ଘରେ ପଶି ସ୍ବାମୀଙ୍କୁ ହାଣି ମାରିଦେଲେ ଦୁର୍ବୃତ୍ତ

ଆନନ୍ଦପୁର : ଶୋଇଥିବା ସମୟରେ ଶନିବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଘରେ ପଶି ସ୍ତ୍ରୀଙ୍କ ସାମ୍ନାରେ ସ୍ବାମୀଙ୍କୁ ହାଣି ହତ୍ୟା କରିଛନ୍ତି। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲା ଆନନ୍ଦପୁର ଥାନା ସୁନ୍ଦୁରିଆ ଗାଁରେ। ମୃତକ ଜଣକ ହେଲେ ଜଗବନ୍ଧୁ ଦେଓଗାମ। ଖବରପାଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନାରୁ ପ୍ରକାଶ ଯେ, ସୁନ୍ଦୁରିଆ ଗାଁର ଜଗବନ୍ଧୁ ଦେଓଗାମ ତାଙ୍କ ସ୍ତ୍ରୀଙ୍କ ସହ ଘରେ ଶନିବାର ଖାଇ ପିଇ ଶୋଇଥିଲେ। ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଘରେ ପଶି ଜଗବନ୍ଧୁଙ୍କ ଜଙ୍ଘକୁ ଏକ ଧାରୁଆ ଅସ୍ତ୍ରରେ ହାଣି ଫେରାର ହୋଇଯାଇଥିଲେ। ତେବେ ରାତିର ଅନ୍ଧାର ହେତୁ ଆକ୍ରମଣକାରୀଙ୍କୁ ଚିହ୍ନି ପାରି ନ ଥିଲେ ପରିବାର ଲୋକେ। ସଙ୍ଗେ ସଙ୍ଗେ ଏକ ଗାଡ଼ିକରି ଜଗବନ୍ଧୁଙ୍କୁ ଆନନ୍ଦପୁର ଉପଖଣ୍ଡ ମେଡିକାଲ ନେଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଜଙ୍ଘରେ ହଣାଯାଇଥିବାରୁ ପ୍ରବଳ ରକ୍ତସ୍ରାବ ହୋଇ ମୃତ୍ୟୁ ଘଟିଛି। ତେବେ ପୂର୍ବରୁ କୌଣସି କାରଣକୁ ନେଇ ବାପାଙ୍କ ସହ ତାଙ୍କର ଜଣେ ପୁତୁରାଙ୍କର ଝଗଡ଼ା ହୋଇଥିବାରୁ ହତ୍ୟାକାଣ୍ଡରେ ତାଙ୍କ ହାତ ଥାଇପାରେ ବୋଲି ସନ୍ଦେହ କରିଛନ୍ତି ଝିଅ ପୂଜାରାଣୀ। ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇ ଆନନ୍ଦପୁର ପୋଲିସ ତଦନ୍ତ ଆରମ୍ଭ କରିଥିଲେ ହେଁ ବର୍ତ୍ତମାନ ସୁଦ୍ଧା କାହାରିକୁ ଧରିପାରିନାହିଁ।