କଟକ-ଭୁବନେଶ୍ୱରରୁ ବିଦାହେବେ ପୁଲିସ୍ ବାବୁ, ଗାଁକୁ ଯିବେ
odisha police

କଟକ : ଦାୟିତ୍ୱ ଗ୍ରହଣ କରିବା ପରେପରେ ଆକ୍ସନ ମୋଡ୍କୁ ଆସି ଯାଇଛନ୍ତି ନୂଆ ପୁଲିସ କମିଶନର ସୁରେଶ ଦେବଦତ୍ତ ସିଂହ । ବର୍ଷ ବର୍ଷ ଧରି ଭୁବନେଶ୍ୱର ଓ କଟକରେ ଗାଦି ମାଡ଼ି ବସିଥିବା ଅଫିସରମାନଙ୍କୁ ସେ ଚେତାବନୀ ଦେଇଛନ୍ତି । ଭଲ କାମ ନକଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସିପି କହିଛନ୍ତି ।
ଆଜି ସିପି କଟକ ଗସ୍ତରେ ଯାଇଥିଲେ । ଡିସିପି ଜଗମୋହନ ମୀନାଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ସେ ବୈଠକ କରିଥିଲେ । ପାର୍ବଣ ସମେତ ଆଇନ ଶୃଙ୍ଖଳା ନେଇ ଆଲୋଚନା ହୋଇଥିଲା । ସେ କହିଥିଲେଯେ, ପରଫରମାନସ ବା ପ୍ରଦର୍ଶନ ହେଉଛି ଆଧାର, ନ କରିପାରିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି । ଟୁଇନ ସିଟିରେ ଦୀର୍ଘବର୍ଷ ଧରି ରହିଯାଇଥିବା ଗାଦିମଡ଼ା ପୁଲିସ ଅଧିକାରୀଙ୍କୁ କମିଶନର ଏପରି ଚେତାବନୀ ଦେଇଛନ୍ତି ।
ଏହି ଅବସରରେ ସାମ୍ବାଦିକମାନଙ୍କୁ ସେ କହିଥିଲେଯେ, କେଉଁ ଅଫିସର କେତେଦିନ ହେବ କମିଶନରେଟ ପୁଲିସ ଅଧୀନରେ କାର୍ଯ୍ୟରତ ଅଛନ୍ତି, ପ୍ରଥମେ ତାହାର ତଥ୍ୟ ନିଆଯିବ । ଏହାପରେ ଅଧିକାରୀମାନେ ସଂପାଦନା କରୁଥିବା କର୍ତ୍ତବ୍ୟକୁ ତର୍ଜମା କରାଯିବ । ଆଶାନୁରୂପ କାର୍ଯ୍ୟ କରୁନଥିଲେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନର କହିଛନ୍ତି । ୨୪ ଘଣ୍ଟା ଲୋକଙ୍କ ସେବା କରିବା ସହ ସେମାନଙ୍କ ଅଭିଯୋଗ ଶୁଣିବା ପୁଲିସର କାମ । ଲୋକଙ୍କୁ ଉଚିତ ବ୍ୟବହାର ସହ ତ୍ୱରିତ ନ୍ୟାୟ ଦେବାକୁ ପଦକ୍ଷେପ ନିଆଯିବ । ଅସୁବିଧା ସମୟରେ ଥାନାକୁ ଆସୁଥିବା ଲୋକଙ୍କୁ ଉଚିତ ବ୍ୟବହାର ପ୍ରଦର୍ଶନ ସହ ସେମାନଙ୍କ ଅଭିଯୋଗକୁ ଧୈର୍ଯ୍ୟର ସହ ଶୁଣାଯିବ । ଅଭିଯୋଗକାରୀ ଥାନାର ଅତିଥି ସମାନ । ଆମେ ଘରେ ଯେପରି ଅତିଥିଙ୍କ ସତ୍କାର କରିଥାଉ ଠିକ ସେହିପରି ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କୁ ସମାନ ବ୍ୟବହାର ପ୍ରଦର୍ଶନ କରାଯିବ ବୋଲି ନୂଆ ପୁଲିସ କମିଶନର କହିଛନ୍ତି । ଏଥିସହ ଅପରାଧିଙ୍କୁ ଅପରାଧ ଛାଡ଼ି ଆଗାମୀ ଦିନରେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି । ନଚେତ ପରିସ୍ଥିତି ଭୟଙ୍କର ହେବ ବୋଲି କମିଶନର ଶ୍ରୀ ସିଂହ ଚେତାଇ ଦେଇଛନ୍ତି ।