ପୁଲିସ ଏସଆଇ ମା’ଙ୍କୁ ହତ୍ୟା ଘଟଣା ୬ ଜଣଙ୍କୁ ପୁଲିସ୍ ମାରାଥନ ଜେରା
ବିଞ୍ଝାରପୁର/ସିଂହପୁର: ନାୟାଗଡ ଟାଉନଥାନା ଏସଆଇ ପ୍ରମୋଦ ବେହେରାଙ୍କ ମାଆ ଅବସରପ୍ରାପ୍ତ ଏଏନଏମ ବିନୋଦିନୀ ସାହୁ(୬୨)ଙ୍କ ହତ୍ୟା ଘଟଣାରେ ବିଞ୍ଝାରପୁର ପୁଲିସ ୬ ଜଣ ସନ୍ଦିଗ୍ଧଙ୍କୁ ଉଠାଇ ମାରାଥନ ଜେରା କରୁଛି । ଯଦିଓ ପୁଲିସ ଏଥିନେଇ କୈାଣସି ସୂଚନା ପ୍ରଦାନ କରିନାହିଁ ତେବେ ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାଇ ପୁଲିସ ଏହି ଘଟଣାରେ କଣ୍ଟିପୁର ଗ୍ରାମର ଜଣେ ଯୁବକ, ମଧୂସୁଦନପୁର ଗ୍ରାମର ଦୁଇ ଜଣ ଯୁବକ, କଣଛନ୍ଦା ଗ୍ରାମର ଜଣେ ଯୁବକଙ୍କୁ ପ୍ରଥମେ ଉଠାଇ ଆଣି ପଚରା ଉଚରା କରିଥିଲା । ପରେ ଏହି ଘଟଣାରେ ମୃତା ବିନୋଦିନୀଙ୍କ ସ୍ୱାମୀ ଅଲେଖ ଚନ୍ଦ୍ର ବେହେରା ଓ ଅନ୍ୟ ଜଣେ ଯୁବକଙ୍କୁ ପୁଲିସ ଉଠାଇ ଆଣି ପରଚା ଉଚରା କରୁଛି । ପୁଲିସ ମୋଟ ୬ଜଣଙ୍କୁ ମାରାଥନ ଜେରା କରୁଥିବା ବେଳେ ଯାଜପୁର ଏସଡିପିଓ ସତ୍ୟବ୍ରତ ଲେଙ୍କା ଆଜି ବିଞ୍ଝାରପୁର ଥାନାରେ ପହଞ୍ଚି ସନ୍ଦିଗ୍ଧ ମାନଙ୍କୁ ପଚରା ଉଚରା କରିଛନ୍ତି । ତେବେ ଏହି ହତ୍ୟା ଘଟଣା ପଛରେ ବିନୋଦିନୀ ପରିଧାନ କରିଥିବା ସୁନା ଅଳଙ୍କାର ଲୁଟ ନା ଅନ୍ୟ କିଛି କାରଣ ଅଛି ପୁଲିସ ତାକୁ ଅନୁଧ୍ୟାନ କରୁଛି । ଖୁବ ଶୀଘ୍ର ଘଟଣା ଉପରୁ ପୁଲିସ ପରଦା ଉଠାଇବ ବୋଲି ଚର୍ଚ୍ଚା ହେଉଛି । ସୂଚନା ଥାଉକି ବିଞ୍ଝାରପୁର ଥାନା ଅନ୍ତର୍ଗତ ମଧୂସୁଦନପୁର ଆତଙ୍କନାସନ ଉଚ୍ଚ ବିଦ୍ୟାଳୟ ପୁରୁଷ ଶୌଚାଳୟରୁ ୧୫ ତାରିଖ ସକାଳୁ ବିନୋଦିନୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରାଯାଇଥିଲା । ବିନୋଦିନୀ ଦୈନିକ ସକାଳୁ ଫୁଲ ତୋଳିବାକୁ ଯାଆନ୍ତି । ପୁଲିସ ଘଟଣା ସ୍ଥଳରେ ସାଇଁଟିଫିକ ଟିମ ସହ ପହଁଚି ତଦନ୍ତ ଆରମ୍ଭ କରିଥିଲା । ତେବେ ହତ୍ୟାକାଣ୍ଡର ଖୁଲାସା କରିବାକୁ ବିଞ୍ଝାରପୁର ଥାନା ଅଧିକାରିଣୀ ଅଶୁଂମାଳା ଦାସ ଦିନରାତିକୁ ଏକ କରିଦେଇଥିଲେ । ଘଟଣା ଘଟିବାର ୩୬ ଘଣ୍ଟା ମଧ୍ୟରେ ପୁଲିସ ପଞ୍ଝାରେ ମୁଖ୍ୟ ଅଭିଯୁକ୍ତ ସମେତ କେତେକ ସହଯୋଗି ଲାଗିଥିବା ଆଶଙ୍କା କରାଯାଉଛି ।