ବିଜେପିର ମିଛକୁ ନେଇ ସଚେତନ କର : ନବୀନ

ାା ପ୍ରଭାନୁ୍ୟଜାା ଭୁବନେଶ୍ୱର:   ଅକ୍ଟୋବରରେ ବିଜେଡ଼ି ୧୫ ଦିନ ଧରି ପଦଯାତ୍ରା କରିବ  । ଅକ୍ଟୋବର ୨ରୁ ଅକ୍ଟୋବର ୬ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ପଦଯାତ୍ରା ହେବ  । ସେହିପରି ଅକ୍ଟୋବର ୨୧ରୁ ୩୦ ପର୍ଯ୍ୟନ୍ତ ଦ୍ୱିତୀୟ ଦଫା ପଦଯାତ୍ରା ପାଇଁ ଦଳ ନିଷ୍ପତ୍ତି ନେଇଛି  । ଅପରପକ୍ଷରେ ଗୋପବନ୍ଧୁଙ୍କ ଜୟନ୍ତୀରୁ ଦୁଇ ମାସ ବ୍ୟାପୀ ସଭ୍ୟ ସଂଗ୍ରହ ଅଭିଯାନ ଚାଲିବ  । ସରକାରଙ୍କ ବିଫଳତା ଓ ବିଜେପିର ମିଛ ବିଷୟରେ ଲୋକଙ୍କୁ ସଚେତନ କରିବାକୁ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ ନେତାଙ୍କୁ ପରାମର୍ଶ ଦେଇଛନ୍ତି  ।
ଆଜି ଶଙ୍ଖ ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି  । ଦରଦାମ୍ ବୃଦ୍ଧିଠାରୁ ଆରମ୍ଭ କରି ନାରୀ ସୁରକ୍ଷା, ପୁଞ୍ଜି ବିନିଯୋଗ ଆଦି ବିଭିନ୍ନ କ୍ଷେତ୍ରରେ ଓଡିଶାରେ ବିଜେପି ସରକାର ବିଫଳ ହୋଇଛି  । ସରକାରର ବିଫଳତା ଆଜି ସବୁଆଡେ ନିରାଶା ସୃଷ୍ଟି କରିଛି  ।  ନାରୀ ନିର୍ଯାତନା ବଢି ଚାଲିଛି  । ପୁରୀ ରାଜଭବନରୁ ଆରମ୍ଭ କରି ଭରତପୁର ଥାନା ପର୍ଯ୍ୟନ୍ତ ଏସବୁ ଘଟଣା ସରକାରଙ୍କ ବିଫଳତାକୁ ଅଙ୍ଗୁଳି ନିଦେ୍ର୍ଦଶ କରୁଛି  । ଓଡିଶାରୁ ପୁଞ୍ଜି ଫେରି ଯାଉଛି ବୋଲି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି  ।
ଆଜି ଶଙ୍ଖ ଭବନରେ ଜନସମ୍ପର୍କ ପଦଯାତ୍ରା ଓ ସଭ୍ୟ ସଂଗ୍ରହ ସଂକ୍ରାନ୍ତୀୟ ପ୍ରସ୍ତୁତି ବୈଠକରେ ଉଦ୍ବୋଧନ ଦେଇ ଶ୍ରୀ ପଟ୍ଟନାୟକ କହିଥିଲେ, ମିଛ କାହାଣୀ କହି ବିଜେପି ନିର୍ବାଚନରେ ଜିତିଛି  । ମିଛ କହି ନିର୍ବାଚନ ଜିତା ଯାଇପାରେ, କିନ୍ତୁ ଲୋକଙ୍କ ହୃଦୟ ନୁହେଁ  । ସୁଭଦ୍ରା ଯୋଜନା ହେଉ ବା ମାଗଣା ବିଜୁଳି ବା ଭତ୍ତା ବୃଦ୍ଧି, ବିଜେପିର ମିଥ୍ୟା ପ୍ରତିଶ୍ରୁତି ଆଜି ସାଧାରଣ ଲୋକଙ୍କୁ ଚକିତ କରିଛି ବୋଲି ଶ୍ରୀ ପଟ୍ଟନାୟକ କହିବା ସହ ବିଜେପି ସରକାରର ବିଫଳତା ଓ ମିଛ ପ୍ରତିଶ୍ରୁତି ବିଷୟରେ ଲୋକଙ୍କୁ ସଚେତନ କରିବା ପାଇଁ ଆହ୍ୱାନ ଜଣାଇଥିଲେ  । ଶ୍ରୀ ପଟ୍ଟନାୟକ କହିଥିଲେଯେ, ବିଜୁ ଜନତା ଦଳ ଏକ ଦାୟିତ୍ୱପୂର୍ଣ୍ଣ ବିରୋଧୀ ଦଳ ଭାବରେ କାମ କରୁଛି  । ଆମ ପାଇଁ ସାଧାରଣ ଲୋକର ସମସ୍ୟାର ସମାଧାନ ଓ ଓଡିଶାର ସ୍ୱାର୍ଥ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ  । 
