କିଏ ହେବେ ପିସିସି ସଭାପତି ? ମୋକିମ୍, ଶ୍ରୀକାନ୍ତ, ଭକ୍ତ ନା ଜୟଦେବ ?
pcc president odisha
ଭୁବନେଶ୍ୱର : କିଏ ହେବେ ପିସିସି ସଭାପତି ? ତାହାକୁ ନେଇ ଏବେ ଅଙ୍କ କଷା ଆରମ୍ଭ ହୋଇଯାଇଛି । ପିସିସି ସଭାପତି ରେସ୍ରେ ୪ ଜଣଙ୍କ ନାଁକୁ ନେଇ ବେଶୀ ଚର୍ଚ୍ଚା ହେଉଛି । ଜଣେ ହେଉଛି ମହମ୍ମଦ ମୋକିମ୍ । ପୂର୍ବରୁ ସେ କଟକ ବାରବାଟୀର ବିଧାୟକ ଥିଲେ । ଏବେ ତାଙ୍କ ଝିଅ ବିଧାୟିକା ଅଛନ୍ତି । ଗତ କିଛିବର୍ଷ ଧରି ସେ ପିସିସି ସଭାପତି ହେବାକୁ ଲବି କରି ଆସୁଛନ୍ତି । ଏବେ ବି ସେ ରେସରେ ଆଗରେ ଅଛନ୍ତି । ମୋକିମ୍ ସଂଗଠନ ପାଇଁ ଟଙ୍କା ଖର୍ଚ୍ଚ କରିବାର ଦମ୍ ରଖିଛନ୍ତି । ସେଥିପାଇଁ ତାଙ୍କ ନାମକୁ ନେଇ ବେଶୀ ଚର୍ଚ୍ଚା ହେଉଛି । ସେହିପରି ଶ୍ରୀକାନ୍ତ ଜେନାଙ୍କର ଦିଲ୍ଲୀରେ ଭଲ ସେଟିଂ ଅଛି । ପୂର୍ବରୁ ସେ କଂଗ୍ରେସ ସରକାରରେ କେନ୍ଦ୍ରମନ୍ତ୍ରୀ ମଧ୍ୟ ଥିଲେ । ସେହିପରି କଂଗ୍ରେସର ଆଉ ଜଣେ ଟାଣୁଆ ନେତା ହେଉଛନ୍ତି ଭକ୍ତଚରଣ ଦାସ । ତାଙ୍କ ପୁଅ ଏବେ ବିଧାୟକ ଅଛନ୍ତି । ପୂର୍ବରୁ ମଧ୍ୟ ସେ ପିସିସି ସଭାପତି ହେବା ପାଇଁ ଲବି କରି ଆସୁଛନ୍ତି । ଭେଟେରାନ୍ ଲିଡ଼ର ଜୟଦେବ ଜେନା ଆଉ ପିସିସି ସଭାପତି ହେବାକୁ ଚାହୁଁନାହାନ୍ତି । ତେବେ ତାଙ୍କ ପାଇଁ କଂଗ୍ରେସର ଗୋଟିଏ ଗୋଷ୍ଠୀ ଜୋରଦାର ଲବି କରୁଛନ୍ତି । ଅନେକ ପୁରୁଖା ନେତାଙ୍କ ସହ ଛାତ୍ର ଓ ଯୁବନେତାମାନେ ମଧ୍ୟ ଜୟଦେବଙ୍କ ସପକ୍ଷରେ ରହିଛନ୍ତି । ଖୁବଶୀଘ୍ର ଏଆଇସିସି କମିଟି ଓଡ଼ିଶା ଆସି ଏନେଇ ନେତାଙ୍କ ଠାରୁ ମତାମତ ସଂଗ୍ରହ କରିବେ । ସେହିପରି ଅନେକ ନେତାଙ୍କ ଠାରୁ ଏବେ ମୋବାଇଲରେ ମତାମତ ସଂଗ୍ରହ କରାଯାଉଥିବା ଜାଣିବାକୁ ମିଳିଛି ।