ବାଂଲାଦେଶ ସାଂସଦଙ୍କୁ ହତ୍ୟା କରାଯାଇ ମୃତଦେହରୁ କାଢି ନିଆଯାଇଛି ଚର୍ମ

ବାଂଲାଦେଶ ସାଂସଦଙ୍କୁ ହତ୍ୟା କରାଯାଇ ମୃତଦେହରୁ କାଢି ନିଆଯାଇଛି ଚର୍ମ

ସାମ୍ନାକୁ ଆସିଛି କୋଲକାତାରେ ବାଂଲାଦେଶ ସାଂସଦ ଅନୱାରୁଲ ଅଜିମ ଅନୱାରଙ୍କ ହତ୍ୟା ମାମଲାରେ ଏକ ସାଙ୍ଘାତିକ ଦିଗ । ହତ୍ୟା ପରେ ସାଂସଦ ଅନୱାରଙ୍କ ଚର୍ମ କାଢି ନିଆଯିବା ସହ ହାଡ଼କୁ ଖଣ୍ଡ ଖଣ୍ଡ କରି ଦିଆଯାଇଥିବା ସିଆଇଡି ଟିମ୍ ତଦନ୍ତ ବେଳେ ଜାଣିବାକୁ ପାଇଛି।

 ଏତିକି ନୁହେଁ, ସାଂସଦଙ୍କ ହତ୍ୟା ପଛରେ ତାଙ୍କର ଜଣେ ଘନିଷ୍ଠ ବନ୍ଧୁଙ୍କ ହାତ ଥିବା ବେଳେ ଏଥିପାଇଁ 5 କୋଟି ଟଙ୍କାର ସୁପାରି ଦିଆଯାଇଥିବା ବିଶେଷ ସୂତ୍ରରୁ ଜଣାପଡିଛି।

ସୂଚନା ଅନୁସାରେ, କୋଲକାତା ବିମାନବନ୍ଦର ସ୍ଥିତ ଏକ ଭଡ଼ା ଘରୁ ବାଂଲାଦେଶ ସାଂସଦ ଅନୱାରୁଲ ଅଜିମଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ହତ୍ୟାକାଣ୍ଡ ପରେ ପରିଚୟ ନଷ୍ଟ ପାଇଁ ଶରୀରରୁ ଚର୍ମ କାଢି ନିଆଯିବା ସହ ହାଡକୁ ଖଣ୍ଡ ଖଣ୍ଡ କରାଯାଇଛି। ପଶ୍ଚିମବଙ୍ଗ ଅପରାଧ ତଦନ୍ତକାରୀ ସଂସ୍ଥା(ସିଆଇଡି) ଏହି ମାମଲାର ଜଣେ ସନ୍ଦିଗ୍ଧକୁ ଗିରଫ କରିବା ପରେ ପୂରା ମାମଲା ସାମ୍ନାକୁ ଆସିଛି। 

ସିଆଇଡି ସୂତ୍ରରୁ ଜଣାପଡିଛି ଯେ, ସନ୍ଦିଗ୍ଧ ଜିହାଦ ହାୱଲଦାର ଅଜିମ ଅନୱାରଙ୍କୁ କୋଲକାତାରେ ହତ୍ୟା କରିଛି। ହାୱଲଦାର ହେଉଛି ଜଣେ ପେସାଦାର ବଚର୍(ଯିଏକି ପଶୁ ହତ୍ୟା କରିବା ସହ ସେମାନଙ୍କ ଚମଡା ବାହାର କରିଥାଏ)। ସେ ବାଂଲାଦେଶର ଖୁଲନା ଜିଲ୍ଲାର ବାରକପୁରର ବାସିନ୍ଦା ହୋଇଥିବା ବେଳେ ବେଆଇନ ଭାବେ ମୁମ୍ବାଇରେ ରହୁଥିଲା।

ହତ୍ୟାକାଣ୍ଡ ପଛର ମାଷ୍ଟରମାଇଣ୍ଡ ଅନୱାରଙ୍କ ବନ୍ଧୁ ଅଖତାରୁଜମାନ ହାୱଲଦାରକୁ ସୁପାରି ଦେଇଥିଲେ। କୋଲକାତାର ଯେଉଁ ଭଡା ଘରେ ଅନୱାରଙ୍କୁ ହତ୍ୟା କରାଯାଇଥିଲା, ସେଠାରେ ହାୱଲଦାର 2 ମାସ ହେବ ରହି ଆସୁଥିଲା। ପଚରାଉଚରା ବେଳେ ହତ୍ୟା କରିଥିବା ସ୍ୱୀକାର କରିଛି ହାୱଲଦାର। ଅଖତାରୁଜମାନ ନିର୍ଦ୍ଦେଶକ୍ରମେ ହତ୍ୟା କରିଥିବା ମଧ୍ୟ ମାନିଛି। ଅଭିଯୁକ୍ତଙ୍କୁ ଗିରଫ କରି ଅଧିକ ତଦନ୍ତ କରୁଛି ସିଆଇଡି।