ଗତ ଚବିଶ ବର୍ଷ ଭିତରେ ବିଜେଡି ସରକାରର ସଫଳତା ବିଷୟରେ ଉଲ୍ଲେଖ କରି ଶ୍ରୀ ପଟ୍ଟନାୟକ କହିଥିଲେ ୨୦୦୦ ରୁ ୨୦୨୪ ମସିହା ମଧ୍ୟରେ ଓଡିଶାର ମୁଣ୍ଡପିଛା ରୋଜଗାର ସର୍ବାଧିକ ବୃଦ୍ଧି ଘଟିଛି ଯାହାକି ମଧ୍ୟ ପ୍ରଦେଶ, ଉତ୍ତର ପ୍ରଦେଶ, ଆସାମ ଆଦି ବିଜେପି ଶାସିତ ଡବଲ ଇଞ୍ଜିନ ରାଜ୍ୟମାନଙ୍କ ଠାରୁ ଅଧିକ  । ସେହିପରି ମୁଣ୍ଡପିଛା ଋଣ ପରିମାଣ ମଧ୍ୟ ଡବଲ ଇଞ୍ଜିନ ରାଜ୍ୟମାନଙ୍କ ଠାରୁ କମ୍ ରହିଛି  । 
ପ୍ରତିବର୍ଷ ପରି ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେବ  । ଅକ୍ଟୋବର ୬ ରେ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମ ଶେଷ ହେବ  ।  ପୂଜା ପରେ ଅକ୍ଟୋବର ୨୧ ରୁ ଅକ୍ଟୋବର ୩୦ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ପଦଯାତ୍ରା ଜାରି ରହିବ  । ସେହିପରି ଉକôଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅକ୍ଟୋବର ୯ ତାରିଖରୁ ଡିସେମ୍ବର ୯ ତାରିଖ ଦୁଇ ମାସ ପର୍ଯ୍ୟନ୍ତ ସଭ୍ୟ ସଂଗ୍ରହ ଅଭିଯାନ ଜାରି ରହିବ ବୋଲି ଘୋଷଣା କରିଥିଲେ  । 
ସୋସିଆଲ ମିଡିଆକୁ ଅଧିକ ସକ୍ରିୟ କରିବା ସହିତ ପଦଯାତ୍ରା ଓ ସଭ୍ୟ ସଂଗ୍ରହ ଅଭିଯାନର ବିପୁଳ ସଫଳତା ଦିଗରେ ନିଷ୍ଠାପର ଭାବରେ କାର୍ଯ୍ୟ କରିବା ପାଇଁ ଶ୍ରୀ ପଟ୍ଟନାୟକ ଦଳୀୟ ନେତୃବୃନ୍ଦ ଓ ପଦାଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ  । ବିଜେଡି ସମନ୍ୱୟ କମିଟିର ମୁଖ୍ୟ ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ  ।  ପ୍ରସନ୍ନ ଆଚାର୍ଯ୍ୟ, ସଞ୍ଜୟ ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ, ଗଣେଶ୍ୱର ବେହେରା, ଚନ୍ଦ୍ରଶେଖର ସାହୁ, ସୁଦାମ ମାର୍ଣ୍ଡି, ବିକ୍ରମ ଆରୁଖ, ଅଶୋକ ପଣ୍ଡା, ବଦ୍ରି ପାତ୍ର, ଦେବୀରଞ୍ଜନ ମିଶ୍ର, ଦୀପାଳୀ ଦାସ ଓ ଶ୍ରୀ ଦିବ୍ୟ ଶଙ୍କର ମିଶ୍ର ପ୍ରମୁଖ ଆଗାମୀ ଦିନରେ ସଙ୍ଗଠନକୁ ଆହୁରି ମଜବୁତ୍ କରିବା ପାଇଁ ପରାମର୍ଶ ଦେଇଥିଲେ ।