ସବୁଜ ଅର୍ଥନୈତିକ ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ
ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ଯୋଜନା ଓ ସଂଯୋଜନ ବିଭାଗ ଏବଂ ଶକ୍ତି, ପରିବେଶ ଓ ଜଳ ପରିଷଦ (ସିଇଇଡବ୍ଲୁ୍ୟ) ସହ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି । ଏହି ବୁଝାମଣାପତ୍ର ‘ଗ୍ରୀନ୍ ଓଡ଼ିଶା ଇନିସିଏଟିଭ୍’ ମାଧ୍ୟମରେ ଓଡ଼ିଶାର ସବୁଜ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ । ଲୋକସେବା ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏବଂ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ଇପିକଲ ଏବଂ ଇଡକୋ, ଓଡ଼ିଶାର ପରିଚାଳନା ନିଦେ୍ର୍ଦଶକ ଭୂପେନ୍ଦ୍ର ସିଂହ ପୁନିଆ ଏବଂ ସିଇଇଡବ୍ଲୁ୍ୟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଡ. ଅରୁଣାଭ ଘୋଷ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି । ବୁଝାମଣାପତ୍ର ସ୍ୱାକ୍ଷର ଅବସରରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ କହିଛନ୍ତି ଏହି ବୁଝାମଣା ପତ୍ର ଓଡ଼ିଶାରେ ସବୁଜ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ଆମର ମିଳିତ ପ୍ରତିବଦ୍ଧତାକୁ ଦର୍ଶାଉଛି । ସିଇଇଡବ୍ଲୁ୍ୟର ସିଇଓ ଡ. ଅରୁଣାଭା ଘୋଷ କହିଥିଲେ ନିରନ୍ତର ବିକାଶ ପାଇଁ ଓଡ଼ିଶା ସରକାରଙ୍କ ଅଗ୍ରଗତିଶୀଳ ଆଭିମୁଖ୍ୟ ଉପରେ ଧ୍ୟାନ ଦେଇ ଶକ୍ତି ପରିବର୍ତ୍ତନ, ଜୈବ ଅର୍ଥନୀତି, ପ୍ରକୃତିଭିତ୍ତିକ ସମାଧାନ ଏବଂ ସର୍କୁଲାର ଅର୍ଥନୀତି ସମେତ ବିଭିନ୍ନ ସବୁଜ ଅର୍ଥନୈତିକ କ୍ଷେତ୍ରକୁ ଏକାଠି କରିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ । ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ଏ ସଂପର୍କରେ ରାଜ୍ୟର ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ ।
ଏହି ବୁଝାମଣାପତ୍ର ସ୍ୱାକ୍ଷର ସମୟରେ ଅନ୍ୟମାନଙ୍କ ମଧ୍ୟରେ ଶିଳ୍ପ ଓ ଏମ୍ଏସ୍ଏମ୍ଇ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା, ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ତଥା ବାଣିଜ୍ୟ ଏବଂ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଊଷା ପାଢ଼ୀ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଏନ୍ବିଏସ୍ ରାଜପୁତ, ଯୋଜନା ଓ ସଂଯୋଜନ ବିଭାଗର ଅଧିକାରୀ, ସିଇଇଡବ୍ଲୁ୍ୟର ନିଦେ୍ର୍ଦଶକ ଅଭିଷେକ ଜୈନଙ୍କ ସମେତ ପରିଷଦର ଅନ୍ୟ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।