ଜନ ହୋତା (ତହସିଲଦାର, ଖଇରା): ମନ୍ଦିର ପ୍ରତିଷ୍ଠାତା ପୂନର୍ବାର ଏହି ପ୍ରସଙ୍ଗରେ କୋର୍ଟରେ ଅପିଲ କରିଥିବାରୁ ମନ୍ଦିର ସ୍ଥାନାନ୍ତର ଓ କେନାଲ କାମ ଅଟକି ରହିଛି ।
ସନ୍ତୋଷ ବେହେରା (ମନ୍ଦିର ପ୍ରତିଷ୍ଠାତାଙ୍କ ପୁତ୍ର): ପ୍ରଶାସନ ଅନ୍ୟ ଏକ ଜାଗା ଦେବା କଥା କହିଥିଲେ । ଏ ପର୍ଯ୍ୟନ୍ତ ତାହା ଦିଆଯାଇନାହିଁ । ଉପଜିଲ୍ଲାପାଳ ଓ ତହସିଲଦାର ଯେମିତି ନିଦେ୍ର୍ଦଶ ଦେବେ, ଆମର ସେଥିରେ କୌଣସି ଅସୁବିଧା ନାହିଁ ।